ଶ୍ରୀଲିଙ୍ଗରାଜଙ୍କ ବିବାହ ଉତ୍ସବ: ଶ୍ୱଶୁରାଳୟ କେଦାରଗୌରୀ ମନ୍ଦିର ପକ୍ଷରୁ ପ୍ରସ୍ତୁତି

ପୁରୁଣା ଭୁବନେଶ୍ୱର,୬ା୬(ଡି.ଏନ.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ଶ୍ୱଶୁରାଳୟ କେଦାରଗୌରୀ ମନ୍ଦିର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶ୍ରୀଲିଙ୍ଗରାଜ ଏବଂ ମା’ ପାର୍ବତୀଙ୍କ ବିବାହ ଉତ୍ସବକୁ ଶୃଙ୍ଖଳିତ କରିବା, ଟ୍ରାଫିକ ନିୟନ୍ତ୍ରଣ, ବରଯାତ୍ରୀଙ୍କୁ ଆତିଥ୍ୟ, ଦେବଦମ୍ପତିଙ୍କ ରହଣୀ ବ୍ୟବସ୍ଥା, ବିବାହ କାର୍ଯ୍ୟ ସମ୍ପାଦନ ଭକ୍ତଙ୍କ ପାଇଁ ବ୍ୟଞ୍ଜନ ବ୍ୟବସ୍ଥା ସମ୍ପର୍କରେ ଗୁରୁତ୍ୱରୋପ କରାଯାଇଥିଲା। ମନ୍ଦିର ପରିସରରେ ଶ୍ରୀକେଦାରଗୌରୀ ଉନ୍ନୟନ କମିଟି ପକ୍ଷରୁ ଆୟୋଜିତ ପ୍ରସ୍ତୁତି ବୈଠକରେ ବିଭିନ୍ନ ପ୍ରସ୍ତାବମାନ ଗୃହୀତ କରାଯାଇଥିଲା। ଚଳିତବର୍ଷ ଦେବଦମ୍ପତି ବିବାହ ଶୋଭାଯାତ୍ରାରେ ଏଠାରେ ଆସି ପହଞ୍ଚତ୍ବା ପରେ ସହଳ ବିବାହ କାର୍ଯ୍ୟ ସମ୍ପାଦନ ଏବଂ ସହଳ ବିଦାୟ ଫେରନ୍ତା ଶୋଭାଯାତ୍ରା କରାଯିବାକୁ ସ୍ଥିର ହୋଇଥିଲା। ଯାହାଦ୍ୱାରା ହଜାର ହଜାର ଶ୍ରଦ୍ଧାଳୁ ଠାକୁରଙ୍କୁ ଦର୍ଶନ କରିବା ସହଜ ହେବ। ଜୁନ୍‌ ୬ ରେ ମଙ୍ଗଳକୃତ୍ୟ ୭ ତାରିଖରେ ବିବାହ ଉତ୍ସବ ୮ ତାରିଖ ଶୀତଳଷଷ୍ଠୀ ୩ ଦିନ ଧରି ମନ୍ଦିର ପରିସରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରାୟ ୧୦ ହଜାର ଭକ୍ତଙ୍କ ନିମନ୍ତେ ବ୍ୟଞ୍ଜନ ବ୍ୟବସ୍ଥା କରାଯିବା ନେଇ କମିଟି ସଭାପତି ନରେନ୍ଦ୍ର ମହାପାତ୍ର, ସମ୍ପାଦକ ଗୌରୀଶଙ୍କର ମହାପାତ୍ର ଓ କମିଟି ସଦସ୍ୟମାନେ ବୈଠକରେ ଉପସ୍ଥିତ ରହି କହିଥିଲେ।