ଶ୍ରୀମନ୍ଦିରରେ ଲୋକନାଥଙ୍କ ଅଶୋକାଷ୍ଟମୀ ନୀତି

ପୁରୀ ଅଫିସ,୨।୪: ପବିତ୍ର ଚୈତ୍ର ଶୁକ୍ଳପକ୍ଷ ଅଷ୍ଟମୀକୁ ଅଶୋକାଷ୍ଟମୀ କୁହାଯାଏ। ବୁଧବାର ଶ୍ରୀମନ୍ଦିରରେ ଶ୍ରୀଲୋକନାଥଙ୍କ ଅଶୋକାଷ୍ଟମୀ ନୀତି ପାଳିତ ହୋଇଯାଇଛି। ଶ୍ରୀଲୋକନାଥ ହେଉଛନ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ। ମହାପ୍ରଭୁଙ୍କ ଭଣ୍ଡାର ଗୃହରେ ଲୋକନାଥଙ୍କ ଚଳନ୍ତି ପ୍ରତିମା ପୂଜା ପାଇଥାନ୍ତି। ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ପରେ ଭଣ୍ଡାର ଘରୁ ଲୋକନାଥ ଦେବଙ୍କୁ ମହାଜନେ ହାତରେ ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ କରାଇଥିଲେ। ଏହାପରେ ଘଣ୍ଟ, ଛତା, କାହାଳୀ ସହିତ ବିମାନବଡୁମାନେ ଲୋକନାଥଙ୍କୁ ପାଲିଙ୍କିରେ ଈଶାନେଶ୍ୱରଙ୍କ ମନ୍ଦିରକୁ ନେଇଥିଲେ। ମହାଜନ ସେବକ ଲୋକନାଥଙ୍କୁ ପାଲିଙ୍କିରୁ ନେଇ ଈଶାନେଶ୍ୱର ମନ୍ଦିର ଭିତରେ ବିଜେ କରାଇଥିଲେ। ପାଳିଆ ଖୁଣ୍ଟିଆ ନେଇଥିବା ଗୋଟିଏ ମାଳକୁ ଭିତରଛ ମହାପାତ୍ର ଈଶାନେଶ୍ୱରଙ୍କୁ ପ୍ରଦାନ କରିଥିଲେ। ସେଠାରେ ନୀତି ସମ୍ପନ୍ନ ପରେ ଲୋକନାଥ ଦେବ ପାଲିଙ୍କିରେ ବିଜେ ହୋଇ ଜଗନ୍ନାଥ ବଲ୍ଲଭ ମଠକୁ ଯାଇଥିଲେ। ସେଠାରେ ଭୋଗ ବନ୍ଦାପନା ଏବଂ ଅଶୋକା କଳିକା ମଣୋହି ନୀତି କରାଯାଇଥିଲା। ଏହାପରେ ଲୋକନାଥ ଦେବ ଶ୍ରୀମନ୍ଦିର ଭଣ୍ଡାର ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।