ଶ୍ରୀମନ୍ଦିରରେ ଭକ୍ତଙ୍କଠାରୁ ଚୋରି, ୪ଗିରଫ

ପୁରୀ ଅଫିସ,୮।୭ : ଶ୍ରୀମନ୍ଦିରରେ ଭକ୍ତଙ୍କ ଠାରୁ ଚୋରି ଅଭିଯୋଗରେ ସିଂହଦ୍ୱାର ପୋଲିସ ରବିବାର ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବାଲେଶ୍ୱରର ସତ୍ୟାନନ୍ଦ ଲେଙ୍କା(୪୫), ନୟାଗଡର ଇଟାମାଟିର ଆଲୋକ କୁମାର ମଲ୍ଲିକ(୨୦), ପଶ୍ଚିମବଙ୍ଗ ଉତ୍ତର ଚବିଶ ପ୍ରଗଣାର ରାହୁଲ ସେନ୍‌(୨୨) ଓ ଦକ୍ଷିଣ ଚବିଶ ପ୍ରଗଣାର ରାଜୁ ହାଲଦାର(୨୯)। ଖୋର୍ଦ୍ଧା ଅଞ୍ଚଳର ବଳରାମ ଲେଙ୍କା ତାଙ୍କ ସ୍ତ୍ରୀଙ୍କ ସହିତ ଗତ ଜୁଳାଇ ୩ତାରିଖରେ ଶ୍ରୀମନ୍ଦିର ଦର୍ଶନ ସାରି ଫେରୁଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ବେକରୁ ସୁନାଚେନ ଲୁଟ୍‌ ହୋଇଥିବା ନେଇ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୋଲିସ ସତ୍ୟାନନ୍ଦ ଓ ଆଲୋକଙ୍କୁ ଗିରଫ କରିଛି। ସେହିପରି ଦଶପଲ୍ଳା ସାତପାଟଣା ଅଞ୍ଚଳର ପ୍ରମୋଦ ଚନ୍ଦ୍ର ପୃଷ୍ଟିଙ୍କ ସ୍ତ୍ରୀ ଗତ ବୁଧବାର ଶ୍ରୀମନ୍ଦିରରୁ ସୁନାଚେନ ଲୁଟ୍‌ ନେଇ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ପୋଲିସ ରାହୁଲ ଓ ରାଜୁଙ୍କୁ ଗିରଫ କରିଛି।