ଶିଳ୍ପୀ, ବୁଣାକାରଙ୍କ ଉପରେ ଚଡ଼କ: ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ଓଡିଶା ଶିଳ୍ପୀ ମହାସଂଘର ନିବେଦନ

ଭୁବନେଶ୍ୱର,୩।୪(ବ୍ୟୁରୋ): କରୋନା ଲାଗି ବହୁ ଲୋକ ରୋଜଗାର ହରାଇଥିବାବେଳେ ଅନେକ ବେଉସା ବୁଡିଯାଇଛି। ୨୧ଦିନିଆ ଲକ୍‌ଡାଉନ ରାଜ୍ୟ ଶିଳ୍ପୀ ଓ ବୁଣାକାରଙ୍କ ନିଦ ହଜାଇ ଦେଇଛି। ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ଓ ଏହାପରଠାରୁ ଲକ୍‌ଡାଉନ୍‌ ଯୋଗୁ ହସ୍ତତନ୍ତ ଓ ହସ୍ତକଳାର ବିକ୍ରିବଟା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏପରି କି କଞ୍ଚାମାଲ୍‌ ନ ଥିବାରୁ ଘରେ ବସି ଲୁଗା ବୁଣିବା ବି ଆଉ ସମ୍ଭବ ହେଉନି। ବଜାର ବନ୍ଦ ଥିବାରୁ ବୁଣାକାରଙ୍କ ନିକଟରେ ଆବଶ୍ୟକ ସୂତା ଆଦି କଞ୍ଚାମାଲର ଘୋର ଅଭାବ ଦେଖାଦେଇଛି। କଞ୍ଚାମାଲ୍‌ ଅଭାବ ଏବଂ ଉତ୍ପାଦିତ ସାମଗ୍ରୀ ବିକ୍ରି ନ ହେବା ସେମାନଙ୍କ ଦୁର୍ଦ୍ଦଶା ବଢାଇଦେଇଛି।
ଗୋଟିଏପଟେ ବୁଣାକାରଙ୍କ ଅବସ୍ଥା ଏଭଳି ହୋଇଥିବାବେଳେ ହସ୍ତଶିଳ୍ପୀମାନେ ମଧ୍ୟ ସମାନ ଦୁର୍ଦ୍ଦଶା ଭୋଗୁଛନ୍ତି। କଞ୍ଚାମାଲ୍‌ ନ ଥିବା ଯୋଗୁ ସାମଗ୍ରୀ ପ୍ରସ୍ତୁତ କରିହେଉନି। ବାତ୍ୟା ଫନୀ ପରେ କରୋନାର ମାଡ଼ ରାଜ୍ୟ ଶିଳ୍ପୀ ଓ ବୁଣାକାରଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ପ୍ରଳୟଙ୍କର ଫନୀରେ ପ୍ରାୟ ୧.୫ ଲକ୍ଷରୁ ଉର୍ଦ୍ଧ୍ୱ ଶିଳ୍ପୀ ପ୍ରଭାବିତ ହୋଇଥିଲେ। ଏବେ ପୁଣିଥରେ ଶିଳ୍ପୀ ଓ ବୁଣାକାରଙ୍କୁ କରୋନା ଦୁଃଖ ଦେଇଛି। କେବଳ ହସ୍ତ ଓ ବୟନକଳା ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରି ଆସୁଥିବା ରାଜ୍ୟର ଲକ୍ଷାଧିକ ଶିଳ୍ପୀ ଓ ବୁଣାକାର ଏବେ ଆଶଙ୍କିତ ଭବିଷ୍ୟତକୁ ନେଇ ଚିନ୍ତାରେ କାଳ କାଟୁଛନ୍ତି। ଲକ୍‌ଡାଉନରେ ପ୍ରଭାବିତ ଗରିବ ଲୋକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ୨୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜରେ ରାଜ୍ୟର ନିର୍ମାଣ ଶ୍ରମିକ, ସ୍ବୟଂ ସହାୟକ ଗୋଷ୍ଠୀ, କୃଷକ ଓ ବେସାହାରଙ୍କୁ ସାମିଲ କରାଯାଇଥିଲେ ମଧ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ବାଦ୍‌ ଦିଆଯାଇଛି। ଏଭଳି ଏକ ଦୁସ୍ଥିତି ସମୟରେ ଓଡ଼ିଶାର ନାମକୁ ବିଶ୍ୱ ଦରବାରରେ ଉଚ୍ଚା କରିଥିବା କାରିଗରମାନଙ୍କୁ ସରକାର ଭୁଲିଯିବା ଦୁର୍ଭାଗ୍ୟଜନକ ବୋଲି ଓଡିଶା ଶିଳ୍ପୀ ମହାସଂଘ କହିଛି। ତୁରନ୍ତ ଏ ଦିଗରେ ମୁଖ୍ୟମନ୍ତ୍ରୀ ଦୃଷ୍ଟିଦେବାକୁ ସଂଘ ପକ୍ଷରୁ ସମ୍ପାଦକ ପ୍ରିୟରଞ୍ଜନ କର ଓ ସଭାପତି ଉଦୟ ମହାନ୍ତି ଦାବି କରିଛନ୍ତି।