ଶ୍ରୀକ୍ଷେତ୍ରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅବହେଳିତ

ପୁରୀ ଅଫିସ,୧୨।୧୦: ଶ୍ରୀକ୍ଷେତ୍ରର ବିକାଶ ଲାଗି ସରକାର ଗୁରୁତ୍ୱାରୋପ କରୁଛନ୍ତି। ଅନ୍ୟପଟେ ପୁରୀ ସହରରେ ଅବହେଳିତ ହୋଇପଡିଛନ୍ତି ମହାପୁରୁଷ। ଶ୍ରୀକ୍ଷେତ୍ରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। କେଉଁଠି ମୂର୍ତ୍ତି ଭାଙ୍ଗିଗଲାଣି ତ, ଆଉ କେଉଁଠି ପ୍ରତିମୂର୍ତ୍ତିରେ ଗଛଲତା ଉଠିଲାଣି। ପୋଲିସ ଲାଇନ ହାଇସ୍କୁଲ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ଅନବନା ଗଛଲତା ଉଠିଛି। ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିର ଫାଳେ ଉଡିଯାଇଛି। ମଧୁବାବୁଙ୍କ ପ୍ରତିମୂର୍ତିର ମୁଖ ଭାଙ୍ଗିଯାଇଛି। ହରିହର ଛକ ରହିଥିବା ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତରଣ ପରେ ଏହାକୁ ଏକ କୋଣରେ ସ୍ଥାପନା କରାଯାଇଛି। ପୌରସଦନଠାରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରୁ ପ୍ଲାଷ୍ଟର ଛାଡ଼ିଲାଣି। ଦିଗବାରୋଣୀ ଖୁଣ୍ଟି ନିକଟରେ ଥିବା ବିବେକାନନ୍ଦ ଏବଂ ବିଭିନ୍ନ ସ୍କୁଲ, ଶିକ୍ଷାନୁଷ୍ଠାନ ମାନଙ୍କରେ ରହିଥିବା ପ୍ରତିମୂର୍ତ୍ତି ଭାଙ୍ଗିରୁଜି ଗଲାଣି। ଗତ ଫନୀ ବାତ୍ୟାରେ ଷ୍ଟେଶନ ବଜାରଠାରେ ରହିଥିବା ପ୍ରଥମ ସ୍ବାଧିନତା ସଂଗ୍ରାମୀ ଜୟୀରାଜଗୁୁରୁଙ୍କ ଫାଇବର ମୂର୍ତ୍ତି ଭାଙ୍ଗିଯିବା ପରେ ଏହା ବର୍ତ୍ତମାନ ସଂସ୍କୃତିଭବନଠାରେ ପଡିଛି। କେବଳ ଜନ୍ମଜୟନ୍ତୀ ଏବଂ ଶ୍ରାଦ୍ଧବାର୍ଷିକୀ ଆସିଲେ, ଏହି ପ୍ରତିମୂର୍ତ୍ତି କଥା ମନେ ପଡେ। ତା ପରେ ୩୬୫ଦିନ ଅଳିଆ ଆର୍ବଜନା ମଧ୍ୟରେ ରହିଥାଏ। ଏ ସମ୍ପର୍କରେ ଜୟୀ ରାଜଗୁରୁ ସ୍ମୃତି ପରିଷଦ ସମ୍ପାଦକ ଶିବ ପ୍ରସାଦ ମିଶ୍ର କୁହନ୍ତି ଜୟୀରାଜଗୁରୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଲାଗି ଜିଲା ପ୍ରଶାସନ ଠାରୁ ସଂସ୍କୃତି ବିଭାଗ ପର୍ଯ୍ୟନ୍ତ ଅନୁରୋଧ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁଙ୍କୁ ପଚାରିବାରେ ପ୍ରତିମୂର୍ତ୍ତି ପୁନରୁଦ୍ଧାର ଲାଗି ବ୍ୟବସ୍ଥା କରାଯିବ ବୋଲି କହିଥିଲେ।