ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ: ରାଧାଦାମୋଦର ବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

ପୁରୀ ଅଫିସ, ୯ା୧୦: ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥି ଅର୍ଥାତ୍‌ ବୁଧବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ନୀତି। ରତ୍ନସିଂହାସନରେ ରାଧାଦାମୋଦର ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ଠାକୁରଙ୍କର ଏହି ମହାର୍ଘ ବେଶ କାର୍ତ୍ତିକ ମାସ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚୁକ ବେଶ କରାଯିବ। କାର୍ତ୍ତିକ ନୀତି ପାଇଁ ଭୋର ୪ଟାରେ ଦ୍ୱାରଫିଟା ଯିବାକୁ ନୀତି ସବ୍‌କମିଟି ବୈଠକରେ ସ୍ଥିର ହୋଇଥିଲା। କିନ୍ତୁ ପୂର୍ବ ରାତିରେ ପହୁଡ଼ ବିଳମ୍ବ ଯୋଗୁ କାର୍ତ୍ତିକ ନୀତିର ପ୍ରଥମ ଦିନରେ ଦେଢଘଣ୍ଟା ବିଳମ୍ବରେ ଅର୍ଥାତ୍‌ ଭୋର ୫ଟା ୩୫ରେ ଶ୍ରୀମନ୍ଦିରର ଦ୍ୱାର ଫିଟାଯାଇଥିଲା। ସକାଳ ୬ଟା ୧୦ରେ ଭିତର ଶୋଧ ହୋଇ ୬ଟା ୧୫ରେ ଠାକୁରଙ୍କ ମଙ୍ଗଳ ଆଳତି ହୋଇଥିଲା। ୭ଟା ୪୦ ସୁଦ୍ଧା ରୋଷହୋମ ଶେଷ ହେବା ପରେ ପୁଷ୍କାଳକ ସେବକମାନେ ମହାପ୍ରଭୁଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିଥିଲେ। ୮ଟା ୪୫ରେ ଏହି ବେଶ ସରିଥିଲା। ଏହାପରେ ଅନ୍ୟାନ୍ୟ ନୀତି ବଢି ପୂର୍ବାହ୍ନ ୧୧ଟା ୩୫ରେ ସକାଳ ଧୂପ ହୋଇ ମଧ୍ୟାହ୍ନ ୧୨ଟା ୪୦ରେ ବାଳଧୂପ ହୋଇଥିଲା। ମଧ୍ୟାହ୍ନ ୧୨ଟାରେ ଭୋଗ ମଣ୍ଡପ ଶେଷ ଲାଗି ଧାର୍ଯ୍ୟ ହୋଇଥିବାବେଳେ ଅପରାହ୍ନ ୨ଟା ୪୫ରେ ଭୋଗ ମଣ୍ଡପ ସରିଥିଲା। କାର୍ତ୍ତିକ ନୀତିର ପ୍ରଥମ ଦିନରୁ ଭକ୍ତମାନେ ବିଳମ୍ବରେ ମହାପ୍ରସାଦ ପାଇଥିଲେ।
ଅନ୍ୟପକ୍ଷରେ ମଙ୍ଗଳ ଆଳତି ସମୟରେ ଠେଲାପେଲା ହୋଇଥିଲା। ଜୟ ବିଜୟ ଦ୍ୱାର ଉପରେ ସେବାୟତ ପରିବାରର କେତେଜଣ ମହିଳା ଓ ବୃଦ୍ଧା ବସିଥିଲେ। ଆଳତି ସରିବା ପରେ ହଠାତ୍‌ ନାଟମଣ୍ଡପ ପଟୁ ଭକ୍ତମାନେ ଠେଲାପେଲା ହୋଇ ସେମାନଙ୍କ ଉପରକୁ ମାଡ଼ି ଯାଇଥିଲେ। ଏହାଦେଖି ସେଠାରେ ଉପସ୍ଥିତ ସୁବେଦାର ଯୋଗେଶ ଚନ୍ଦ୍ର ସ୍ବାଇଁ ଭିଡ଼ ଭିତରୁ ୩ଜଣ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ। ନଚେତ୍‌ ସେଠାରେ ବଡ଼ଧରଣର ଦୁର୍ଘଟଣା ଘଟିଥାନ୍ତା ବୋଲି ଭକ୍ତଙ୍କ ମହଲରେ ଚର୍ଚ୍ଚା ହୋଇଥିଲା।