ଶିଳ୍ପ ଅନୁଷ୍ଠାନକୁ କାର୍ଯ୍ୟକ୍ଷମ କରିବାକୁ ଝାରସୁଗୁଡ଼ା ଜିଲା ପ୍ରଶାସନର ନୂତନ ଗାଇଡ୍‌ଲାଇନ

ଝାରସୁଗୁଡ଼ା ଅଫିସ,୨୪ା୪- ଝାରସୁଗୁଡ଼ା ଜିଲାରେ ଥିବା ସମସ୍ତ ବୃହତ୍‌, ମଧ୍ୟମ ଓ କ୍ଷୁଦ୍ରଶିଳ୍ପ ଅନୁଷ୍ଠାନ ତଥା ଖଣିଜ ଉପତ୍ାଦନ ପ୍ରତିଷ୍ଠାନ ନିମନ୍ତେ ଗୁରୁବାର ଜିଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ମୁଖ୍ୟ ତଥା ଜିଲାପାଳ ସରୋଜ କୁମାର ସାମଲ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏକ ଭିଡିଓ ମାଧ୍ୟମରେ ସେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଜିଲାପାଳ ସାମଲଙ୍କ ସୂଚନା ମୁତାବକ ଲକ୍‌ଡାଉନ ସମୟରେ ଖଣି ପ୍ରତିଷ୍ଠାନ ବନ୍ଦ କରାଯାଇ ନ ଥିଲା। ଏବେ ଜିଲାରେ ଥିବା ସମସ୍ତ ବୃହତ୍‌, ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ଅନୁଷ୍ଠାନକୁ କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି। ସମସ୍ତ କର୍ମଚାରୀ ଓ ଅଧିକାରୀ ମାସ୍କ ପିନ୍ଧିବାକୁ ବାଧ୍ୟ। ଶିଳ୍ପାନୁଷ୍ଠାନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ମଧ୍ୟରୁ ୭୫ପ୍ରତିଶତଙ୍କୁ ଶିଳ୍ପ ପ୍ରତିଷ୍ଠାନ ମଧ୍ୟରେ ରଖିବାର ବ୍ୟବସ୍ଥା ହେବ ା ଅବଶିଷ୍ଟଙ୍କୁ ଯିବା ଆସିବା ପାଇଁ ସ୍ବତନ୍ତ୍ର ଗାଡି ବ୍ୟବସ୍ଥା କରାଯିବ। ଶିଳ୍ପ ପ୍ରତିଷ୍ଠାନ ମଧ୍ୟରେ ରହୁଥିବା କର୍ମଚାରୀ ଓ ଗାଡିରେ ଯାଉଥିବା କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଶିଳ୍ପ ପ୍ରତିଷ୍ଠାନ ଭିତରେ କାର୍ଯ୍ୟ ହେଉଥିବା ସ୍ଥାନରେ ବିଭିନ୍ନ ସମୟରେ ସାନିଟାଇଜ କରିବାକୁ କର୍ତ୍ତୃପକ୍ଷ ଧ୍ୟାନ ଦେବେ। ୬୦ ବର୍ଷରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରିବାକୁ ବାରଣ କରାଯାଇଛି। କୌଣସି କର୍ମଚାରୀଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ତୁରନ୍ତ ଜିଲା ପ୍ରଶାସନ କିମ୍ବା ଜିଲା ସ୍ବାସ୍ଥ୍ୟ ବିଭାଗକୁ ଯୋଗଯୋଗ କରିବାକୁ କୁହାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ମାନି ସହଯୋଗ କରିବାକୁ ଜିଲାପାଳ ସାମଲ ଅନୁରୋଧ କରିଛନ୍ତି ା