ଶ୍ରୀମନ୍ଦିର ହୁଣ୍ଡିରେ ଲକ୍ଷେ ଟଙ୍କା ଟପିଲାନି, ସୁନା ରୁପା ଶୂନ

ପୁରୀ ଅଫିସ, ୧୭।୩: କରୋନାର ପ୍ରଭାବ କେବଳ ଲୋକଙ୍କ ଜୀବନ ଜୀବିକା ଉପରେ ନୁହେଁ, ଶ୍ରୀମନ୍ଦିର ହୁଣ୍ଡିରେ ବି ଏହା ଦେଖିବାକୁ ମିଳିଛି। ବିଶ୍ୱବ୍ୟାପୀ ଘାତକ ସାଜିଥିବା ଏହି ମାରାତ୍ମକ ଭୂତାଣୁର ମୁକାବିଲା ଲାଗି ରବିବାର ଶ୍ରୀମନ୍ଦିର ପାଇଁ କେତେକ କଟକଣା ଜାରି କରାଯାଇଥିଲା। ସୋମବାରଠାରୁ ଏହାକୁ ଲାଗୁ କରାଯାଇଛି। ଏହି କଟକଣା ପରେ ଶ୍ରୀମନ୍ଦିରକୁ ଦର୍ଶନାର୍ଥୀଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଛି। ଫଳରେ ସୋମବାର ହୁଣ୍ଡି ଅର୍ଥ ଲକ୍ଷେ ଟଙ୍କା ଟପି ନ ଥିବାବେଳେ ସୁନା, ରୁପା ଆଦୌ ବାହାରିନାହିଁ। ଶ୍ରୀମନ୍ଦିର ହୁଣ୍ଡି। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ ଏଥିରେ ଟଙ୍କା, ସୁନା, ରୁପା ଇତ୍ୟାଦି ପକାଇଥାନ୍ତି। କେହି କେହି ମାନସିକ କରି ହୁଣ୍ଡିରେ ବିଭିନ୍ନ ପ୍ରକାର ବସ୍ତ୍ର ମଧ୍ୟ ପକାଇଥାନ୍ତି। ଏହି ଦାନ ଅର୍ଥ ଏବଂ ସୁନା, ରୁପା ଅଳଙ୍କାର ଆଦି ପ୍ରତିଦିନ ସନ୍ଧ୍ୟାରେ ଗଣତି କରାଯାଇଥାଏ। ଶ୍ରୀମନ୍ଦିର ବେଢା ପରିସର ଶାଖା କାର୍ଯ୍ୟାଳୟରେ ଏହି ଗଣତି ହୁଏ। ପ୍ରତିଦିନ ହୁଣ୍ଡିରୁ କେତେ ଟଙ୍କା ମିଳେ ତାହାକୁ ଶ୍ରୀମନ୍ଦିର ପ୍ରଶାସନ ସର୍ବସାଧାରଣରେ ଅବଗତ କରାଇଥାଏ। ସାଧାରଣ ଦିନଗୁଡ଼ିକରେ ପ୍ରାୟ ୨ଲକ୍ଷରୁ ଊର୍ଦ୍ଧ୍ୱ ଏବଂ ସ୍ବତନ୍ତ୍ର ପର୍ବପର୍ବାଣି ଦିନରେ ୪/୫ଲକ୍ଷ ଟଙ୍କା ବାହାରେ। ସେହିପରି ପ୍ରତ୍ୟେକ ଦିନ କିଛି ପରିମାଣର ସୁନା, ରୁପା ମଧ୍ୟ ବାହାରିଥାଏ। ହେଲେ ସୋମବାର ହୁଣ୍ଡିରେ ଆଦୌ ସୁନା ଓ ରୁପା ପଡ଼ି ନ ଥିବାବେଳେ କେବଳ ୯୮ହଜାର ୮୭୨ ଟଙ୍କା ବାହାରିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କରୋନା କଟକଣା ଯୋଗୁ ସୋମବାର ଶ୍ରଦ୍ଧାଳୁଙ୍କ ସଂଖ୍ୟା କମିଥିବାରୁ ନୀତିକାନ୍ତି ଶୀଘ୍ର ହେବା ସହ ରାତ୍ର ପହୁଡ ସଅଳ ହୋଇଥିଲା।