Categories: ଗଞ୍ଜାମ

ଶେରଗଡ଼ ହାଟବନ୍ଧରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଗାଧୋଇବାକୁ ଯାଇ ବୁଡ଼ି ଯାଇଥିବା ସନ୍ଦେହ

ଶେରଗଡ଼, ୨୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ହାଟବନ୍ଧରୁ ଶେରଗଡ଼ ପୋଲିସ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି। ମୃତକ ହେଲେ ଉସ୍ତା ଗ୍ରାମର ଶ୍ରୀକାନ୍ତ ପଣ୍ଡା(୨୫)। ଶ୍ରୀକାନ୍ତ ବୁଧବାର ରାତିରେ ହାଟବନ୍ଧକୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତାବଶତଃ ବୁଡ଼ିଯିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ ସନ୍ଦେହ କରୁଛି। ଥାନାରେ ଏ ନେଇ ଅପମୃତ୍ୟୁ ମାମଲା (ନଂ-୯/୧୯) ରୁଜୁ କରାଯାଇଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ଆସିକା ପଠାଯାଇଛି।

ସୂଚନାନୁଯାୟୀ, ଶ୍ରୀକାନ୍ତ ଶେରଗଡ଼ର ଖମ୍ବେଶ୍ୱରୀ ହୋଟେଲରେ କାମ କରୁଥିଲେ। ବୁଧବାର ହୋଟେଲ କାମ ସାରି ହାଟ ବନ୍ଧକୁ ଗାଧୋଇବା ପାଇଁ ଆସିଥିଲେ। ଗୁରୁବାର ସକାଳେ କିଛି ସ୍ଥାନୀୟ ଲୋକ ବନ୍ଧକୁ ଗାଧୋଇବାକୁ ଆସିଥିବା ବେଳେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ସେମାନେ ଶେରଗଡ଼ ପୋଲିସକୁ ଖବର ଦେବା ପରେ ପୋଲିସ ଦମକଳ ବାହିନୀ କର୍ମଚାରୀଙ୍କ ସହାୟତାରେ ମୃତଦେହକୁ ଉଦ୍ଧାର କରିଥିଲା।

ଅସାବଧାନତାବଶତଃ ବୁଡ଼ିଯିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ ସନ୍ଦେହ କରୁଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଶେରଗଡ଼ ଥାନାର ଏସ୍‌ଆଇ ରଘୁନାଥ ମାଝୀ କହିଛନ୍ତି। ତହସିଲଦାର ଡ.ଦୟାସିନ୍ଧୁ ପରିଡ଼ା ଓ ରାଜସ୍ବ ନିରୀକ୍ଷକ ମନୋଜ କୁମାର ନାହାକ ଘଟଣା ସଂପର୍କରେ ଅବଗତ ଥିବା ଦୁହେଁ କହିଛନ୍ତି।