ଶିଳ୍ପାନୁଷ୍ଠାନରେ ବ୍ୟାପକ ସତର୍କତା

ଓଡ଼ାପଡ଼ା, ୨୫ା୩(ଡି.ଏନ.ଏ.) – କରୋନା ମୁକାବିଲା ଲାଗି ଢେଙ୍କାନାଳ ଜିଲାରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାସୁଦ୍ଧା ଟାଟାଷ୍ଟିଲ ବିଏସ୍‌ଏଲ୍‌, ନର୍ଭେରାମ ପାୱାର ଆଣ୍ଡ୍‌ ଷ୍ଟିଲ, ଶକ୍ତିସୁଗାର୍ସ ଲିମିଟେଡ୍‌ ଏବଂ ଏମ୍‌ଜିଏମ୍‌ ମିନେରାଲ୍ସ କମ୍ପାନୀକୁ ସରକାରୀ ନିୟମ ଅନୁଯାୟୀ ଚଲାଇବାକୁ ଅନୁମତି ପ୍ରଦାନ କରାଯାଇଛି।
ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ ବିଏସ୍‌ଏଲ୍‌ କମ୍ପାନୀ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି। ଗ୍ରୁପ୍‌ କମ୍ପାନୀର ନିର୍ଦ୍ଦେଶାବଳୀ ଅନୁଯାୟୀ, ଜରୁରୀସ୍ଥିତିରେ ଅନୁପସ୍ଥିତ ଶ୍ରମିକ ଏବଂ ଦିନ ମଜୁରିଆଙ୍କୁ ସମ୍ପୂର୍ଣ୍ଣ ବେତନ ପ୍ରଦାନ କରାଯିବ। କରୋନା ସଂକ୍ରମଣ ପ୍ରତିରୋଧ କରିବାକୁ କମ୍ପାନୀ ଏବଂ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ମାଧ୍ୟମରେ ସଚେତନ କରାଯାଉଛି। ଏଥିସହ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଭିଜିଟର ଗେଟ୍‌ ପାସ୍‌ରେ ପ୍ରତିବନ୍ଧକ ଲଗାଯାଇଛି। ଅତ୍ୟାବଶ୍ୟକ ସ୍ଥଳେ ଜରୁରୀ ପରିଦର୍ଶକଙ୍କ ପାଇଁ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଅନୁମତି ପ୍ରଦାନ କରାଯାଉଛି। ସନ୍ଦିଗ୍ଧ କର୍ମଚାରୀଙ୍କ ପାଇଁ ସରକାରଙ୍କ ଆଦେଶ ଅନୁସାରେ ସ୍ବତନ୍ତ୍ର ନିରୀକ୍ଷଣ କକ୍ଷ ବ୍ୟବସ୍ଥା କରାଯାଇଥିବା ଟାଟାଷ୍ଟିଲ ବିଏସ୍‌ଏଲର କର୍ପୋରେଟ୍‌ ସର୍ଭିସେସ୍‌ ମୁଖ୍ୟ ମଣିକାନ୍ତ ନାୟକ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ଜିଏମ୍‌ଆର୍‌, ନବଭାରତ ଭେଞ୍ଚର୍ସ, ନର୍ଭେରାମ ପାୱାର ଆଣ୍ଡ୍‌ ଷ୍ଟିଲ କମ୍ପାନୀରେ ପ୍ରବେଶ ପଥରେ ଇନ୍‌ଫ୍ରାରେଡ୍‌ ଥର୍ମୋମିଟର ବ୍ୟବସ୍ଥା କରାଯାଇଛି। ସେହିପରି କମଳାଙ୍ଗସ୍ଥିତ ଜିଏମ୍‌ଆର୍‌ କମଳାଙ୍ଗ ଏନର୍ଜି ଲିମିଟେଡ୍‌, ନବଭାରତ ଭେଞ୍ଚର୍ସ ଲିମିଟେଡ, ନର୍ଭେରାମ ପାୱାର ଆଣ୍ଡ୍‌ ଷ୍ଟିଲ, ଏମ୍‌ଜିଏମ୍‌ ଷ୍ଟିଲ୍ସ, ରୁଙ୍ଗ୍‌ଟା ମାଇନ୍ସ, ଶକ୍ତିସୁଗାର୍ସ ଆଦି କମ୍ପାନୀରେ ସରକାରଙ୍କ ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବରେ ପାଳନ କରାଯାଉଛି।