ଶ୍ରୀମନ୍ଦିରରେ ଅକ୍ଷୟବଟ

କଳ୍ପବଟ ମଧ୍ୟ ଅକ୍ଷୟବଟ ନାମରେ ପରିଚିତ। କଳ୍ପ ହେଉଛି କଳ୍ପନା। ବଟ ହେଉଛି ବୃକ୍ଷ। ଋଷି ବଶିଷ୍ଠଙ୍କ କାମଧେନୁ ପରି ଭକ୍ତଙ୍କର ମନୋବାଞ୍ଛା ପୂର୍ଣ୍ଣ କରୁଥିବାରୁ ଏହାକୁ କଳ୍ପବଟ କୁହାଯାଏ। ‘କଳ୍ପବଟ ମୂଳେ ଯିଏ ବସିଛି, ସେ ଉପବାସ ରହିବ ନାହିଁ। ଏଣୁ ଭକ୍ତଟିଏ ଶ୍ରୀମନ୍ଦିର ଯିବା ବେଳେ କଳ୍ପବଟ ଡାଳରେ ଗୋଡିଟିଏ ବାନ୍ଧି ମାନସିକ କରେ। ପ୍ରବାଦ ଅଛି-ପୃଥିବୀ ଯେତେବେଳେ ପ୍ରଳୟ ପୟୋଧି ଜଳେ ବୁଡି ରହିଥିଲା, ସେତେବେଳେ ଏହି ବଟବୃକ୍ଷରେ ମହାପ୍ରଭୁ ଆଶ୍ରୟ ନେଇଥିଲେ। ଏଣୁ ବିଷ୍ଣୁଙ୍କର ସହସ୍ର ନାମ ମଧ୍ୟରୁ ଏହି ବଟବୃକ୍ଷ ଗୋଟିଏ ନାମ। ଏହି ବୃକ୍ଷମୂଳେ ବସି ଅନେକ ସାଧୁ ସିଦ୍ଧିପ୍ରାପ୍ତ ହୋଇଥିବା ଲୋକମୁଖରୁ ଶୁଣାଯାଏ। ଶ୍ରୀମନ୍ଦିର ବେଢ଼ା ଭିତରେ ରହିଛି ଏହି କଳ୍ପବଟ ବା ଅକ୍ଷୟବଟ।