‘ଶ୍ରୀଲଙ୍କା, ବାଂଲାଦେଶଠାରୁ ଜାଣିଶୁଣି ହାରିବ ଭାରତ’

କରାଚୀ,୨୮।୬(ପିଟି)- ପାକିସ୍ତାନ ଦଳକୁ ବିଶ୍ୱକପ୍‌ର ସେମିଫାଇନାଲ ଦୌଡ଼ରୁ ବିଦା କରିବା ଲାଗି ଭାରତୀୟ ଦଳ ଜାଣିଶୁଣି ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ବାଂଲାଦେଶ ଓ ଶ୍ରୀଲଙ୍କାଠାରୁ ପରାସ୍ତ ହେବ। ଏଭଳି ଅପମାନଜ୍ଜନକ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ପାକିସ୍ତାନ ବ୍ୟାଟ୍ସମ୍ୟାନ ବାସିତ୍‌ ଅଲି। ଏହି ପୂର୍ବତନ କ୍ରିକେଟର ୧୯୯୩ରୁ ୧୯୯୬ ମଧ୍ୟରେ ୧୯ ଟେଷ୍ଟ ଓ ୫୦ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରୁ ବୋଲି ଭାରତୀୟ ଦଳ କଦାପି ଚାହୁଁ ନାହିଁ। ସେମାନଙ୍କୁ ବାଂଲାଦେଶ ଓ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍‌ ଖେଳିବାର ଅଛି। ଆଫଗାନିସ୍ତାନ ବିପକ୍ଷରେ ଭାରତ କେଉଁ ଭଳି ଖେଳିଥିଲା, ତାହା ସଭିଙ୍କୁ ଜଣା ବୋଲି ବାସିତ୍‌ ଏକ ବୈଦ୍ୟୁତିକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି। ଅପରାଜେୟ ଭାରତୀୟ ଦଳ ଏପର୍ଯ୍ୟନ୍ତ ସେମିଫାଇନାଲରେ ସ୍ଥାନ ପାଇନାହିଁ। ୬ ମ୍ୟାଚ୍‌ରୁ ୧୧ ପଏଣ୍ଟ ହାସଲ କରିଛି। ବାଂଲାଦେଶ ଓ ଶ୍ରୀଲଙ୍କା ପୂର୍ବରୁ ବିରାଟ କୋହଲିଙ୍କ ଦଳ ରବିବାର ଇଂଲଣ୍ଡକୁ ଭେଟିବ। ସେ ଆହୁରି କହିଛନ୍ତି, ଭାରତ ଏପରି ଖେଳିବ ଯେଉଁଳି କୌଣସି ଦଳକୁ ଜଣାପଡ଼ିବ ନାହିଁ। ୧୯୯୨ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ଘରୋଇ ଗ୍ରାଉଣ୍ଡରେ ସେମିଫାଇନାଲ ଖେଳିବା ଲାଗି ଜାଣିଶୁଣି ବିଶ୍ୱକପ୍‌ର ଲିଗ୍‌ ପର୍ଯ୍ୟାୟରେ ପାକିସ୍ତାନଠାରୁ ପରାଜୟ ବରଣ କରିଥିଲା।

Share