Categories: ରାଜ୍ୟ

ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା ଅଫିସ,୧୮।୬: କେନ୍ଦ୍ରାପଡା ଜିଲା ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କୁ ସୋମବାର ସ୍ନାନ ମଣ୍ଡପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦର୍ଶନ କରିଛନ୍ତି। ଶ୍ରୀଜୀଉଙ୍କ ଦର୍ଶନ ପରେ ମନ୍ଦିରର ଉନ୍ନତୀକରଣ ପାଇଁ ସେ ୨ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଥିବା ପ୍ରକାଶ କରିଛନ୍ତି ା
ଅପରାହ୍ନ ୫ଟା୮ରେ ସହରର ଇଚ୍ଛାପୁରସ୍ଥିତ ମାଉସୀମା ମନ୍ଦିର ନିକଟରେ ସେ ହେଲିକପ୍ଟରରୁ ଓହ୍ଲାଇଥିଲେ। ସେଠାରୁ ମନ୍ଦିର ଯାଇ ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କ ଗଜବଦନ ବେଶ ଦର୍ଶନ କରିିଥିଲେ ା ପରେ ମନ୍ଦିର ବାହାରକୁ ଆସି ଗଣମାଧ୍ୟମକୁ ପ୍ରକାଶ କରି କହିଥିଲେ, ମନ୍ଦିର ମଧ୍ୟରେ ଥିବା ଝୁଲଣ ମଣ୍ଡପର ପୁନରୁଦ୍ଧାର, ସାନ୍ତସାହିଠାରେ ଶ୍ରୀ ବଳଦେବଜୀଉ କଲ୍ୟାଣମଣ୍ଡପ, ମନ୍ଦିରର ଉତ୍ତର ପାର୍ଶ୍ୱରେ ପ୍ରାଚୀର ନିର୍ମାଣ, ବିବାହ ମଣ୍ଡପ ନିକଟରେ ଶୌଚାଳୟ ନିର୍ମାଣ, ଗଭୀର ନଳକୂପ ଏବଂ ଓଭରହେଡ ଟ୍ୟାଙ୍କ ଜରିଆରେ ୨୪ ଘଣ୍ଟିଆ ଜଳ ଯୋଗାଣ ଆଦି ପ୍ରକଳ୍ପ କାର୍ଯ୍ୟ ହେବ ା ଏହାପରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଭୁବନେଶ୍ୱର ଫେରି ଯାଇଥିଲେ। ତାଙ୍କର ଏହି ଗସ୍ତ ସମୟରେ ଏମପି ଅନୁଭବ ମହାନ୍ତି, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବଚରଣ ସାହୁ, ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କ ସମେତ ବହୁ ବିଧାୟକ ଓ ମନ୍ତ୍ରୀ ସାମିଲ ହୋଇଥିଲେ ା ତାଙ୍କର ଏହି ଗସ୍ତ ସମୟରେ କେନ୍ଦ୍ରାପଡା, ପାଟକୁରା ଓ ମହାକାଳପଡାର ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିଲେ ା