ଶେଷହୀନ ସାମନ୍ତବାଦ

ଅଧ୍ୟାପକ ନିରଞ୍ଜନ ପାଢ଼ୀ

ଆମ ଗଣତନ୍ତ୍ରର ବୟସ ପଞ୍ଚସ୍ତରି ପୂରି ଛଅସ୍ତରି ଚାଲିଲାଣି। ଏହା ପୂର୍ବର ରାଜତନ୍ତ୍ରକୁ ପ୍ରତ୍ୟକ୍ଷ କରିଥିବା ଲୋକମାନେ ପ୍ରାୟତଃ ମରିହଜି ଗଲେଣି। ତେବେ ପ୍ରତ୍ୟକ୍ଷ ନ ହେଲେ ବି ପରୋକ୍ଷ ଭାବେ ରାଜତନ୍ତ୍ର ସମ୍ପର୍କରେ ଯେଉଁ ସର୍ବନିମ୍ନ ଜ୍ଞାନ ଧାରଣା ଏବେକାର ଗଣତନ୍ତ୍ରର ନାଗରିକମାନଙ୍କ ପାଇଁ ଉପଲବ୍ଧ, ତାହା ହେଉଛି ରାଜତନ୍ତ୍ରରେ ସାମନ୍ତବାଦର ଉତ୍କଟ ପ୍ରଭାବ। ଗଣତନ୍ତ୍ରରେ ଦାୟିତ୍ୱ, କର୍ତ୍ତବ୍ୟ ଓ ଅଧିକାରର ଧାରା ସମସ୍ତଙ୍କ ପାଇଁ ସମାନ, ସେମିତି ଦୋଷ ପାଇଁ ଦଣ୍ଡ ମଧ୍ୟ ସଭିଙ୍କ ପାଇଁ ସମତୁଲ। ମାତ୍ର ପ୍ରକୃତପକ୍ଷେ ଏମିତି ହୁଏ କି? ସାଧାରଣ ଜୀବନରେ ସାଧାରଣ ଲୋକଟିଏ ନିତିଦିନ ପ୍ରତ୍ୟକ୍ଷ କରୁଥିବା ବିପୁଳ ବୈଷମ୍ୟ ହିଁ ଉଗ୍ର ସାମନ୍ତବାଦର ପ୍ରତ୍ୟକ୍ଷ ପ୍ରମାଣ, ଗଣତନ୍ତ୍ରର ବଳିଷ୍ଠ ବିଲକ୍ଷଣ!
ଗଣତନ୍ତ୍ରରେ ସଭିଏଁ ସମାନ ବୋଲି ଯେତେ ଉଚ୍ଚ ସ୍ବରରେ ଘୋଷଣା କଲେ ବି ଏଠି ସାମନ୍ତମାନେ ସବୁବେଳେ ଅନ୍ୟ ସାଧାରଣମାନଙ୍କଠୁଁ ଅଧିକ ସମାନ। ସାଧାରଣ ନାଗରିକଙ୍କ ପାଇଁ ଯାହାର ସ୍ବପ୍ନ ମଧ୍ୟ ସୁଲଭ ନୁହେଁ, ତାହା ପ୍ରାପ୍ତ ହୋଇଥାଏ କେବଳ ସାମନ୍ତମାନଙ୍କୁ। ଏମାନେ ବିଭିନ୍ନ ପ୍ରକାର ରାଜକୀୟ ଯାନରେ ବିଚରଣ କରନ୍ତି, ଗସ୍ତରେ ଯିବାବେଳେ ଅତିଥିଶାଳାରେ ଚିଙ୍ଗୁଡ଼ି, ଚିକେନ ଓ କାଜୁ କଫି ସହ ମଣୋହି କରନ୍ତି ଓ ନିଜ ନିଜର ଦୁଃଖ ଜଣାଇବାକୁ ଆସିଥିବା ସାଧାରଣ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରାଇ ନିଜ ସମ୍ଭ୍ରାନ୍ତପଣର ପରିଚୟ ଦିଅନ୍ତି। ସାଧାରଣ ଲୋକଙ୍କଠୁଁ ଦୂରେଇ ରହିବାକୁ ଏମାନଙ୍କ ପ୍ରବଣତା ଏତେ ପ୍ରଖର ଥାଏ ଯେ, ଏମାନଙ୍କ ଦେହରେ କାହା ଦେହ ଲାଗିଯିବାକୁ ଏହି ସାମନ୍ତମାନେ ସ୍ପର୍ଦ୍ଧା ଭାବେ ବିବେଚନା କରନ୍ତି। ଗୋଟିଏ ଜ୍ଞାନ ପରୀକ୍ଷାରେ ସଫଳ ହୋଇଗଲେ, ବାକି ଜୀବନ ଏମାନେ ହାକିମ୍‌ ବା ସାମନ୍ତ ବୋଲାନ୍ତି। ଏମାନେ ଦୌଡ଼ିଲେ ପ୍ରଶାସନ ନାଡ଼ିର ସ୍ପନ୍ଦନ ତୀବ୍ରତର ହୁଏ। ଏମାନଙ୍କ ଗାଡ଼ିର ଗତି ଧିମେଇ ଗଲେ ଶାସନର ଗତି ଶିଥିଳ ହୋଇଯାଏ। ଏମାନେ ଅନନ୍ୟ, ଅସାଧାରଣ। ଗଣତନ୍ତ୍ରର ଦର୍ପଣ ଦେହରେ ସାମନ୍ତବାଦର ସର୍ବଶେଷ ପ୍ରତିଫଳନ!!
ରାଜଧାନୀର ଜଣେ ଉପରିସ୍ଥ ଅଧିପତି ତାଙ୍କ ଅଧସ୍ତନ ଅର୍ଦ୍ଦଳିଙ୍କ ଉପରେ ଅସନ୍ତୁଷ୍ଟ ହୋଇ କ୍ରୋଧରେ ଗର୍ଜନ କରୁଥିଲେ, ”ତୋତେ ଚାକିରି ପିତା ଲାଗିଲାଣି କି? ତହିଁରେ କାମରେ ଏମିତି ହେଳା କଲେ ସିଧା ଘରକୁ ପଠାଇଦେବି।“ ଅତ୍ୟନ୍ତ କାକୁସ୍ଥ ଭାବେ ନିର୍ବାକ ହୋଇ ଛିଡ଼ା ହୋଇଥିଲା ଅର୍ଦ୍ଦଳିଟି। ସବୁ ଗାଳି ଓ ଅପମାନକୁ ଝାଡ଼ିଝୁଡ଼ି ସେ ପୁଣି କାମରେ ଲାଗିପଡ଼ିଲା। କାମ ବୋଇଲେ ନିହାତି ଘରୋଇ କାମ, ଯାହା ଉପରେ କେବେ ସରକାରୀ ମୋହର ଲାଗେନା। ବାବୁଙ୍କ ପରିବାର ପାଇଁ ରୋଷେଇ କରିବା, ବଜାରରୁ ସଉଦା ଆଣିବା, ବାବୁ ବାବୁଆଣୀଙ୍କ ଲୁଗାପଟା ସଫା କରିବା, ସେମାନଙ୍କ ଜୋତା ବ୍ରଶ୍‌ କରିବା ଇତ୍ୟାଦି। ବେଠି ଖଟୁଥିବା ଜଣେ ବାଧ୍ୟ କିଙ୍କର ପରି ଏସବୁ ଘରୋଇ କାମ କରୁଥିବା ମଧ୍ୟବୟସ୍କ ଲୋକଟି ସରକାରୀ ତହବିଲରୁ ଦରମା ପାଉଥିବା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଯାହାଙ୍କ ପରିବାର ପାଇଁ ତାଙ୍କର ଏହି ସେବା ସମର୍ପିତ, ସେ ମଧ୍ୟ ସେଇ ଏକା କୋଷାଗାରରୁ ଦରମା ପାଉଥିବା ଜଣେ ଉଚ୍ଚପଦସ୍ଥ ହାକିମ। ଦୁଇଜଣଙ୍କ ନିଯୁକ୍ତିଦାତା ଓ ବେତନ ପ୍ରଦାନକାରୀ ସମାନ, ଅଥଚ ଦୁହିଁଙ୍କ କର୍ମସଂସ୍କୃତିରେ କି ଦୁର୍ଲଂଘ୍ୟ ଦୂରତା! ଜଣେ ଘରର ଘରୋଇ ଚାକରଙ୍କ ପରି ମାଲିକ ଓ ମାଲିକାଣୀଙ୍କ ମର୍ଜି ଅନୁଯାୟୀ କାର୍ଯ୍ୟ କରୁଥିବା ଜଣେ ପଛଧାଡ଼ିର ଚତୁର୍ଥ ଶ୍ରେଣୀ ସରକାରୀ କିଙ୍କର ତ ଅନ୍ୟ ଜଣେ ସରକାରୀ ଅର୍ଥରେ କିଣା ଯାଉଥିବା ବିପୁଳ ଶ୍ରମଶକ୍ତିକୁ ବ୍ୟକ୍ତିଗତ ସେବାରେ ନିୟୋଜିତ କରୁଥିବା ସାମନ୍ତ!!
ଏଇ ସାମନ୍ତମାନଙ୍କୁ ସରକାରୀ ଖର୍ଚ୍ଚ କେବଳ ଯେ ଘରୋଇ ସେବାକାରୀ ଉପଲବ୍ଧ ହୁଅନ୍ତି, ତାହା ନୁହେଁ; ବାବୁ ଅଫିସରେ ପହଞ୍ଚିଲା ମାତ୍ରେ ତାଙ୍କ କାର୍‌ର ଦରଜା ଖୋଲି ଦେବାକୁ ସାବଧାନ ମୁଦ୍ରାରେ ଛିଡ଼ାହୋଇ ରହିଥାନ୍ତି ଆଉ ଜଣେ ସରକାରୀ ସେବକ । କେବଳ ସାମନ୍ତ ନୁହନ୍ତି, ସରକାରୀ ଯାନରେ ବସି ବନ୍ଧୁବାନ୍ଧବଙ୍କ ଘରକୁ, ବଜାର କରିବାକୁ ଅବା ବିବାହ ଭୋଜି ଖାଇବାକୁ ଯାଉଥିବା ସାମନ୍ତଙ୍କ ପନତ୍ୀଙ୍କ ପାଇଁ କାରର ଡ୍ରାଇଭର ଯେମିତି ଦୌଡ଼ି ଆସି ଗାଡ଼ିର ଦରଜା ଖୋଲିଦିଅନ୍ତି ତାହା ଦେଖିଲେ ମନେହୁଏ ସାମନ୍ତବାଦର ଏହି ସଂଜୀବିତ ସଂସ୍କରଣ ମଧ୍ୟରେ ଆତଯାତ ହେଉଥିବା ସମ୍ଭ୍ରାନ୍ତ ପତି ଜଣକ ସେକାଳର ରାଜା ମହାରାଜାଙ୍କଠାରୁ କିଛି କମ୍‌ ନୁହେଁ!
ଅଳ୍ପଦିନ ତଳେ ଆମ ରାଜ୍ୟର ଏକ ପ୍ରମୁଖ ଜିଲାର ଜିଲାପାଳଙ୍କ ବିରୋଧରେ ତାଙ୍କ ବାସଭବନରେ ନିୟୋଜିତ ଜଣେ ସରକାରୀ କର୍ମଚାରୀ ଗଣମାଧ୍ୟମରେ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ। ପୁଣି ପୋଲିସ ଟ୍ରେନିଂ କଲେଜର ମୁଖ୍ୟ ପଦରେ ନିୟୋଜିତ ଜଣେ ବରିଷ୍ଠ ପୋଲିସ ପ୍ରଶାସକଙ୍କ ପନତ୍ୀଙ୍କ ଦ୍ୱାରା ନିର୍ଯାତିତ ହୋଇ ଆମତ୍ହତ୍ୟା ଭଳି ଏକ ଚରମ ପଦକ୍ଷେପ ନେଇ ବଞ୍ଚି ଯାଇଥିବା ଜଣେ ମହିଳା ହୋମଗାର୍ଡଙ୍କ କରୁଣ କାହାଣୀ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ମାତ୍ର ଗଣମାନଙ୍କର ଶାସନ କୁହାଯାଉଥିବା ଗଣତନ୍ତ୍ରରେ ପରମ ଯତ୍ନରେ ଲାଳିତ ହେଉଥିବା ସାମନ୍ତବାଦର ଅଖଣ୍ଡ ପ୍ରଭାବରେ ଏହି ଦୁଇଟି ଅଭିଯୋଗ ମହାଶୂନ୍ୟରେ ମିଳାଇ ଯାଇଥିଲା।
ତେବେ ଏଇ ଦୁଇଟି ଘଟଣା ସାମନ୍ତବାଦୀ ଶାସନର ଶେଷ ଘଟଣା ନୁହେଁ କି କଥିତ ଦୁଇଜଣ ହାକିମ ଶେଷ ସାମନ୍ତ ନୁହନ୍ତି। କାଳର ପ୍ରବାହ ମଧ୍ୟରେ ଏମିତି ବହୁ ଦୃଷ୍ଟାନ୍ତ ଦୃଶ୍ୟ ଅବା ଅଦୃଶ୍ୟ ଭାବେ ଗଡ଼ିଗଡ଼ି ଚାଲିଛି। ସାମନ୍ତବାଦର ନଗ୍ନ ନାୟକମାନଙ୍କ ଅମାନବିକ ଆଚରଣ ଗଣମାଧ୍ୟମର ଦୃଷ୍ଟି ଅନ୍ତରାଳରେ ଅପ୍ରକଟିତ ହୋଇ ରହିଯାଇଛି। ମଣିଷପଣିଆର ଅବକ୍ଷୟ ମଧ୍ୟରେ ଗୋଟିଏ ନିର୍ଦ୍ଦିଷ୍ଟ ବିଭାଗର ନିର୍ଦ୍ଦେଶକଙ୍କ ଡ୍ରାଇଭରଙ୍କଠୁ ଶୁଣିବାକୁ ମିଳିଥିଲା ଏକ ବିଚିତ୍ର ଘଟଣା। ପ୍ରବଳ ଥଣ୍ଡା ସର୍ଦ୍ଦିରେ ଆକ୍ରାନ୍ତ ଡ୍ରାଇଭର ଜଣକ ତା’ ସାହେବଙ୍କୁ ବସାଇ ନେଉଥିଲା ବେଳେ ଦୁଇ ତିନିଥର କାଶି ଉଠିଲା। କାଳେ ତା’ କାଶ ସାହେବଙ୍କୁ ସଂକ୍ରମିତ କରିଯିବ। ଏଇ ଆଶଙ୍କାରେ ତାକୁ ବଦଳାଇ ଦିଆଗଲା ଓ ତା’ ସ୍ଥାନରେ ଆଉ ଜଣଙ୍କୁ ନିୟୋଜିତ କରାଗଲା। ଏ ସଂସାରରେ ସେ ସାମନ୍ତ ହୁଅନ୍ତୁ ତ ସେବକ, କେହି ବି ସ୍ବାସ୍ଥ୍ୟ ସଂକଟରୁ ମୁକ୍ତ ନୁହନ୍ତି। ଡ୍ରାଇଭରଟି ବୋଲି ସିନା ସରକାରୀ କାର୍ଯ୍ୟ ସମ୍ପାଦନ ବେଳେ କାଶିବା ପାଇଁ ତା’ର ସ୍ବାଧୀନତା ସଙ୍କୁଚିତ। କାଲି ଯଦି ସେଇ ନିର୍ଦ୍ଦେଶକଙ୍କୁ କାଶ ହୁଏ ଓ ସେଥିପାଇଁ ତାଙ୍କୁ ଗାଡ଼ିରେ ନେବା ଲାଗି କୌଣସି ଡ୍ରାଇଭର ରାଜି ନ ହୁଅନ୍ତି, ତେବେ କେମିତି ହୁଅନ୍ତା ତାଙ୍କର ଅନୁଭବ? କେଉଁଠି ରହନ୍ତା ତାଙ୍କ ସାମନ୍ତପଣ?
ସାମନ୍ତ ଓ ସେବକଙ୍କ ମଧ୍ୟରେ ଥିବା ସ୍ବର୍ଗ ମର୍ତ୍ତ୍ୟର ଅନତିକ୍ରମଣୀୟ ଦୂରତା ଭିତର ଦେଇ ଆମ ବ୍ୟବସ୍ଥାରେ ଛାଇଯାଇଛି ଅସମାନତାର କଳା ଅନ୍ଧକାର। ତଥାପି ଏହି ଅନ୍ଧକାରର ଆଢୁଆଳରେ ଯେଉଁ ସୂକ୍ଷ୍ମ ଆଲୋକ ରେଖାଟି ସଚରାଚର ଦୃଷ୍ଟିଗୋଚର ହୁଏ, ତାହା ହେଉଛି ମାନବିକତାର ଆଲୋକ ଉଦାର ମଣିଷପଣିଆର ଔଜ୍ୱଲ୍ୟ। ମଣିଷପଣିଆର ଏହି ଉଜ୍ଜ୍ୱଳ ଆଲୋକକୁ ଅସ୍ବୀକାର କରି ଯେଉଁ ହାକିମମାନେ ନିଜ ନିଜକୁ ସାମନ୍ତ ମନେକରନ୍ତି ଓ ଅହମିକା ପ୍ରଦର୍ଶନ କରି ନିଜ ଅଧସ୍ତନ ସେବକମାନଙ୍କୁ ହେୟଜ୍ଞାନ କରନ୍ତି, ସେମାନଙ୍କୁ ସାମନ୍ତ ବା ସାହେବ କୁହାଯାଏ ସିନା, ମଣିଷ କୁହାଯାଇପାରେନା। ସେମାନେ ଏ କଥା ନ ଭୁଲନ୍ତୁ ଯେ ଅଢ଼େଇ ଦିନିଆ ସାମନ୍ତପଣଠାରୁ ମଣିଷପଣିଆର ଆୟୁଷ ଦୀର୍ଘସ୍ଥାୟୀ!
ପ୍ରଜ୍ଞାନିଳୟ,ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri