ଶ୍ରୀମନ୍ଦିର ମାଙ୍କଡ଼ଙ୍କୁ ଦିଆଗଲା ଖାଦ୍ୟ

ପୁରୀ ଅଫିସ, ୧୪ା୪: ପବିତ୍ର ହନୁମାନ ଜୟନ୍ତୀରେ ଶ୍ରୀମନ୍ଦିରରେ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ବଡ଼ଦେଉଳରେ ରହୁଥିବା ମାଙ୍କଡ଼ଙ୍କୁ କଦଳୀ, ବୁଟ, ବିସ୍କୁଟ ଆଦି ଖାଦ୍ୟ ଦିଆଯାଇଛି। କେବଳ ଏହି ଗୋଟିଏ ଦିନ ନୁହେଁ, ଆସନ୍ତା ୩୦ ତାରିଖ ଅର୍ଥାତ୍‌ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଶେଷ ପର୍ଯ୍ୟନ୍ତ ପ୍ରତ୍ୟହ ଶ୍ରୀମନ୍ଦିର ମାଙ୍କଡ଼ଙ୍କୁ ଖାଇବାକୁ ଦିଆଯିବ ବୋଲି ଭୁବନେଶ୍ୱରର ଆଧ୍ୟାତ୍ମିକ ବିଦ୍ୟାପୀଠ ପକ୍ଷରୁ ସୂଚନା ଦିଆଯାଇଛି।
ଏବେ କରୋନା ପାଇଁ ସବୁଆଡେ ଭିନ୍ନ ପରିସ୍ଥିତି। ବିଶେଷକରି ଖାଦ୍ୟ ପାଇଁ ପଶୁପକ୍ଷୀ ଡହଳବିକଳ ହେଉଛନ୍ତି। ଶ୍ରୀମନ୍ଦିର ମାଙ୍କଡ଼ଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି। କୋଇଲି ବୈକୁଣ୍ଠ ସମେତ ମନ୍ଦିର ବେଢା ପରିସର ବିଭିନ୍ନ ଗଛରେ ବହୁ ସଂଖ୍ୟକ ମାଙ୍କଡ଼ ରୁହନ୍ତି । ଭକ୍ତମାନେ ଏମାନଙ୍କୁ ଖାଇବାକୁ ଦେଇଥାନ୍ତି। ଆନନ୍ଦ ବଜାରରେ ପଡ଼ୁଥିବା ପତ୍ରରୁ ବି ଖାଦ୍ୟ ଖାଇଥାନ୍ତି ମାଙ୍କଡ଼। ଅନେକେ ମାନସିକ କରି ମାଙ୍କଡ଼ ପଲଙ୍କୁ ଖାଇବାକୁ ଦେଇଥାନ୍ତି। ତେବେ କରୋନା କଟକଣା ପାଇଁ ଜିଲା ପ୍ରଶାସନ ଗତ ୨୦ ତାରିଖରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରଖିଛି। କେବଳ ଠାକୁରଙ୍କ ସେବାପୂଜା ଚାଲିଛି। ବରାଦି ମହାପ୍ରସାଦ ପ୍ରସ୍ତୁତ ହେଉନାହିଁ। ଫଳରେ ମାଙ୍କଡ଼ମାନେ କିଛି ଖାଇବାକୁ ପାଉନାହାନ୍ତି।
ଏହାକୁ ଉପଲବ୍ଧି କରି ଆଧ୍ୟାତ୍ମିକ ବିଦ୍ୟାପୀଠ ପକ୍ଷରୁ ସୋମବାର ମାଙ୍କଡ଼ଙ୍କୁ ଖାଦ୍ୟ ପ୍ରଦାନ କରାଯାଇଛି। ଗୁରୁ ଦିବ୍ୟାନନ୍ଦ ଗିରିଙ୍କ ତତ୍ତ୍ବାବଧାନରେ ସଂଯୋଜକ ପରେଶ ନାୟକ, ସୌମେନ୍ଦ୍ର ଦାଶ, ରାକେଶ ପ୍ରଧାନଙ୍କ ସହଯୋଗରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟ ଚାଲିବ।