ଶ୍ରୀକପିଳେଶ୍ୱର ମନ୍ଦିର ନୀତିକାନ୍ତି ବିଭ୍ରାଟ ପ୍ରସଙ୍ଗ: ହାଇକୋର୍ଟ ରାୟ ଖୁଣ୍ଟିଆ ସେବାୟତଙ୍କ ସପକ୍ଷରେ

ପୁରୁଣା ଭୁବନେଶ୍ୱର, ୧୭।୧୦(ଡି.ଏନ.ଏ.): ଦୀର୍ଘଦିନ ଧରି ଶ୍ରୀକପିଳେଶ୍ୱର ମନ୍ଦିରରେ ୨ ପ୍ରମୁଖ ସେବାୟତ ଗୋଷ୍ଠୀ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ନିମନ୍ତେ ହାଇକୋର୍ଟ ଦେବୋତ୍ତର ଆୟୁକ୍ତଙ୍କୁ ଏହାର ସୁପରିଚାଳନା ଲାଗି ଆଦେଶ ଜାରି କରିଛନ୍ତି। ଏହି ମାମଲାର ରାୟ ଖୁଣ୍ଟିଆ ସେବାୟତଙ୍କ ସପକ୍ଷରେ ଯାଇଛି। ୧୯୭୫ରେ ଏକ ଦଓ୍ବୋନୀ ମାମଲାର ବିଚାର କରି ତତ୍‌କାଳୀନ ବିଚାରପତି ମଲିଆ ସେବାୟତଙ୍କୁ କପିଳେଶ୍ୱର ମହାଦେବଙ୍କ ରୋଷ ସେବାରୁ ବାରଣ କରିଥିଲେ। ଏହାପରେ ଖୁଣ୍ଟିଆ ସେବାୟତ ଏହି ରୋଷ ସେବା ସମେତ ମଙ୍ଗଳଆଳତି ଓ ଭୋଗ ଲାଗି କରିବା ଏକପ୍ରକାର ନିଶ୍ଚିତ ହୋଇଥିଲା। ୨୦୧୫ରେ ପୁନର୍ବାର ୨ ସେବାୟତ ଗୋଷ୍ଠୀ ମଧ୍ୟରେ ଏହି ବିବାଦ ଯୋଗୁ ୧/୨୦୧୭ ଦେବୋତ୍ତର କମିଶନର ଅନୁସନ୍ଧାନ କରି ୩୧ା୩ା୧୮ରେ ଉଭୟ ସେବାୟତ ଗୋଷ୍ଠୀଙ୍କୁ ପୂର୍ବ ଅଦାଲତ ରାୟ ଅନୁସାରେ ସେବା ପୂଜା କରିବାର ଆଦେଶ ଦେଇଥିଲେ। ଏହାପରେ ମଧ୍ୟ ମଲିଆ ସେବାୟତ ଖୁଣ୍ଟିଆ ସେବାୟତଙ୍କୁ ଏଥିରେ ବାଧା ଦେଇଥିଲେ। ଏଣୁ ଖୁଣ୍ଟିଆ ସେବାୟତଙ୍କ ପକ୍ଷରୁ ହାଇକୋର୍ଟ ଇଜିଲାସରେ ରିଟ୍‌ ମାଧ୍ୟମରେ ୨୦୧୮ ଓ ୨୦୧୯ରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ରିଟ୍‌ ଶୁଣାଣି କରି ଅଦାଲତ ଦେବୋତ୍ତର କମିଶନରଙ୍କୁ ୧୯୭୫ର ଆଦେଶ ଅନୁଯାୟୀ କପିଳେଶ୍ୱରଙ୍କ ସେବାପୂଜା କରିବାକୁ ଆଦେଶ ଦେଇଛନ୍ତି।