Categories: ରାଜ୍ୟ

ଷ୍ଟିଚ୍‌ ବେଳେ ରହିଗଲା ଛୁଞ୍ଚି

କେନ୍ଦ୍ରାପଡା ଅଫିସ, ୧୮ା୭: ଏକ ଅଭାବନୀୟ ଘଟଣା ପାଇଁ ଚର୍ଚ୍ଚାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ। ପ୍ରସୂତିକାଳୀନ ଷ୍ଟିଚ୍‌ ପରେ ମହିଳାଙ୍କ ଗୋପନୀୟ ଅଙ୍ଗରେ ଛୁଞ୍ଚି ରହିଯିବା ଭଳି ଏକ ଘଟଣା ବୁଧବାର ଲୋକଲୋଚନକୁ ଆସିଛି। ଏ ନେଇ ସମ୍ପୃକ୍ତା ମହିଳାଙ୍କ ଭାଇ ଆଳି ବଜାରଟଙ୍କା ଗ୍ରାମର ସରୋଜ କୁମାର ନାଥଶର୍ମା ଅଭିଯୋଗ କରିବା ପରେ ସିଡିଏମ୍‌ଓ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଅଭିଯୋଗକାରୀ ସରୋଜଙ୍କ କହିବା ଅନୁସାରେ, ଗତ ୧୪ ତାରିଖରେ ରାଜନଗର ଥାନା ବଜାର ଡେରାବିଶ ଗ୍ରାମର ଗଦାଧର ଶର୍ମାଙ୍କ ସ୍ତ୍ରୀ ଅଞ୍ଜନା ପ୍ରସବ ବେଦନା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପୂର୍ବାହ୍ନ ୧୦ଟା ୨୦ରେ ସେ ଏକ ଶିଶୁ ଜନ୍ମ ଦେଇଥିବା ବେଳେ ସେହି ସମୟରେ କୌଣସି ଡାକ୍ତର ଉପସ୍ଥିତ ନ ଥିଲେ। ଫଳରେ ନର୍ସମାନେ ପ୍ରସୂତିକାଳୀନ ପ୍ରକ୍ରିୟାକୁ ସମ୍ଭାଳିବା ସହ ଗୋପନୀୟ ଅଙ୍ଗ ଷ୍ଟିଚ୍‌ କରିଥିଲେ। ଏହାପରେ ଅଞ୍ଜନା ଦୁଇ ଦିନ ମେଡିକାଲରେ ରହିବା ପରେ ଘରକୁ ଯାଇଥିଲେ। ହେଲେ ଷ୍ଟିଚ୍‌ ହୋଇଥିବା ସ୍ଥାନରେ ପ୍ରବଳ ଯନ୍ତ୍ରଣା ହେବାରୁ ବିଳମ୍ବିତ ରାତିରେ ପରିବାର ଲୋକେ ପୁଣି ମେଡିକାଲକୁ ଆଣିଥିଲେ। ତେବେ ଡାକ୍ତର ଷ୍ଟିଚ୍‌ ସ୍ଥାନରୁ ଛୁଞ୍ଚି ବାହାର କରିବା ପରେ ଯନ୍ତ୍ରଣା କମ୍‌ ହୋଇଥିଲା। ଏ ନେଇ ସରୋଜ ସିଡିଏମ୍‌ଓ ଡା. ଉର୍ମିଳା ମିଶ୍ରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ସିଡିଏମ୍‌ଓ ଡା. ମିଶ୍ରଙ୍କୁ ପଚାରିବାରେ ଘଟଣା ସମ୍ପର୍କରେ ତଦନ୍ତ କରାଯିବ ବୋଲି କହିଛନ୍ତି।