ଶୁଣିଲେନି ନେତା, ପ୍ରଶାସକ: ରାସ୍ତା ମରାମତି କଲେ ଗ୍ରାମବାସୀ

ଖଇରା, ୨୪।୮(ଡି.ଏନ.ଏ.)-ରାସ୍ତା ମରାମତି ପାଇଁ ବାରମ୍ବାର ସ୍ଥାନୀୟ ନେତାଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ନିବେଦନ କଲେ ମଧ୍ୟ କୌଣସି ସୁଫଳ ମିଳିଲାନି। ଶେଷରେ ସରକାରଙ୍କ ସହାୟତାକୁ ଅପେକ୍ଷା ନ କରି ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ମାଟିଆଳପଦା ଗ୍ରାମବାସୀ ନିଜସ୍ବ ଅର୍ଥରେ ରାସ୍ତା ନିର୍ମାଣ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।
ଏହି ଗ୍ରାମରେ ୨୫୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି। ଗଣ୍ଡିବେଡ-କୁରୁଣ୍ଟା ମୁଖ୍ୟ ରାସ୍ତାରୁ ଏହି ଗ୍ରାମର ୧୫ନଂ. ୱାର୍ଡକୁ ସଂଯୋଗ କରିଥିବା ରାସ୍ତା ମାଟିରାସ୍ତା ହୋଇଥିବାରୁ ବର୍ଷାଦିନରେ ପାଣି ଜମି କାଦୁଅ ହୋଇଯାଏ। ଫଳରେ ଏହି ରାସ୍ତାଦେଇ ଯାତାୟାତ କରିବା ପାଇଁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏ ନେଇ ଗ୍ରାମବାସୀ ନେତା ମନ୍ତ୍ରୀ ପ୍ରସାଶନକୁ ବାରମ୍ବାର ଜଣାଇଥିଲେ। ହେଲେ ତାହାର କିଛି ସୁଫଳ ମିଳିଲା ନାହିଁ। ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ଚାନ୍ଦା ଆଦାୟ କରି ପାହାଡରୁ ପଥରମିଶା ମାଟି ଆଣି ରାସ୍ତା ନିର୍ମାଣ କରିଛନ୍ତି। ଗ୍ରାମର ମନୋରଞ୍ଜନ ଜେନା, ମନୋଜ ଜେନା, ଶରତ ଜେନା, ଲକ୍ଷ୍ମୀଧର ଜେନା, କମ୍ବୁନାଥ ମହାନ୍ତି, ମହେଶ୍ୱର ମହାନ୍ତି, ଗୟାଧର ମହାନ୍ତି, ଜୟାଧର ମହାନ୍ତି, ମୁନ୍ନା ଜେନା, ଗୀତା ଜେନା, ସରସ୍ବତୀ ମହାନ୍ତି, ଭାଷ୍କର ଜେନା, ସୀତା ମହାନ୍ତି, ଶାନ୍ତି ମହାନ୍ତି, ସୁଦର୍ଶନ ମହାନ୍ତି, ରଘୁନାଥ ମହାକୁଡ, ରଶ୍ମିରଞ୍ଜନ ଜେନାଙ୍କ ସମେତ ସମସ୍ତ ଗ୍ରାମବାସୀ ଏହି ରାସ୍ତା ନିର୍ମାଣରେ ସାମିଲ ହୋଇଛନ୍ତି।