ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭଗୃହରୁ ବୃଷଭ ମୂର୍ତ୍ତି ଗାଏବ ପ୍ରସଙ୍ଗ: ପୁଣି ସ୍ଥାପନ ପାଇଁ ଗଣାଯାଉଛି ଦିନ

ପୁରୁଣା ଭୁବନେଶ୍ୱର,୭ା୯(ଡି.ଏନ.ଏ.): ଐତିହ୍ୟ ସ୍ଥଳଗୁଡିକରେ ଥିବା ପୁରାତନ କୀର୍ତ୍ତିରାଜିଗୁଡ଼ିକର ଅବକ୍ଷୟ ହେଉଛି। ଏଭଳି ଏକ ଘଟଣା ମାସକ ତଳେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଘଟିଥିଲା, ଯାହାକୁ ଅଦ୍ୟାବଧି ଏଏସଆଇ ସମ୍ପୂର୍ଣ୍ଣ କରି ନ ପାରିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭଗୃହ ଆଡ କାଠ ନିକଟରେ ରହିଥିଲା ପ୍ରାଚୀନ ବୃଷଭ ମୂର୍ତ୍ତି। ମୂର୍ତ୍ତିଟି କାଳକ୍ରମେ ବିଭିନ୍ନ କାରଣରୁ ଅବକ୍ଷୟ ହୋଇ ଚଟାଣରୁ ଛାଡ଼ି ଯାଇଥିଲା। ମନ୍ଦିର ସୁରକ୍ଷା ଦାୟିତ୍ୱରେ ରହିଥିବା ଏଏସଆଇ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରିବା ପୂର୍ବରୁ ଜନୈକ ସେବାୟତ ବୃଷଭ ମୂର୍ତ୍ତିଟିକୁ ଟେକି ଆଣି ବାହାରେ ଫିଙ୍ଗି ଦେଇଥିଲେ। ଘଟଣା ଜାଣିବା ପରେ ଏଏସଆଇର ଏକ ସ୍ବତନ୍ତ୍ର ଟିମ୍‌ ପ୍ରସ୍ତରରେ ଲୋପନ ପାଇଁ ସ୍ବତନ୍ତ୍ର ଅଠା ଏବଂ ଅନ୍ୟ ସରଞ୍ଜାମ ସହ ମନ୍ଦିରରେ ପହଞ୍ଚତ୍ଥିଲେ। ମାତ୍ର ବୃଷଭ ପଡି ଜଣେ ଶ୍ରଦ୍ଧାଳୁଙ୍କ ରକ୍ତ ଛିଟା ପଡିଥିବାରୁ ଏହାକୁ ନୀତି ନିର୍ଘଣ୍ଟ ପୂର୍ବକ ପ୍ରତିଷ୍ଠା ପାଇଁ କେତେକ ସେବାୟତ ଅଡ଼ି ବସିଥିଲେ। ସେତେବେଳେ ମନ୍ଦିର ପ୍ରଶାସନର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନୁପସ୍ଥିତ ରହିଥିଲେ। ତେଣୁ ଏଏସଆଇର ଟିମ୍‌ ଘଟଣାସ୍ଥଳରୁ ଫେରି ଆସିଥିଲେ। ଇତି ମଧ୍ୟରେ ଦିନ ପରେ ଦିନ ଗଡୁଥିଲେ ହେଁ କାହା ପକ୍ଷରୁ ଉକ୍ତ ପୁରାତନ ବୃଷଭ ପ୍ରତିମୂର୍ତ୍ତିକୁ ପୁଣି ସ୍ଥାପନ ପାଇଁ ଉତ୍ସୁକତା ନ ଥିବା ଭଳି ମନେହୁଏ। ତୁରନ୍ତ ବୃଷଭ ପ୍ରତିମୂର୍ତ୍ତିଟିକୁ ଠିକଣା ଜାଗାରେ ପ୍ରତିଷ୍ଠା କରାଇ ପୂର୍ବବତ୍‌ ପୂଜାର୍ଚ୍ଚନା କରିବାକୁ ଭକ୍ତ ମହଲରେ ଦାବି ହେଉଛି। ଏ ନେଇ ଏଏସଆଇର ଆଡ଼ମିନିଷ୍ଟ୍ରେଟିଭ ଅଫିସର ବିଜୟ କୁମାର ଦାସଙ୍କୁ ପଚାରିବାରେ ବୃଷଭ ମୂର୍ତ୍ତି ବସେଇବାକୁ ଯାଇଥିଲେ ହେଁ ପ୍ରଶାସନିକ ଅଧିକାରୀଙ୍କ ଅନୁପସ୍ଥିତି ଏବଂ ସେବାୟତଙ୍କ ସମର୍ଥନ ନ ମିଳିବାରୁ ଆମେ ଫେରି ଆସିଥିଲୁ।ଏ ସମ୍ପର୍କରେ ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟଙ୍କ ଦୃଷ୍ଟିକୁ ଆଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।