ଶ୍ରୀମନ୍ଦିର କ୍ଷୟକ୍ଷତି ଅନୁଧ୍ୟାନ କଲେ ଧର୍ମେନ୍ଦ୍ର ପ୍ରଧାନ:ରଥଯାତ୍ରା ସୁଦ୍ଧା ଫେରିବ ସ୍ବାଭାବିକ ଅବସ୍ଥା

ପୁରୀ ଅଫିସ, ୧୯ା୫: ବାତ୍ୟାରେ ଶ୍ରୀମନ୍ଦିରରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ସ୍ଥାନୀୟ ଦଳୀୟ ନେତୃବୃନ୍ଦଙ୍କ ସହ ସିଂହଦ୍ୱାର ନିକଟରେ ପହଞ୍ଚତ୍ଥିଲେ। ଶ୍ରୀମନ୍ଦିର ସେବକ ମଧୁସୂଦନ ସିଂହାରୀ ପ୍ରମୁଖ ତାଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ ପୂର୍ବକ ସ୍ବାଗତ ଜଣାଇଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଭିତରକାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ବେଢା ପରିସର ବୁଲିଥିଲେ। ଦେବୀଦେବଙ୍କୁ ଦର୍ଶନ କରିସାରିବା ପରେ ଶ୍ରୀମନ୍ଦିରର କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ଏଏସ୍‌ଆଇ ଅଧିକାରୀଙ୍କ ସହ କ୍ଷୟକ୍ଷତି ନେଇ ଆଲୋଚନା କରିବା ସହ ମରାମତି କେମିତି ଚାଲିଛି ତାହା ବୁଝିଥିଲେ।
ପ୍ରାୟ ଦେଢ ଘଣ୍ଟା ମନ୍ଦିରରେ ବିତାଇବା ପରେ ବାହାରକୁ ଆସିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନ। ସିଂହଦ୍ୱାରଠାରେ ଗଣମାଧ୍ୟମକୁ କହିଥିଲେ ଯେ, ବାତ୍ୟାରେ ପୁରୀ ଅଞ୍ଚଳରେ ଅପୂରଣୀୟ କ୍ଷତି ହୋଇଛି। କିନ୍ତୁ ବାତ୍ୟା ଯେଉଁଭଳି ରୂପ ଧାରଣ କରିଥିଲା ସେଥିରେ ଯେତିକି କ୍ଷତି ହେବା କଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସେପରି କିଛି ହୋଇନି। ତଥାପି ଅନେକ କ୍ଷୟକ୍ଷତି ହୋଇଛି। ଜନଜୀବନ, ପ୍ରାଣୀ ସମ୍ପଦ ସହିତ ଗରିବ ଲୋକ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଶ୍ରୀମନ୍ଦିର ଭିତରେ ବି ଅନେକ କ୍ଷତି ଘଟିଛି। କଳ୍ପବଟ ବି ବାତ୍ୟାର ଶିକାର ହୋଇଛି। ବର୍ତ୍ତମାନ ଧୀରେ ଧୀରେ ସ୍ବାଭାବିକ ଅବସ୍ଥା ଫେରୁଥିବା ବେଳେ ଅନେକ କାମ ବାକି ରହିଛି। ଟେଲିଫୋନ, ବିଜୁଳି, ପିଇବା ପାଣି ସ୍ବାଭାବିକ ହେବାରେ ଲାଗିଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ରଥଯାତ୍ରା ସୁଦ୍ଧା ପୁରୀର ସ୍ବାଭାବିକ ଅବସ୍ଥା ଫେରିଆସିବ ବୋଲି କହିଥିଲେ ଧର୍ମେନ୍ଦ୍ର। କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ, ଶ୍ରୀମନ୍ଦିର କ୍ଷୟକ୍ଷତି ନେଇ ଏଏସ୍‌ଆଇ ଅଧିକାରୀଙ୍କ ସହ ଆଲୋଚନା କରିଛି। ପୂର୍ବରୁ ଏଏସ୍‌ଆଇ ଡିଜିଙ୍କ ସହ ମଧ୍ୟ ଆଲୋଚନା କରିଥିଲି। ଏଏସ୍‌ଆଇ ଯୁଦ୍ଧକାଳୀନଭିତ୍ତିରେ କାମ ଆରମ୍ଭ କରିଦେଇଛି। ଖୁବ୍‌ ଶିଘ୍ର ମନ୍ଦିରର ମରାମତି କାମ ସରିବ ବୋଲି ଏଏସ୍‌ଆଇ ଆଶ୍ୱାସନା ଦେଇଥିବା ଧର୍ମେନ୍ଦ୍ର କହିଥିଲେ।