Categories: ଗଞ୍ଜାମ

ଶିଶୁର ବିକାଶରେ ହିଁ ଦେଶର ବିକାଶ ସମ୍ଭବ

ଫୁଲବାଣୀ ଅଫିସ, ୧୩ା୫-କନ୍ଧମାଳ ଜିଲା ବନ୍ଧଗଡଠାରେ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଅଶୋକ କୁମାର ବେହେରା ଯୋଗଦେଇ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ। ଶିଶୁମାନଙ୍କ ସୁରକ୍ଷା, ବାଲ୍ୟ ବିବାହ ମୁକ୍ତ ସମାଜ ଗଠନ ଓ ଶିଶୁ ସୁରକ୍ଷା କମିଟିର ଭୂମିକା ଉପରେ ସେ ଅଭିଭାଷଣ ରଖିଥିଲେ। ଅନନ୍ୟା ପ୍ରକଳ୍ପ ଯୋଗୁ କ.ନୂଆଗଁା ବ୍ଲକ୍‌ରେ ୧୦୦ଟି ଗ୍ରାମ୍ୟ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ କରାଯାଇଛି। ଏହି କମିଟି ସିଧାସଳଖ ଶିଶୁମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ସହ ସେମାନଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛି। ଏଭଳି କାର୍ଯ୍ୟ ପ୍ରତି ବ୍ଲକରେ ହେବା ଆବଶ୍ୟକ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ସଦସ୍ୟ ବାଗ୍ମୀଶ୍ରୀ ଦାସ, ଚାଇଲ୍ଡ ଲାଇନ୍‌ କୋର୍ଡିନେଟର ଦୋଳଗୋବିନ୍ଦ ମହାରଣା, ଶିକ୍ଷକ ସୀମାଞ୍ଚଳ ମୁଖୀ, ତନ୍ମୟ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶିଶୁର ବିକାଶରେ ହିଁ ଦେଶର ବିକାଶ ହୋଇପାରିବ ବୋଲି କହିଥିଲେ। ଶିଶୁମାନଙ୍କୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ। ପ୍ରତ୍ୟେକ ଗ୍ରାମ ଶିଶୁ ସୁରକ୍ଷା କମିଟି ଯଦି ନିଜ ଗ୍ରାମର ଶିଶୁମାନଙ୍କୁ ସୁରକ୍ଷା ପ୍ରଦାନ କରିପାରିବ ତେବେ ଦେଶର ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ସେହିପରି ବାଲ୍ୟ ବିବାହ ରୋକିବା ଆମର କର୍ତ୍ତବ୍ୟ, କେବଳ ଝିଅମାନଙ୍କୁ ସଚେତନ ନ କରି ବାଲ୍ୟ ବିବାହର କୁପରିଣାମ ବିଷୟରେ ଘରେ ଘରେ ପୁରୁଷ ସଦସ୍ୟଙ୍କ ସମେତ ପୁଅମାନଙ୍କୁ ମଧ୍ୟ ସଚେତନ କରିବା ଆବଶ୍ୟକ ବୋଲି ସ୍ବାତୀର ସମ୍ପାଦକ ଇଂ. ହରିଶଙ୍କର ରାଉତ କହିଥିଲେ। ଏହି ଅବସରରେ ‘ବିଶ୍ୱ ମାତୃ ଦିବସ’ ମଧ୍ୟ ପାଳିତ ହୋଇଥିଲା। ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବାତୀ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧି, ଶିଶୁ ସୁରକ୍ଷା କମିଟିର କର୍ମକର୍ତ୍ତା, ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ। କର୍ମୀ ବୈଦ୍ୟନାଥ ଖଟୁଆ, ପ୍ରଦୀପ କୁମାର ସ୍ବାଇଁ, ସର୍ବେଶ୍ୱର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।