ଶେଷ ହେଲା ଘୋଷଯାତ୍ରା: ରତ୍ନବେଦିରେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ, ୪ା୭:ଶ୍ରୀମନ୍ଦିର ଇତିହାସରେ ନୂଆଫର୍ଦ୍ଦ ଯୋଡ଼ିିଥିବା ୨୦୨୦ ରଥଯାତ୍ରା ଶନିବାର ନୀଳାଦ୍ରିବିଜେରେ ପରିସମାପ୍ତି ଘଟିଛି। ବଡ଼ଦାଣ୍ଡ ଓ ଜନ୍ମବେଦିରେ ଲୀଳାଖେଳା ସାରି ରତ୍ନସିଂହାସନକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଦେବସ୍ନାନ ପୂର୍ଣ୍ଣିମାଠାରୁ ଶୂନ୍ୟ ପଡ଼ିଥିବା ରତ୍ନବେଦି କୋଳ ପୂର୍ଣ୍ଣ ହୋଇଛି। ରବିବାରଠାରୁ ବାହାରିବ ନୀଳାଚଳ ଅବଢ଼ା। ଶ୍ରଦ୍ଧାଳୁ ମହାପ୍ରସାଦ ପାଇବେ, କିନ୍ତୁ ଦାରୁଦିଅଁଙ୍କ ଦର୍ଶନ ମିଳିବ ନାହିଁ। ମହାମାରୀ କରୋନା ଯୋଗୁ ଜୁଲାଇ ୩୧ ପର୍ଯ୍ୟନ୍ତ ଧର୍ମପୀଠକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରହିଛି।

ଏଥର ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରଥଯାତ୍ରା, ବାହୁଡ଼ାରେ ଭକ୍ତ ବିନା ବଡ଼ଦାଣ୍ଡରେ ଗଡ଼ିଥିଲା ରଥ। ସୁନାବେଶ, ଅଧରପଣା, ନୀଳାଦ୍ରିବିଜେରେ ବି ସିଂହଦ୍ୱାର ଭକ୍ତଶୂନ୍ୟ ଥିଲା। ଶନିବାର ଚତୁର୍ଦ୍ଦଶୀ ତିଥିରେ ରତ୍ନସିଂହାସନକୁ ବିଜେ କରିଛନ୍ତି ଦାରୁବିଗ୍ରହ। ପ୍ରାତଃରେ ତିନିରଥରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି ହୋଇଥିଲା। ମଧ୍ୟାହ୍ନ ଧୂପ ପରେ ମଇଲମ ଓ ବେଶ ହୋଇ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ବଢିଥିଲା। କୋଠ ସୁଅଁାସିଆମାନେ ପ୍ରଥମେ ଠାକୁରଙ୍କ ବିଜେ ପାଇଁ ରତ୍ନସିଂହାସନ ଓ ତିନିରଥରେ ଚାରମାଳ ବାନ୍ଧିଥିଲେ। ବଡ଼ ଓଡ଼ିିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ବାମୀ ଶ୍ରୀମନ୍ଦିରରେ ରତ୍ନସିଂହାସନ ମାଜଣା କରିଥିଲେ। ମଠ ପକ୍ଷରୁ ରତ୍ନସିଂହାସନ ଉପରେ କନକମୁଣ୍ଡି ଚାନ୍ଦୁଆ ବନ୍ଧାଯାଇଥିଲା। ମଠ ପ୍ରଦତ୍ତ ପତିତପାବନ ବାନା ନୀଳଚକ୍ରରେ ଚୁନରାସେବକମାନେ ବାନ୍ଧିଥିଲେ। ଗଜପତି ମହାରାଜାଙ୍କ ପ୍ରତିନିଧି ମୁଦିରସ୍ତ ସେବକ ଅପରାହ୍ନ ୪ଟା ୨୫ରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ପରେ ବାଜିଥିଲା ବିଜେ କାହାଳୀ। ଏହାପରେ ଡୋର ଲାଗିହୋଇ ୪ଟା ୩୫ରେ ପହଣ୍ଡି ଆରମ୍ଭ ହୋଇଥିଲା। ନନ୍ଦିଘୋଷ ରଥରୁ ମଦନମୋହନ ଏବଂ ତାଳଧ୍ୱଜ ରଥରୁ ରାମ, କୃଷ୍ଣଙ୍କୁ ମହାଜନ ସେବକମାନେ ହାତରେ ଦକ୍ଷିଣୀଘରକୁ ବିଜେ କରାଇଥିଲେ। ଏହାପରେ ଗୋଟି ପହଣ୍ଡିରେ ରଥରୁ ନୀଳକନ୍ଦର ଅଭିମୁଖେ ବାହାରିଥିଲେ ଚତୁର୍ଦ୍ଧାମୂର୍ତ୍ତି।