ଶିଶୁ ଅଧିକାରରେ ବାଧକ ଲିଙ୍ଗଗତ ବୈଷମ୍ୟ

ରାଜୀବ କୁମାର ନାୟକ

୨୦୨୦ ମସିହାରେ ସମ୍ବଲପୁର ଜିଲା ଅନ୍ତର୍ଗତ ଯୁଯୁମୁରା ବ୍ଲକରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼େ ଯେ, ୫୯% ଶିଶୁ ଭାବନ୍ତି ଯେ ଲିଙ୍ଗଗତ ବୈଷମ୍ୟ ତାଙ୍କର ବିକାଶ ତଥା ଜୀବନର ପ୍ରତି ପାଦରେ ଅନ୍ତରାୟ ସାଜୁଛି। ଠିକ୍‌ ସେହିପରି ୩୬% ଶିଶୁ ଜାତିଗତ ବୈଷମ୍ୟର ଶିକାର ହେଉଥିବା ପ୍ରକାଶ କରନ୍ତି। ଏହି ଜାତିଗତ ବୈଷମ୍ୟ ସହିତ ଲିଙ୍ଗଗତ ବୈଷମ୍ୟ ମିଶି ଏହାର ପ୍ରଭାବକୁ ବହୁଗୁଣିତ କରିଥାଏ। ଝିଅ କାଳେ କାହାକୁ ଭଲ ପାଇ ବସିବ, କାହା ସହିତ ଘର ଛାଡ଼ି ପଳାଇବ ଭାବି ବାପା ମାଆ ଭୟରେ ବାଲ୍ୟବିବାହ କରିଦେଉଛନ୍ତି। ଅନୁଧ୍ୟାନ ସମୟରେ ଜଣେ ଝିଅ ପ୍ରକାଶ କରେ ଯେ, ତା’ ବଡ଼ ଭଉଣୀକୁ ବାପା ମାଆ ୧୭ ବର୍ଷ ବୟସରୁ ବାହା କରିଦେଲେ। ଫଳରେ ସେ ଦୁର୍ବଳ ଥିବା ଏବଂ ତା’ର ତିନିଥର ଗର୍ଭପାତ ହେବା ସହିତ ମାତ୍ର ଛଅମାସରେ (ଅର୍ଥାତ୍‌ ସମୟ ପୂର୍ବରୁ) ଶେଷ ସନ୍ତାନଟା ଜନ୍ମ ହୋଇଛି। ଗଁାର ଝିଅମାନେ ଏହା ମଧ୍ୟ ପ୍ରକାଶ କରନ୍ତି କି ସେମାନେ ଗାଁର ପୁଅ ପିଲାଙ୍କ ଦ୍ୱାରା ମାନସିକ ଉପତ୍ୀଡ଼ନ ତଥା ଲିଙ୍ଗଗତ ବୈଷମ୍ୟର ଶିକାର ହୋଇଥାଆନ୍ତି। ବଡ଼ ବଡ଼ ପିଲାମାନେ ଝିଅମାନଙ୍କୁ ଦେଖି ହୁଇସିଲ୍‌ ବା ସିଟି ମାରିବା, ଖରାପ ନଜରରେ ଦେଖିବା ଇତ୍ୟାଦି କରିଥାଆନ୍ତି। ସେମାନେ ଗାଁ ପୋଖରୀକୁ ଗାଧୋଇ ଗଲାବେଳେ ଅଶ୍ଳୀଳ ମନ୍ତବ୍ୟ ପ୍ରଦାନ କରିଥାଆନ୍ତି। ଝିଅମାନଙ୍କୁ ଘର କାମରେ ନିୟୋଜିତ କରିବା ଅର୍ଥାତ୍‌ ସାନ ଭାଇ ଭଉଣୀଙ୍କ ଦେଖାଶୁଣା କରିବା, ଖାଦ୍ୟ ପ୍ରସ୍ତୁତ କରିବା, ଘର ସଫା କରିବା, ଲୁଗାପଟା ସଫା କରିବା, ବାସନ ମାଜିବା ଇତ୍ୟାଦି ନିମନ୍ତେ ବିଦ୍ୟାଳୟକୁ ପାଠ ପଢ଼ିବା ସକାଶେ ପଠାଉ ନାହାନ୍ତି। ପିଲାମାନେ ଝିଅମାନଙ୍କ ଉଦ୍ଦେଶ୍ୟରେ ଖରାପ ମନ୍ତବ୍ୟ ଦେବାବେଳେ ଯଦି ପ୍ରତିବାଦ କରନ୍ତି, ତା’ହେଲେ ତାଙ୍କୁ ସମାଜ ଖରାପ ଝିଅର ଆଖ୍ୟା ଦେଇଥାଏ। ଅପରପକ୍ଷେ ପୁଅପିଲାଙ୍କୁ ଝିଅପିଲାଙ୍କ ଉଦ୍ଦେଶ୍ୟରେ ଖରାପ ମନ୍ତବ୍ୟ ଦେଉଥିଲେ ମଧ୍ୟ କେହି ଗାଳି କରନ୍ତି ନାହିଁ। ଜଣେ ଝିଅ କହେକି ସେ ଦଶମ ଶ୍ରେଣୀ ପାସ୍‌ କରିଥିବା ସତ୍ତ୍ୱେ ତାକୁ ଲିଙ୍ଗଗତ ବୈଷମ୍ୟ କାରଣରୁ ନିୟନ୍ତ୍ରଣ ବାହାରକୁ ଚାଲିଯିବା ଭୟରେ ମା’ବାପା ଅଧିକ ପଢ଼ିବାକୁ ସୁଯୋଗ ଦେଲେ ନାହିଁ। ବାରମ୍ବାର ଭୁଲ୍‌ କରିବା ସତ୍ତ୍ୱେ ମଧ୍ୟ ପୁଅପିଲାମାନଙ୍କୁ କ୍ଷମା କରି ଦିଆଯାଏ; କାରଣ ସେମାନେ ପରେ ଠିକ୍‌ ହୋଇଯିବେ। କିନ୍ତୁ ଝିଅପିଲା ଥରେ ଭୁଲ୍‌ ବାଟରେ ପାଦ ପକାଇଲେ ତା’ ଜୀବନଟା ଗଲା ବୋଲି ଜାଣ। କିନ୍ତୁ ଏମିତି କାହିଁକି ହୁଏ, ଏହା ବୁଝାପଡ଼େନି ବୋଲି ଆଉ ଏକ ଝିଅ ପ୍ରଶ୍ନ କରେ। ୨୦୧୫-୧୬ରେ ପ୍ରକାଶିତ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-୪ ଅନୁସାରେ ସମ୍ବଲପୁର ଜିଲାରେ ୧୦ବର୍ଷ ବା ତହିଁରୁ ଅଧିକ ବର୍ଷ ପାଠ ପଢ଼ିଥିବା ମହିଳାଙ୍କ ମାତ୍ରା ୨୫.୯% ଏବଂ ଏହି ହାର ଯଦି ଗ୍ରାମାଞ୍ଚଳର ଦେଖାଯାଏ, ତାହେଲେ ୧୯.୮%। ଠିକ୍‌ ସେହିପରି ୧୮ ବର୍ଷ ପୂର୍ବରୁ ବିବାହ କରିଥିବା ମହିଳାଙ୍କ ମାତ୍ରା ସମଗ୍ର ସମ୍ବଲପୁର ଜିଲାରେ ୧୧.୮%, ଯାହାକି କିଛି କମ୍‌ ନୁହେଁ।
ଅପରପକ୍ଷରେ ପରିବାରରେ କେତେବେଳେ ଯଦି କୌଣସି ଓଜନିଆ ଜିନିଷଟିଏ ବୋହିବାର ଆବଶ୍ୟକତା ପଡ଼େ, ତାହେଲେ ଝିଅ ବୟସରେ ବଡ଼ଥିଲେ ମଧ୍ୟ ପୁଅକୁ ଡକାଯିବ। ପୁଅପିଲା ରୋଜଗାର କରି ପରିବାର ପ୍ରତିପୋଷଣ କଲେ ଯାଇ ଚଳେ, ଝିଅପିଲା ରୋଜଗାର ନ କଲେ ମଧ୍ୟ ଚଳିବ। ତାଙ୍କୁ ଶୀଘ୍ର ବାହା କରିଦେଲେ ମା’ବାପାଙ୍କର ବୋଝ ହାଲୁକା ହେବ। ଆହୁରି ମଧ୍ୟ ବାପାଙ୍କ ମୃତ୍ୟୁ ପରେ ପୁଅର ବୟସ ଯାହାବି ହୋଇଥାଉ ମାଆ ଥିଲେ ମଧ୍ୟ ତାକୁ ମୁରବି ହିସାବରେ ଗଣା ହେବ। ତା’ ନାମରେ ନିମନ୍ତ୍ରଣ ପତ୍ର ଘରକୁ ଆସିବ, ବାପାକକାଙ୍କ ସହିତ ପରିବାରର କୌଣସି ନିଷ୍ପତ୍ତି ନେବାକୁ ସେ ବସିବ, କିନ୍ତୁ ମାଆ ବସିବେ ନାହିଁ।
ପ୍ରଥା/ପରମ୍ପରାର ଦ୍ୱାହି ଦେଇ ଲିଙ୍ଗଗତ ଭେଦଭାବ ରଖିବା, ପିଲାମାନଙ୍କ ମଧ୍ୟରେ ଥିବା ଶକ୍ତିକୁ ଉପଯୁକ୍ତ ଦିଗରେ ବିନିଯୋଗ କରିବା ସକାଶେ ମାର୍ଗର ଅଭାବ ତଥା ସାମାଜିକ ଗଣମାଧ୍ୟମର ସର୍ବତ୍ର ଉପସ୍ଥିତି କେବଳ ଏହି ସମସ୍ୟାକୁ ବୃଦ୍ଧି କରିବ। ସାମାଜିକ ବିଧି ବ୍ୟବସ୍ଥା ଆହୁରି ମଧ୍ୟ ଉଭୟ ପୁଅ ଏବଂ ଝିଅ ପିଲାଙ୍କ ମଧ୍ୟରେ ଲିଙ୍ଗଗତ ଗତାନୁଗତିକତା ତଥା ଅସମାନତାକୁ ପ୍ରଭାବିତ କରିଥାଏ। କମ୍‌ ବୟସରୁ ବିବାହ, ଝିଅପିଲାଙ୍କୁ ହଇରାଣ କରିବା ଏବଂ ମହିଳା ତଥା ଶିଶୁମାନଙ୍କ ପ୍ରତି ହିଂସା, ପୁରୁଷତ୍ୱ, କାମବାସନା ଏବଂ ଲିଙ୍ଗଗତ ବୈଷମ୍ୟ ଇତ୍ୟାଦି ବହୁତ ଗଭୀରକୁ ମାଡି ଯାଇଥିବା ସମସ୍ୟାର ପ୍ରତିଫଳନ ମାତ୍ର।
ଏଠି ସମ୍ବଲପୁରର ସ୍ଥିତି କେବଳ ଉଦାହରଣ ମାତ୍ର। ଯଦି ଦେଖିବା ଲିଙ୍ଗଗତ ବୈଷମ୍ୟକୁ ନେଇ କେବଳ ଓଡ଼ିଶା କାହିଁକି, ସମଗ୍ର ଭାରତର ଚିତ୍ର ଟିକିଏ କମ୍‌ ବେଶି ହୋଇପାରେ ନ ହେଲେ ପ୍ରାୟ ଏକା ପ୍ରକାରର। ଝିଅଟିଏ ପ୍ରତିବାଦ କରିବା ମନା। ପୁଅ ପିଲାଟିଏ ଗୋଟିଏ ଝିଅ ପିଲାକୁ ଲକ୍ଷ୍ୟକରି ଖରାପ ମନ୍ତବ୍ୟ ଦେବ, ସେଥିରେ ଝିଅର ମୁହଁ ଲାଜରେ ଲାଲ ହୋଇଯିବ ଏବଂ ପୁଅପିଲା ଛାତି ଫୁଲେଇ ଚାଲିବ। ଠିକ୍‌ ସେହିପରି ଝିଅଟିଏ ଗାଁରେ ଯେତେ ଯାଏଁ ପଢ଼ିବାର ସୁବିଧା ଅଛି ସେତିକିଯାଏ ପଢ଼ିବ, କିନ୍ତୁ ପୁଅକୁ ମା’ବାପା ପ୍ରାୟତଃ ବାହାରେ ହଷ୍ଟେଲରେ ରଖି ପାଠ ପଢ଼ାଇବେ। ବିବାହ କ୍ଷେତ୍ରରେ ମଧ୍ୟ ଝିଅର ଇଚ୍ଛା ଅନିଚ୍ଛା ବୋଲି କିଛି ନାହିଁ, ତାକୁ ମା’ବାପା ଯେତେବେଳେ ଚାହିଁବେ, ଯେଉଁଠି ଚାହିଁବେ, ବାହା କରିଦେବେ; ହେଲେ ପୁଅପିଲା ନିଜ ଇଚ୍ଛାରେ ମନ ପସନ୍ଦର ଝିଅ ଖୋଜି ବିବାହ କରିପାରିବ। ଆମ ଭଳି ଏକ ପୁରୁଷପ୍ରଧାନ ସମାଜରେ ପୁଅପିଲାଙ୍କ ପାଇଁ ସମାଜର ଦୃଷ୍ଟିଭଙ୍ଗୀ ଅଲଗା ଏବଂ ଝିଅପିଲାଙ୍କ ପାଇଁ ଦୃଷ୍ଟିଭଙ୍ଗୀ ଅଲଗା। ଏହି ଲିଙ୍ଗଗତ ବୈଷମ୍ୟ କାରଣରୁ ଘରର ମୁରବି ସବୁବେଳେ ବାପା ଏବଂ ତାଙ୍କର ନିଷ୍ପତ୍ତି ଅନୁଯାୟୀ ପ୍ରାୟତଃ ଘର ଚଳେ। ସେଥିପାଇଁ ଝିଅ ଅପେକ୍ଷା ପୁଅଟିଏ ଜନ୍ମ ହେଲେ ପରିବାରର ଲୋକେ ଅଧିକ ଖୁସୀ। ପୁଅଟିଏ ପାଇବା ପାଇଁ ପରିବାରରେ ସଦସ୍ୟଙ୍କ ସଂଖ୍ୟା ଗୋଟିଏ ପଟେ ବଢ଼ି ଚାଲିଥିବାବେଳେ ଅନ୍ୟ ଦିଗରେ ଲିଙ୍ଗ ନିରୂପଣ କରି ବାରମ୍ବାର ଗର୍ଭପାତ ମଧ୍ୟ କରାଇବାକୁ ପରିବାରର ସଦସ୍ୟ ପଛାନ୍ତି ନାହିଁ। ଠିକ୍‌ ସେହିପରି ମହିଳାମାନେ ପୁଅପିଲାଙ୍କ ପରେ ଖାଇବେ। ଖାଇବା ଶେଷରେ ସବୁ ଥାଉ କି ନ ଥାଉ ତେଣିକି ପଖାଳଭାତ (ସେ ପୁଣି ବାସି) ମହିଳାଙ୍କୁ ଭଲ ଲାଗେ ବୋଲି ସବୁଆଡ଼େ ପ୍ରଚାର ହେବ। ତେଣୁ ଝିଅମାନେ ଅଧିକାଂଶ ସ୍ଥଳେ କୁପୋଷଣ, ରକ୍ତହୀନତା ଇତ୍ୟାଦିର ଶିକାର ହେବେ ଏବଂ ବାହା ହେଲା ପରେ କେବେ ସମୟ ପୂର୍ବରୁ ଶିଶୁ ଜନ୍ମ ହେବ ତ କେବେ କମ୍‌ ଓଜନର ଶିଶୁ ଜନ୍ମ ହେବ।
ସମାଜରୁ ଲିଙ୍ଗଗତ ବୈଷମ୍ୟକୁ ଦୂରେଇବାକୁ ହେଲେ ପ୍ରଥମେ ପୁରୁଷ ଏବଂ ମହିଳା ପରସ୍ପରର ପରିପୂରକ ଏବଂ ଉଭୟଙ୍କ ପ୍ରତି ସମାନ ଦୃଷ୍ଟିଭଙ୍ଗୀ ପୋଷଣ କରିବାକୁ ପଡ଼ିବ ଏହି ଧାରଣା ସମସ୍ତଙ୍କ ମନରେ ଆସିବା ଦରକାର। ଏଥିସକାଶେ ଋଢ଼ିବାଦୀ ଚେତନା ପରିହାର କରିବାକୁ ପଡ଼ିବ। ତେଣୁ ଶିକ୍ଷା ନୁହେଁ ବରଂ ସଚେତନତା ଲୋଡ଼ା। କାରଣ ଲିଙ୍ଗଗତ ଅନୁପାତକୁ ଦେଖିଲେ ଯେଉଁ ଜିଲା ଯେତେ ଶିକ୍ଷିତ, ସେହି ଜିଲାରେ ପୁଅଙ୍କ ତୁଳନାରେ ଝିଅ ସଂଖ୍ୟା ସେତେ କମ୍‌ ଏବଂ ଯେଉଁ ଜିଲାଗୁଡ଼ିକରେ ସାକ୍ଷରତା ହାର ଯେତେ କମ୍‌, ସେହି ଜିଲାରେ ପୁଅ ସଂଖ୍ୟା ତୁଳନାରେ ଝିଅଙ୍କ ସଂଖ୍ୟା ସେତେ ଅଧିକ। ସରକାର ମଧ୍ୟ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ବେଟି ବଚାଓ, ବେଟି ବଢ଼ାଓ ଭଳି ଯୋଜନା ଅଧିକରୁ ଅଧିକ ସଂଖ୍ୟାରେ କଲେ ମା’ବାପାମାନେ ଝିଅମାନଙ୍କୁ କମ୍‌ ବୟସରୁ ବିବାହ ନ କରେଇ ପାଠ ପଢାଇବା ପାଇଁ ଆଗଭର ହେବେ ଏବଂ ଜଣେ ମହିଳା ଯଦି ତା’ର ଶିକ୍ଷାଗତ ଯୋଗ୍ୟତା ବଢ଼ାଇବ, ରୋଜଗାରକ୍ଷମ ହେବ, ପରିବାରରେ ନିଷ୍ପତ୍ତି ନେବାଠାରୁ ଆରମ୍ଭ କରି ରାଜନୀତିରେ ଅଂଶ ଗ୍ରହଣ ପୂର୍ବକ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଲେ ତାର ସମାଜରେ ମଧ୍ୟ ଗୁରୁତ୍ୱ ବଢ଼ିବ। ତେଣୁ ଶିକ୍ଷାଠାରୁ ଆରମ୍ଭକରି ଖେଳ, ସିନେମା, ଉଡ଼ାଜାହାଜ ଚଳାଇବା ପ୍ରତ୍ୟେକ କ୍ଷେତ୍ରରେ ଝିଅମାନେ ଭାଗ ନେବାକୁ ଉତ୍ସାହିତ କଲେ ଏ ସମସ୍ୟା ଅନେକ ମାତ୍ରାରେ ନିଶ୍ଚୟ କମିବ।
ମୋ: ୯୪୩୭୫୭୧୮୩୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri