ଶେଷ ହେଲା ବିଧାନସଭା ଅଧିବେଶନ: ୫ ଦିନ ଆଗରୁ ସରିଲା

ଭୁବନେଶ୍ୱର,୪।୮(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଶନିବାର ଶେଷ ହୋଇଛି। ନିର୍ଦ୍ଧାରିତ ସମୟର ୫ ଦିନ ପୂର୍ବରୁ ଅଧିବେଶନକୁ ବନ୍ଦ କରି ଦିଆଯାଇଛି। ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୮ ତାରିଖ ଯାଏ ଚାଲିବାର ଥିଲା। ଏହାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜୁନ ୨୫ରୁ ଆରମ୍ଭ ହୋଇ ଜୁଲାଇ ୨ ତାରିଖରେ ଶେଷ ହୋଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଜୁଲାଇ ୧୨ରୁ ଆରମ୍ଭ ହୋଇ ଅଗଷ୍ଟ ୩ ତାରିଖ ଯାଏ ଚାଲିଥିଲା। ଏଥିରେ ମୋଟ ୨୫ଟି କାର୍ଯ୍ୟ ଦିବସ ରହିଥିଲା। ଅଧିବେଶନ କାଳରେ ୮ଟି ଶୋକ ପ୍ରସ୍ତାବ ଗୃହରେ ଆଗତ ହୋଇଥିବା ବେଳେ ୧୨ଟି ମୁଲତବୀ, ୩ଟି ଦୃଷ୍ଟି ଆକର୍ଷଣକାରୀ ପ୍ରସ୍ତାବ, ୨୯୯୪ ଅଣତାରକା ପ୍ରଶ୍ନ, ୧୪୮ଟି ପେପର, ୧୯ଟି ବାର୍ଷିକ ରିପୋର୍ଟ, ବିଭିନ୍ନ ବିଭାଗର ୪୩ଟି ରିପୋର୍ଟ ଗୃହରେ ଆଗତ କରାଯାଇଥିଲା। ଏହି ସମୟରେ ୧୯ଟି ଖର୍ଚ୍ଚଦାବି ଆଲୋଚନା ହୋଇଥିବା ବେଳେ ୫ଟି ବିଲ୍‌ ଗୃହର ଅନୁମୋଦନ ଲାଭ କରିଛି।
ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ୨୦୧୯-୨୦ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଗୃହରେ ଉପସ୍ଥାପନ କରାଯାଇଥିଲା। ଏଥିସହିତ ଉପବାଚସ୍ପତି ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଅଧିବେଶନର ଦ୍ୱିତୀୟ ଭାଗରେ ବ୍ୟୟମଞ୍ଜୁରୀ ବିଲ୍‌ ଓ ଅତିରିକ୍ତ ଖର୍ଚ୍ଚ ଅନୁଦାନ ମଧ୍ୟ ଗୃହର ଅନୁମୋଦନ ଲାଭ କରିଥିଲା। ଏଥିସହିତ ଶେଷ ଦିବସରେ ଦୁଇଟି ବିଲ୍‌ ବିଧାନସଭାର ଅନୁମୋଦନ ଲାଭ କରିଥିଲା। ଏହି ଲମ୍ବା ଅଧିବେଶନ ବେଶ୍‌ ସରଗରମ ହୋଇଥିଲା। ବିରୋଧୀ ଦଳ ଦୁଇଫାଳ ହୋଇ ସରକାରଙ୍କୁ ଆକ୍ରମଣ କରିଥିଲେ। ତେବେ ଉଭୟ କଂଗ୍ରେସ ଓ ଭାଜପା ଶାସକ ଦଳକୁ ଘେରିବା ପରିବର୍ତ୍ତେ ପରସ୍ପରକୁ ଆକ୍ରମଣ କରିବା ଘଟଣା ଅତ୍ୟନ୍ତ ରୋମାଞ୍ଚକର ହୋଇଥିଲା। ଚାଷୀ ଆତ୍ମହତ୍ୟା, ଜଳସେଚନ, ଶିକ୍ଷା, ମରୁଡି, ଆଇନ ଶୃଙ୍ଖଳା, ନାବାଳିକା ବଳାତ୍କାର ଆଦି ଘଟଣାକୁ ନେଇ ବିରୋଧୀ ସରକାରଙ୍କୁ ଅଡୁଆରେ ପକାଇଥିଲେ।