ଶେରଗଡ଼ରେ ବିଜୁ ଜୟନ୍ତୀ ଦିବସ ପାଳିତ

ଶେରଗଡ଼,୫।୩(ଡି.ଏନ.ଏ.): ଶେରଗଡ଼ ବ୍ଲକରେ ବିଜେଡି ପକ୍ଷରୁ ଗୁରୁବାର ବିଜୁ ଜୟନ୍ତୀ ଦିବସ ପାଳିତ ହୋଇଯାଇଛି। ସକାଳ ୮ଟାରେ ଶେରଗଡ଼ ଚାରି ଛକରେ ବିଜେଡିକର୍ମୀ ଓ ନେତାମାନେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟର୍ପଣ କରି ବିଜୁ ବାବୁଙ୍କ ଗୁଣଗାନ କରିଥିଲେ। ଏହାପରେ ଶେରଗଡ଼ ଚାରିଛକରୁ ଏକ ରାଲି ବାହାରି ହନୁମାନ ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ଏକ ସ୍ମୃତିସଭା ଆୟୋଜନ କରାଯାଇଥିଲା। ବ୍ଲକ ବିଜେଡି ସଭାପତି ଶରତ ଚନ୍ଦ୍ରପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରତିନିଧି ଶରତ ଚନ୍ଦ୍ର ପାତ୍ର, ବ୍ଲକ ଅଧକ୍ଷା ସାରସ ସାଇଁ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର, ପ୍ରମୋଦ କୁମାର ସାହୁ, ପୂର୍ବତନ ବ୍ଲକ ଅଧକ୍ଷ ବାବୁଲା କୁମାର ଚୋଧୁରୀ, ବ୍ଲକ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ହୃଷିକେଶ ପାଢ଼ୀ, ହିନ ବେହେରା, ମେଘନାଦ ଦାସ, ଦିଗାମ୍ବର ନାହାକ, ରଞ୍ଜନ ସେଠୀ, ସମୀର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ବିଶନାଥ ସାଇଁ ସମେତ ବହୁ କର୍ମୀ ଯୋଗଦେଇଥିଲେ। ଏଥିରେ କର୍ମୀମାନେ ବିଜୁ ବାବୁଙ୍କ ସ୍ବପ୍ନର କାହାଣୀକୁ ବର୍ଣ୍ଣନା କରିଥିଲେ। ସେହିପରି ବ୍ଲକ ସଭା ଗୃହରେ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି। ବିଡିଓ ସୁରଞ୍ଜନ କୁମାର ସାହୁ ଏହାର ସଂଯୋଜନା କରିଥିବା ବେଳେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିନାୟକ ପଣ୍ଡା ସମେତ ବିଭାଗୀୟ ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ପଞ୍ଚାୟତସ୍ତରୀୟ ବିଭାଗରେ ହୋଇଥିବା ଯୋଜନାର ସଫଳ ରୂପାୟନ ଦିଗରେ ଚେଷ୍ଟା କରିବାକୁ କୁହାଯାଇଥିଲା। ଉକ୍ତ ବୈଠକରେ ବ୍ଲକ ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ସମେତ ବହୁ ବ୍ୟକ୍ତି ଯୋଗ ଦେଇଥିଲେ।