ଶ୍ରୀମନ୍ଦିର ସୁରକ୍ଷା ଜୋନ: ଭଙ୍ଗା ହେଲା ତିନିମହଲା କୋଠା,ବୁଧବାର ଗଡ଼ନ୍ତି ଛକରେ ହେବ ଉଚ୍ଛେଦ

ପୁରୀ ଅଫିସ, ୧୭ା୧୨: ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚୌହଦୀରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ୭୫ ମିଟରେ ଭିତରେ ଥିବା ମଠ ଏବଂ ବ୍ୟକ୍ତିଗତ ଘର ଭଙ୍ଗା ଯାଉଛି। କିଛିଦିନ ଧରି ମଙ୍ଗୁମଠ ଏବଂ ସାନଛତା ମଠ ଉଚ୍ଛେଦ କରିବା ପରେ ଏବେ ଘରୋଇ କୋଠା ଭଙ୍ଗା ଚାଲିଛି। ଦୋଳବେଦି କୋଣରେ ଥିବା ତିନିମହଲା ବିଶିଷ୍ଟ ଏକ ବ୍ୟବସାୟିକ କୋଠାର ଉଚ୍ଛେଦ କାର୍ଯ୍ୟ ସୋମବାର ଶେଷ ହେବା ପରେ ମଙ୍ଗଳବାର ପୁଣି ଘରୋଇ କୋଠା ଭଙ୍ଗାଯାଇଛି। ଶ୍ରୀମନ୍ଦିର ଦକ୍ଷିଣ-ପଶ୍ଚିମ ପାର୍ଶ୍ୱ ଗାଣ୍ଡୁଆ ଚଉରା ଛକଠାରେ ଥିବା ଏକ ତିନିମହଲା ଘରୋଇ କୋଠାକୁ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶାଇ ଦିଆଯାଇଛି। ଏହି କୋଠାକୁ ଲଜ୍‌ ଭାବେ ବ୍ୟବହାର କରାଯାଉଥିଲା। ବୁଧବାର ଗଡ଼ନ୍ତ ଛକଠାରେ ଉଚ୍ଛେଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।