ଶ୍ରୀମନ୍ଦିରରେ ଦେବଦୀପାବଳି

ପଣ୍ଡିତ ରାମକୃଷ୍ଣ ମିଶ୍ର
ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀରୁ ଶୁକ୍ଳ ପ୍ରତିପଦ ଯାଏ ତିନିଦିନ ଦେବତାମାନଙ୍କର ଦୀପାବଳି ବା ଦୀପଦାନ ଉତ୍ସବ ପାଳିତ ହୁଏ। ଏହି ସମୟରେ ଓଡ଼ିଶାର ମନ୍ଦିରଗୁଡିକୁ ଆଲୋକମାଳାରେ ସଜାଯାଏ। ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରରେ ଏହା ବିଶେଷ ଭାବରେ ପାଳିତ ହୋଇଥାଏ। କିନ୍ତୁ ଶ୍ରୀମନ୍ଦିରରେ ଏହି ଦୀପାବଳି ଉତ୍ସବ ଶ୍ରୀଜଗନ୍ନାଥଙ୍କ ପିତୃଶ୍ରାଦ୍ଧ ପରମ୍ପରା ଭାବେ ଏକ ସ୍ବତନ୍ତ୍ର ନୀତିରେ ପାଳିତ ହୁଏ। ଶ୍ରୀଜୀଉମାନେ ତିନିଦିନ ଲୁଗା ଓ ଚାଦର ପରିଧାନ କରି ଶ୍ରାଦ୍ଧବେଶରେ ସଜ୍ଜିତ ହୋଇ ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି।
ତିନି ଠାକୁରଙ୍କ ଶ୍ରାଦ୍ଧ ସମୟର ବସ୍ତ୍ରକୁ କାଶୀଧଡ଼ିଆ ବସ୍ତ୍ର କୁହାଯାଏ। ଶ୍ରୀଜଗନ୍ନାଥଙ୍କର ଶ୍ୱେତ ପାଟବସ୍ତ୍ରର ଲମ୍ବ ୧୬-୧୮ ହାତ, ଚଉଡ଼ା ୫ ହାତ ଓ ଲାଲ ରଙ୍ଗ ଧଡ଼ିର ଓସାର ୧ଫୁଟ। ସେହିଭଳି ବଳଭଦ୍ରଙ୍କର ଶ୍ୱେତ ପାଟବସ୍ତ୍ରର ଲମ୍ବ ୧୪ ହାତ, ଚଉଡ଼ା ୪ ହାତ ଓ କଳାବର୍ଣ୍ଣ ଧଡ଼ିର ଓସାର ୧ ଫୁଟ। ଦେବୀ ସୁଭଦ୍ରାଙ୍କର ପାଟବସ୍ତ୍ରର ଲମ୍ବ ୧୨ ହାତ, ଚଉଡ଼ା ୩ ଫୁଟ ୬ ଇଞ୍ଚ ଓ ହଳଦିଆ ରଙ୍ଗ ଧଡ଼ିର ଓସାର ୧ ଫୁଟ। ଏସବୁ ବସ୍ତ୍ର ସହିତ ଶ୍ରୀଜୀଉମାନଙ୍କୁ ଚାଦରରେ ମଣ୍ଡନ କରାଯାଇ ଶିରରେ ଶ୍ରୀକପଡ଼ା ନାମକ ସ୍ବତନ୍ତ୍ର ବସ୍ତ୍ରରେ ଶୋଭିତ କରାଯାଏ। ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ଚିତ୍ତାକର୍ଷକ ଶ୍ରାଦ୍ଧବେଶରେ ସଜ୍ଜିତ କରିଥାନ୍ତି। ଏହି ବେଶରେ ଠାକୁରମାନେ ନଳିଭୁଜ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ତଡ଼ଗି, ହରିଡ଼ାମାଳି ଓ ଅଣ୍ଟାକମରପଟି ପ୍ରଭୃତି ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି।
ଶ୍ରୀମନ୍ଦିରରେ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀରେ ପ୍ରଭୁ ବାମନ ରୂପରେ ଦେବ ପିତାମାତା ସତ୍ୟଯୁଗର କଶ୍ୟପ ଋଷି ଓ ଅଦିତିଙ୍କ ପ୍ରତି ପିଣ୍ଡ ଓ ଦୀପୋତ୍ସର୍ଗ କରନ୍ତି। ଅମାବାସ୍ୟା ତିଥିରେ ପ୍ରଭୁ ଶ୍ରୀରାମଚନ୍ଦ୍ର ରୂପରେ ତ୍ରେତୟା ଯୁଗର ପିତା ଦଶରଥ ଓ କୌଶଲ୍ୟା ମାତାଙ୍କୁ ପିଣ୍ଡ ଓ ଦୀପଦାନ କରନ୍ତି। ମାର୍ଗଶିର ଶୁକ୍ଳ ପ୍ରତିପଦ ତିଥିରେ ପ୍ରଭୁ ଶ୍ରୀକୃଷ୍ଣ ରୂପରେ ଦ୍ୱାପର ଯୁଗର ପିତା ବସୁଦେବ ଓ ମାତା ଦେବକୀଙ୍କୁ ଏବଂ ନନ୍ଦ ଓ ଯଶୋଦାଙ୍କୁ ପିଣ୍ଡ ଓ ଦୀପଦାନ କରନ୍ତି।
ସୂର୍ଯ୍ୟବଂଶର ବିଷ୍ଣୁଭକ୍ତ ଗଜପତି ମହାରାଜା ଇନ୍ଦ୍ରଦ୍ୟୁମ୍ନ ବିଷ୍ଣୁଙ୍କ ଦର୍ଶନ ପାଇଁ କାମନା କରିଥିଲେ। ସେ ପାଞ୍ଚଶହ ବର୍ଷ ମଧ୍ୟରେ ପ୍ରଭୁଙ୍କ ଆଜ୍ଞାରେ ଏକହଜାର ଅଶ୍ୱମେଧ ଯଜ୍ଞ କରି ଶ୍ରୀନୀଳମାଧବଙ୍କୁ ଦାରୁରୂପେ ପ୍ରାପ୍ତ ହୋଇଥିଲେ। ପ୍ରଭୁଙ୍କ ଆଜ୍ଞାରେ ବାଙ୍କୀ ମୁହାଣଠାରେ ଭାସୁଥିବା ଦାରୁ ଆଣି ମୂର୍ତ୍ତି ଗଠନ କଲେ। ଗୁଣ୍ଡିଚା ମନ୍ଦିରରେ ବ୍ରହ୍ମାଙ୍କ ଆଜ୍ଞାରେ ଯଜ୍ଞ କରାଇଥିଲେ। ଏକହଜାର ହାତ ଉଚ୍ଚରେ ବଡଦେଉଳ କରାଇଥିଲେ ବୋଲି କିମ୍ବଦନ୍ତୀ ରହିଛି, ଯାହା କି ବର୍ତ୍ତମାନ ଲୁପ୍ତ। ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା ତିନିମୂର୍ତ୍ତି ସ୍ଥାପନ କରି ବ୍ରହ୍ମାଙ୍କ ଦ୍ୱାରା ପ୍ରତିଷ୍ଠା କରାଇଥିତ୍ଲେ। ପ୍ରଭୁ ଶ୍ରୀନୀଳମାଧବ ଆୟୁଧ ଶ୍ରୀସୁଦର୍ଶନଙ୍କ ସହିତ ଚତୁର୍ଦ୍ଧାମୂର୍ତ୍ତି ରୂପେ ପୂଜା ପାଇଲେ। ବରଦାନରେ ସେ ନିଜେ ବଂଶହୀନ ହେବା ପାଇଁ ପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ। ଯାହାଦ୍ୱାରା ପ୍ରଭୁଙ୍କ କୀର୍ତ୍ତି ପାଇଁ ତାଙ୍କ ପରେ କେହି ଅହଙ୍କାର କରିବେ ନାହିଁ। ତେଣୁ ଏହି ଦୀପାବଳିରେ ମାର୍ଗଶିର ଶୁକ୍ଳ ପ୍ରତିପଦ ତିଥିରେ ପ୍ରଭୁ ଶୁଭ୍ରବସ୍ତ୍ର ଓ ଚାଦର ପରିଧାନ କରି ପିତାମାତା ଭାବେ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କୁ ପିଣ୍ଡ ଓ ଦୀପଦାନ କରନ୍ତି।
ଏପରି ଭକ୍ତ ଓ ଭଗବାନଙ୍କ ସମ୍ପର୍କ ବିରଳ। ଏହି ଦିନମାନଙ୍କରେ ପ୍ରଭୁଙ୍କର ଶ୍ରାଦ୍ଧବେଶ ଓ ଶ୍ରୀମନ୍ଦିରର ଆଲୋକସଜ୍ଜା ଅତ୍ୟନ୍ତ ମନୋମୋହକର ହୋଇଥାଏ। ବିଧି ଅନୁସାରେ ଚୂନରା ସେବକ ମହାଦୀପ ଧରି ଶ୍ରୀମନ୍ଦିରକୁ ଦୀପରେ ସଜ୍ଜିତ କରିଥାନ୍ତି। ଶ୍ରୀମନ୍ଦିରର ଗୁମୁଟି, ରାଜନଅର ଓ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଆଲୋକମାଳାରେ ସଜାଯାଏ। ପିତୃଶ୍ରାଦ୍ଧ ଓ ଦୀପଦାନ ପରେ ଚୂନରା ସେବକ ଶ୍ରୀମନ୍ଦିରର ତିନିଦେଉଳ ଉପରେ ମହାଦୀପ ଜାଳି ଗଜପତିଙ୍କୁ ମହାପ୍ରଭୁଙ୍କ ଆଶୀର୍ବାଦ ଦିଅନ୍ତି।
ଚତୁର୍ଦ୍ଦଶୀ ଦିନ ସନ୍ଧ୍ୟାଧୂପ ଓ ଧୋପଖାଳ ପରେ ରତ୍ନସିଂହାସନ ତଳେ ଭଣ୍ଡାରମେକାପ ଚାଉଳରେ ଗୋଟିଏ ଗଛ ନିର୍ମାଣ କରନ୍ତି। ପାଳିଆ ମେକାପ ବଇଠାମାନଙ୍କରେ ଘୃତ ପୂର୍ଣ୍ଣକରି ଚାଉଳଗଛରେ ବତି ବସାନ୍ତି। ସମୁଦାୟ ୨୮ଟି ବତି ବସାଯାଏ। ତନ୍ମଧ୍ୟରୁ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିମନ୍ତେ ୯ଟି କରି ୧୮ ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିମନ୍ତେ ୧୦ଟି ଦୀପ ବସାଯାଇଥାଏ। ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକମାନେ ସିଂହାସନ ଉପରକୁ ଉଠି ତିନିବାଡ଼ରେ ବନ୍ଦାପନା କରନ୍ତି। ତା’ପରେ ତିନିଗୋଟି ମହାଦୀପରେ ବନ୍ଦାପନା କରାଯାଏ। ଅମାବାସ୍ୟା ଦିନ ଠିକ୍‌ ପୂର୍ବୋକ୍ତ ରୀତିରେ ନୀତି ପାଳିତ ହୋଇଥାଏ। କିନ୍ତୁ ପ୍ରତିପଦା ଦିନ ପାଣି ପଡ଼ି ଚାଉଳଗଛ ହେବା ପରେ ମଦନମୋହନ ଭିତର ସିଂହାସନକୁ ବିଜେ କରନ୍ତି। ଏଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ପିତୃଶ୍ରାଦ୍ଧ ପରମ୍ପରା ଏକ ଗୁପ୍ତସେବା ହୋଇଥିବାରୁ ସାଧାରଣ ଭକ୍ତଙ୍କ ଦର୍ଶନ ହୁଏନାହିଁ।
ଭିଏସ୍‌ଏସ୍‌ ନଗର, ମୋ-୮୮୯୫୦୪୪୪୫୫


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri