ଶ୍ରୀମନ୍ଦିରରେ ସରିଲା ଦେବ ଦୀପାବଳି ଉତ୍ସବ

ପୁରୀ ଅଫିସ, ୨୭ା୧୧: ଶ୍ରୀମନ୍ଦିରରେ ଶେଷ ହୋଇଛି ଦେବ ଦୀପାବଳି ଉତ୍ସବ। ବୁଧବାର ମାର୍ଗଶିର ଶୁକ୍ଲ ପ୍ରତିପଦା ତିଥିରେ ବସୁଦେବ ଓ ଦେବକୀ, ନନ୍ଦ ଓ ଯଶୋଦା, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାଙ୍କୁ ଦୀପଦାନ କରିଛନ୍ତି ମହାପ୍ରଭୁ। ସନ୍ଧ୍ୟାଧୂପ ସରିବା ପରେ ଦେବ ଦୀପାବଳି ନୀତି ଆରମ୍ଭ ହୋଇଥିଲା। ସିଂହାସନ ତଳେ ପାଣି ପକାଯିବା ପରେ ଚାଉଳରେ ଗଛ ତିଆରି ହୋଇଥିଲା। ଏହାପରେ ଦକ୍ଷିଣଘରୁ ମଦନମୋହନ ଭିତର ସିଂହାସନକୁ ବିଜେ କରିଥିଲେ। ପ୍ରସାଦ ଲାଗି ପରେ ୩ ଜଣ ପୂଜାପଣ୍ଡା ଚାଉଳ ଗଛକୁ ସଂସ୍କାର କରି ପାଣି ଛଡ଼ାଇଥିଲେ। ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଆଜ୍ଞାମାଳ ପାଇ ଜୟ ବିଜୟ ଦ୍ୱାର ଭିତରପାଖେ ଠିଆ ହୋଇରହିଥିଲେ। ପାଳିଆ ପଢିଆରୀ ଜୟ ବିଜୟ ଦ୍ୱାର ଫିଟାଇ ଥିଲେ। ମହାଜନ ସେବକ ଠାକୁରଙ୍କୁ ଝୁଲଣମଣ୍ଡପ ତଳେ ଥିବା ବିମାନରେ ବିଜେ କରାଇଥିଲେ। ବିମାନବଡୁମାନେ ବିମାନକୁ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରାଇଥିଲେ। ସେଠାରେ କାଠ ଭଦ୍ରାସନ ଉପରେ ଠାକୁର ବସିବା ପରେ ଚାଉଳରେ ଗୋଟିଏ ଗଛ ତିଆରି କରାଯାଇ ଦୀପ ବସାଯାଇଥିଲା। ମୁଦିରସ୍ତ ପ୍ରସାଦ ଲାଗି କଲା ପରେ ପୂଜାପଣ୍ଡା ଗଛକୁ ସଂସ୍ଥାର କରି ପାଣି ଛଡ଼ାଇଥିଲେ। ବନ୍ଦାପନା ସରିବା ପରେ ଠାକୁର ବଡଦେଉଳକୁ ବିଜେ କରିଥିଲେ। ଏହି ଅବସରରେ ଠାକୁରଙ୍କ ଶ୍ରାଦ୍ଧ ବେଶ ହୋଇଥିଲା। ମହାପ୍ରଭୁ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ଦେବ ଦୀପାବଳି ନୀତି ମାର୍ଗଶିର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଏବଂ ଶୁକ୍ଲ ପ୍ରତିପଦା ତିନିଦିନ ଧରି ପାଳିତ ହୋଇଥାଏ। ଚତୁର୍ଦ୍ଦଶୀରେ ଠାକୁର ଅଦିତି ଓ କଶ୍ୟପଙ୍କୁ, ଅମାବାସ୍ୟାରେ କୌଶଲ୍ୟା ଓ ଦଶରଥଙ୍କୁ ଶ୍ରାଦ୍ଧ ଦେଇଥିବାବେଳେ ମାର୍ଗଶିର ଶୁକ୍ଳ ପ୍ରତିପଦା ଅର୍ଥାତ୍‌ ବୁଧବାର ନନ୍ଦ ଓ ଯଶୋଦା, ବସୁଦେବ ଓ ଦେବକୀ, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାଙ୍କୁ ଶ୍ରାଦ୍ଧ ଦେଇଛନ୍ତି।