ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଗଲା ପତିତପାବନ ବାନା

ପୁରୀ ଅଫିସ ୧୫।୬: ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଯାଇଛି ପତିତପାବନ ବାନା। ସୋମବାର ସକାଳେ ପୁରୀରେ ଘଡ଼ଘଡ଼ି ସହ ପବନ ଓ ମୁଷଳ ଧାରାରେ ବର୍ଷା ହୋଇଥିଲା। ପ୍ରାୟ ୧ ଘଣ୍ଟା ଧରି ଘଡ଼ଘଡ଼ି ସହ ବର୍ଷା ପବନ ସମୟରେ ନୀଳଚକ୍ରରେ ବନ୍ଧାଯାଇଥିବା ବାଉଁଶ ସହ ବାନା କେଉଁଆଡ଼େ ଉଡ଼ିଯାଇଛି। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ନାନା ପ୍ରକାର ଚର୍ଚ୍ଚା ହେଉଛି। କେହି କେହି ଏହାକୁ ଅଶୁଭ ସଙ୍କେତ ବୋଲି କହୁଥିବା ବେଳେ ଆଉ କେହି ପ୍ରାୟ ୩ ମାସ ହେବ ଶ୍ରୀମନ୍ଦିରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିବାରୁ ଏଭଳି ଅଘଟଣା ଘଟିଲା ବୋଲି ଆଲୋଚନା କରୁଛନ୍ତି। ତେବେ ମୁଖ୍ୟ ବାନା ଉଡ଼ିଯାଇଥିଲେ ମଧ୍ୟ ନୀଳଚକ୍ରରେ ସଂଲଗ୍ନ ଅନ୍ୟ ଛୋଟ ବାନା ଥିବାରୁ ନୀତିକାନ୍ତିରେ କୌଣସି ପ୍ରଭାବ ପଡ଼ିବ ନାହିଁ। ପୁନଶ୍ଚ ମୁଖ୍ୟ ବାନା ବନ୍ଧାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।