ଶ୍ରମିକ କାର୍ଡ ପାଇଁ ଟଙ୍କା ଆଦାୟ ଅଭିଯୋଗ

ଛତ୍ରପୁର,୬ା୯(ଡି.ଏନ.ଏ)- ଛତ୍ରପୁରସ୍ଥିତ ଶ୍ରମ କାର୍ଯ୍ୟାଳୟରୁ ଶ୍ରମିକ କାର୍ଡ ଓ ପଞ୍ଜୀକୃତ ଶ୍ରମିକଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ କେତେଜଣ ଦଲାଲ ସକ୍ରିୟ ହୋଇଛନ୍ତି। ଏଥିପାଇଁ ଦୈନିକ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅପ୍ରତିକର ପରିସ୍ଥିତି ସୃଷ୍ଟି ହେଉଛି। ଏପରିକି ଜିଲାପାଳଙ୍କ କାର୍ଯ୍ୟାଳୟ ଓ ଶ୍ରମିକ କାର୍ଯ୍ୟାଳୟ ଆଗରେ ଧାରଣା ମଧ୍ୟ ଦିଆଯାଉଛି। ଏସବୁ କାର୍ଯ୍ୟରେ କେତେକ ୟୁନିୟନର ନେତୃବର୍ଗ ସାମିଲ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଜିଲା ଶ୍ରମ ଅଧିକାରୀ ଦୁର୍ବ୍ୟବହାର କରୁଥିବା ଓ ଶ୍ରମିକମାରଣ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ, ଶିବସେନା ଶ୍ରମିକ ସଂଘ ଓ ଗଞ୍ଜାମ ଜିଲା ହରିଜନ କଲ୍ୟାଣ ସମିତି ପକ୍ଷରୁ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା। ଅତିିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ସହ ଏକ ପ୍ରତିନିଧିଦଳ ମିଶି ଏ ସମ୍ପର୍କରେ ଆଲୋଚନା କରିଥିଲେ। ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବାକୁ ଜିଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁଙ୍କୁ ଅତିରିକ୍ତ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଲାଶ୍ରମ କାର୍ଯ୍ୟାଳୟରେ ଶ୍ରମ ଅଧିକାରୀ ଉକ୍ତ ୟୁନିୟନଗୁଡିକର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଶ୍ରମିକ କାର୍ଡ ପାଇଁ ପଦକ୍ଷେପ ନିଆଯିବ ା ଦୁର୍ବ୍ୟବହାର ଅଭିଯୋଗ ମିଥ୍ୟା ବୋଲି ଜିଲା ଶ୍ରମ ଅଧିକାରୀ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ା ଅନ୍ୟପକ୍ଷରେ ଖଲ୍ଲିକୋଟ ବ୍ଲକ ଭିକାପଡା, କଇରାସି ଓ ଖୋଜାପଲ୍ଲୀ ଗାଁ ସମେତ ଛତ୍ରପୁର ବ୍ଲକ ବଡମାଧପୁର ପଞ୍ଚାୟତର କେତେଜଣ ଲୋକ ଆସି ଶ୍ରମିକ କାର୍ଡ ପାଇଁ ଗଞ୍ଜାମ ଅଞ୍ଚଳର ଜଣେ ଦଲାଲ ଟଙ୍କା ନେଇଥିବା ନେଇ ଜିଲା ଶ୍ରମ ଅଧିକାରୀଙ୍କ ନିକଟରେ ପୃଥକ ଭାବେ ଲିଖିତ ଅଭିଯୋଗ କରିଥିଲେ। ଏହାର ତଦନ୍ତ କରାଯିବ ଏବଂ ଏହା ପ୍ରମାଣିତ ହେଲେ ଏ ସମ୍ପର୍କରେ ଶ୍ରମ କମିଶନରଙ୍କୁ ଅବଗତ କରାଯିବ ବୋଲି ଯୋଗାଯୋଗ ବେଳେ ଜିଲା ଶ୍ରମ ଅଧିକାରୀ କହିଛନ୍ତି। ସବୁ ୟୁନିୟନର କର୍ମକର୍ତାଙ୍କୁ ଡାକି ଆଲୋଚନା କରାଯାଇ ଏହି ବ୍ୟବସ୍ଥା କିଭଳି ସରଳୀକରଣ ହେବ ସେ ସମ୍ପର୍କରେ ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି।