ଶ୍ରୀଲିଙ୍ଗରାଜ ମନ୍ଦିରକୁ ଆଦର୍ଶ ପର୍ଯ୍ୟଟନସ୍ଥଳ ପାଇଁ ଦାବି

ପୁରୁଣା ଭୁବନେଶ୍ୱର, ୧୪। ୮(ଡି.ଏନ.ଏ.): ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ଓ ଅର୍କକ୍ଷେତ୍ର କୋଣାର୍କ ମନ୍ଦିରକୁ ଆଦର୍ଶ ପର୍ଯ୍ୟଟନସ୍ଥଳ ରୂପେ ପରିଗଣିତ କରିବାକୁ ନିକଟରେ କେତେଜଣ ବିଧାୟକ କେନ୍ଦ୍ର ପର୍ଯ୍ୟଟନ ବିଭାଗକୁ ବିଧାନସଭା ପ୍ରଶ୍ନୋତ୍ତର କାଳରେ ପତ୍ର ଲେଖିଛନ୍ତି। ଏହି ପରିପ୍ରେକ୍ଷୀରେ ମନ୍ଦିର ମାଳିନୀ ଏକାମ୍ର କ୍ଷେତ୍ରରେ ଐତିହ୍ୟ ଶ୍ରୀଲିଙ୍ଗରାଜ ମନ୍ଦିର ଉକ୍ତ ପତ୍ରରେ ଉଲ୍ଲେଖ ନ ଥିବା ପକ୍ଷପାତିତା ଦର୍ଶାଇଛନ୍ତି ପୁରୁଣା ଭୁବନେଶ୍ୱରର ବୁଦ୍ଧଜୀବୀମାନେ। ଉଭୟ ପର୍ଯ୍ୟଟନସ୍ଥଳ ଭଳି ଶ୍ରୀଲିଙ୍ଗରାଜ ମନ୍ଦିରର ମାହାତ୍ମ୍ୟ ଏବଂ ଇତିହାସ ଖୁବ୍‌ ପ୍ରାଚୀନ। ଏକାଦଶ ଶତାବ୍ଦୀର କାରୁକାର୍ଯ୍ୟ ସମ୍ପନ୍ନ ଏହି ମନ୍ଦିରର ବିଶେଷତ୍ୱ ତା’ର ପରମ୍ପରାରୁ ବେଶ ବାରିହୁଏ। ଏଣୁ ଅନୁରୂପ ଭାବେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳକୁ ଆଦର୍ଶ ପର୍ଯ୍ୟଟନସ୍ଥଳ ରୂପେ ମାନ୍ୟତା ଦେବାକୁ ପ୍ରସନ୍ନ କୁମାର ମହାସୂଆର, ବନଜ ମହାରଣା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମହେଶ୍ୱର ମହାପାତ୍ର, ରବୀନ୍ଦ୍ରନାଥ ପଣ୍ଡା ପ୍ରମୁଖ ଅଞ୍ଚଳବାସୀ ଦାବି କରିଛନ୍ତି।