ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌: ଉଚ୍ଛେଦ ପ୍ରକ୍ରିୟା ଜାରି, ବାସେଳିସାହି ମୌଜାରେ ଭଙ୍ଗା ଯାଉଛି କୋଠା

ପୁରୀ ଅଫିସ,୧୯।୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ବୁଧବାର ଗଡ଼ନ୍ତି ଛକରେ ଥିବା ଦୁଇଟି ଲଜ୍‌ ଓ ଗୋଟିଏ ବ୍ୟକ୍ତିଗତ କୋଠା ଭଙ୍ଗା ଯାଇଥିବା ବେଳେ ଗୁରୁବାର ଶ୍ରୀମନ୍ଦିର ପଶ୍ଚିମ ପାର୍ଶ୍ୱସ୍ଥିତ ବାସେଳିସାହି ମୌଜାର ଏକ ତିନି ମହଲା କୋଠା ଉଚ୍ଛେଦ ଚାଲିଛି। ଦୀପକ ସାହୁଙ୍କ ଏହି କୋଠାକୁ ଦୁଇଟି ବୁଲ୍‌ଡୋଜର ସାହାର୍ଯ୍ୟରେ ଭଙ୍ଗା ଯାଉଛି। ୩ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ଦୁଇଜଣ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ଙ୍କ ସହ ଉପଜିଲାପାଳ ଭବତାରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଉଚ୍ଛେଦ ଜାରି ରହିଛି।

ପ୍ରକାଶଯୋଗ୍ୟ, ସୁରକ୍ଷା ଜୋନର ସୌନ୍ଦର୍ଯ୍ୟକରଣ କରାଯିବା ଲାଗି ଉଚ୍ଛେଦ ଅଭିଯାନ ଜାରି ରହିଛି। ଅପରପକ୍ଷେ ବିଭିନ୍ନ କାର୍ଯ୍ୟ ମଧ୍ୟ ଜାରି ରହିଛି। ନୂତନ ବ୍ୟାରିକେଡ ନିର୍ମାଣ ସହ ଭକ୍ତଙ୍କ ପାଇଁ ସ୍ଥାୟୀ ଜୋତା ଓ ମୋବାଇଲ ଷ୍ଟାଣ୍ଡ ବ୍ୟବସ୍ଥା କରାଯାଉଛି। ଏପରିକି ଭକ୍ତମାନେ ଯେପରି ସବୁଜ ବଳୟ ଦେଖିପାରିବେ ସେଥିଲାଗି ପ୍ରାୟ ଦେଢ଼ ହଜାର ଗଛକୁ ବିଭିନ୍ନ ସ୍ଥାନରେ ସଜାଇ ରଖାଯାଉଛି।