ଶ୍ରୀମନ୍ଦିର ଟଙ୍କା ଫେରିବା ପ୍ରସଙ୍ଗ: ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ରାଜ୍ୟ ଭାଜପା

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ଶ୍ରୀମନ୍ଦିର ଜମା ଅର୍ଥକୁ ରାଜ୍ୟ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନ ରଖି ୟେସ୍‌ ବ୍ୟାଙ୍କ ଭଳି ଏକ ଘରୋଇ ବ୍ୟାଙ୍କରେ ରଖିଥିଲେ। ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ରହିଥିଲା। ୟେସ୍‌ ବ୍ୟାଙ୍କ ସ୍ଥିତି ଖରାପ ହେବା ପରେ ସେହି ଟଙ୍କା କିପରି ଫେରିବ ତାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଜୋର୍‌ ଧରିଥିଲା। ସେହି ଅର୍ଥ ଗୁରୁବାର ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଭାଜପା ରାଜ୍ୟ ନେତୃବୃନ୍ଦ ଧନ୍ୟବାଦ ଜଣାଇଛନ୍ତି। ୟେସ୍‌ ବ୍ୟାଙ୍କରୁ ଜଗନ୍ନାଥଙ୍କର ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ଜଗନ୍ନାଥ ମନ୍ଦିର କର୍ପସ ପାଣ୍ଠିର ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି। ଏହା କେବଳ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସମ୍ଭବ ହୋଇଛି ବୋଲି ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଜଗନ୍ନାଥଙ୍କ ଟଙ୍କା ଘରୋଇ ବ୍ୟାଙ୍କରେ କିପରି ରହିଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦରକାର। ପୂର୍ବରୁ ଶ୍ରୀମନ୍ଦିର ଟଙ୍କା ରାଜ୍ୟ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ରଖୁଥିଲେ। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ନିର୍ଦ୍ଦେଶନାମା ଏବଂ ମନ୍ଦିର ପରିଚାଳନା ଅଧିନିୟମକୁ ବେଖାତିର କରି କାହିଁକି ଘରୋଇ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ରଖାଗଲା ଏବଂ ଏଥିପାଇଁ କିଏ ଦାୟୀ ତାହା ତଦନ୍ତ ପରିସରଭୁକ୍ତ କରାଯାଉ। ଏହା ସହ ଓଡ଼ିଶା ସରକାରଙ୍କ ଓଏମ୍‌ସି, ବିଭିନ୍ନ ସମବାୟ ବ୍ୟାଙ୍କର ଅର୍ଥ ଏବଂ ଅନ୍ୟ ବିଭାଗଗୁଡିକର କୋଟି କୋଟି ଅର୍ଥ ୟେସ୍‌ ବ୍ୟାଙ୍କରେ ରଖାଯାଇଛି। କେଉଁ କେଉଁ ଅଫିସର ଏହି ଘରୋଇ ବ୍ୟାଙ୍କରେ ଟଙ୍କା ରଖିବା ଘଟଣାରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରି ସେମାନଙ୍କ ବିରୋଧରେ ଦୃଢ କାଯର୍‌ୟାନୁଷ୍ଠାନ ନିଆଯାଉ ବୋଲି ପୃଥ୍ବୀରାଜ ଦାବି କରିଛନ୍ତି।