ଶୋଚନୀୟ ଅବସ୍ଥାରେ ହୋଟେଲ ଶିଳ୍ପ

ଢେଙ୍କାନାଳ ଅଫିସ, ୫।୬ – କରୋନାକୁ ନେଇ ବିଶ୍ୱ ଅର୍ଥନୀତି ଛାରଖାର ହୋଇଯାଇଥିବାବେଳେ ଏଥିରୁ ବାଦ୍‌ ପଡ଼ିନି ହୋଟେଲ ଶିଳ୍ପ। ପାଖାପାଖି ୨ମାସ ଧରି ହୋଟେଲ ବନ୍ଦ ରହିବା ପରେ ବ୍ୟବସାୟୀଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ନିକଟରେ ସରକାର କଟକଣା କୋହଳ କରିଥିବାବେଳେ ସକାଳ ୭ଟାରୁ ଅପରାହ୍ନ ୨ଟା ଯାଏ ହୋଟେଲ ଖୋଲିବାକୁ ଅନୁମତି ଦେଇଛନ୍ତି। ହେଲେ ନିର୍ଦ୍ଧାରିତ ସମୟ ସୀମାରେ ବ୍ୟବସାୟ କରିବା ସମ୍ଭବପର ହେଉନାହିଁ। ତେଣୁ ଏହି ସମସ୍ୟାର ସମାଧାନ ଲାଗି ଢେଙ୍କାନାଳର ହୋଟେଲ ବ୍ୟବସାୟୀ ସଂଘର କର୍ମକର୍ତ୍ତାମାନେ ଗୁରୁବାର ଜିଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି। ହୋଟେଲ ବ୍ୟବସାୟୀଙ୍କୁ ସହାୟତା ପ୍ରଦାନ ଏବଂ ହୋଟେଲ ଖୋଲିବା ଲାଗି ରହିଥିବା ସମୟସୀମାକୁ ଆହୁରି କୋହଳ କରିବାକୁ ଜ୍ଞାନେନ୍ଦ୍ର ବେହେରା, ଅଂଶୁମାନ ନାୟକ, ବିରୂପାନନ୍ଦ ବେହେରା, ଗଙ୍ଗାଧର ଶୁକ୍ଲ, ରବି ନାରାୟଣ ରାଉତ ପ୍ରମୁଖ ଦାବି କରିଛନ୍ତି। ଏ ନେଇ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, ସକାଳ ୭ଟାରୁ ଅପରାହ୍ନ ୨ଟା ଯାଏ ହୋଟେଲ ଖୋଲିବାକୁ ନିର୍ଦ୍ଦେଶନାମା ରହିଛି। ଗ୍ରାହକମାନେ ୭ଟାରୁ ୩ଟା ଯାଏ ପାର୍ସଲରେ ଖାଦ୍ୟ ନେଇପାରିବେ ବୋଲି ଅନୁମତି ରହିଛି। ନିର୍ଦ୍ଦେଶାନାମା ନ ଆସିବା ଯାଏ ଏଥିରେ କୋହଳ କରିବା ଅସମ୍ଭବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।