ଶ୍ରମିକଙ୍କୁ ଆଣ୍ଠେଇ ପୋଲିସ ବାଡ଼େଇବା ଅଭିଯୋଗ: ଭିଡ଼ିଓ ଭାଇରାଲ

ବନ୍ତଳା, ୩୧ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ସମ୍ମୁଖରେ ସୋମବାର ମଧ୍ୟାହ୍ନରେ ରାସ୍ତାରେ ଯାଉଥିବା କେତେଜଣ ଶ୍ରମିକଙ୍କୁ ଆଣ୍ଠେଇ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହି ସମୟର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜଣେ ପୋଲିସ କର୍ମଚାରୀ ଶ୍ରମିକଙ୍କୁ ଖରାରେ ଆଣ୍ଠେଇ ଏକ ବାଡ଼ିରେ ପିଟୁଥିବା ଦେଖିବାକୁ ମିଳିଛି । ଶ୍ରମିକମାନଙ୍କ ମଧ୍ୟରେ ଦୁଇଜଣ ମଧ୍ୟପ୍ରଦେଶର ଏବଂ ଅନ୍ୟମାନେ ସମ୍ବଲପୁରର ବୋଲି ଜଣାପଡିଛି। ସେମାନେ ଭୁବନେଶ୍ୱରରୁ ଚାଲିଚାଲି ସମ୍ବଲପୁର ଯାଉଥିବାବେଳେ ପୋଲିସ ସେମାନଙ୍କୁ ମାଡ଼ ମାରୁଥିବା ଦେଖାଯାଇଛି । ତେବେ ଭିଡ଼ିଓ ଭାଇରାଲ ହେବା ପରେ ଏସପି ସମ୍ପୃକ୍ତ କର୍ମଚାରୀଙ୍କୁ ରିଜର୍ଭକୁ ନେଇଯାଇଥିବା ଜଣାପଡିଛି ।ଏ ବିଷୟରେ ମହୀଧରପୁର ଫାଣ୍ଡି ଏଏସଆଇ ଅଶୋକ କୁମାର ତ୍ରିପାଠୀ କୁହନ୍ତି, ସେହି ସମୟରେ ତହସିଲଦାର, ଆରଆଇ ଏବଂ ସେ ନିଜେ ଏକ ଇଟାଭାଟିରେ ଶ୍ରମିକ କାମ କରୁଥିବା ତଦନ୍ତରେ ଯାଇଥିଲେ । ଏପରି ଘଟଣା ସମ୍ପର୍କରେ ସନ୍ଧ୍ୟାରେ ଖବର ମିଳିଲା। ଏସପିଙ୍କ ନିର୍ଦ୍ଦେଶ ଅନୁଯାୟୀ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ସାର୍ଟିଫିକେଟ ଦେଇ ରିଜର୍ଭକୁ ପଠାଯାଇଛି ।ତଦନ୍ତ ଜାରି ରହିଛି।