ଶିଲାଙ୍କ ପରି ହ୍ୟାଟ୍ରିକ୍‌ ମାରିପାରନ୍ତି କେଜରିଓ୍ବାଲ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ଶାସନ କ୍ଷମତାର ଚାବି ପୁଣି ଆମ ଆଦମୀ ପାର୍ଟି(ଏଏପି) ହାତକୁ ଯାଉଥିବା ନେଇ ସୂଚନା ମିଳୁଛି। ଯଦି କେଜରିଓ୍ବାଲ ଚଳିତ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରନ୍ତି, ତେବେ କଂଗ୍ରେସର ବରିଷ୍ଠ ନେତ୍ରୀ ସ୍ବର୍ଗତା ଶିଲା ଦୀକ୍ଷିତଙ୍କ ଭଳି ସେ ହ୍ୟାଟ୍ରିକ୍‌ କରିବେ। କାରଣ ସେ ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବେ। ସୂଚନାଯୋଗ୍ୟ, ୨୦୧୩ରେ ଦଳ ଗଠନ ହେବା ପରେ ଏଏପି ଜନତାଙ୍କ ବିଶ୍ୱାସ ଜିତିଥିଲା। ପ୍ରଥମଥର ତାଙ୍କୁ ବହୁମତ ମିଳି ନ ଥିବା ବେଳେ ଦ୍ୱିତୀୟ ଥର ନିର୍ବାଚନରେ ଏଏପି ୭୦ରୁ ୬୭ ଆସନରେ ବିଜୟ ଲାଭ କରିଥିଲା। ଯାହା ଏଏପି ପାଇଁ ଥିଲା ଏକ ରେକର୍ଡ। ଚଳିତ ଥର ମଧ୍ୟ କେଜରିଓ୍ବାଲ ବହୁମତ ହାସଲ କରିବା ଦିଗରେ ବଢ଼ୁଥିବା ଜଣାପଡୁଛି। ତାଙ୍କ ପୂର୍ବରୁ ଶିଲା ଦୀକ୍ଷିତ ମଧ୍ୟ ଏଭଳି ନେତ୍ରୀ ଥିଲେ ଯିଏ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଦୀର୍ଘ ୧୫ ବର୍ଷ ଧରି ସେ ଦିଲ୍ଲୀର ଶାସନ କ୍ଷମତା ହାତେଇଥିଲେ। ୧୯୯୮ରେ ଭାଜପାକୁ ହରାଇ ଶିଲା ମୁଖ୍ୟମନ୍ତ୍ରୀ ଆସନରେ ବସି ୨୦୧୩ ପର୍ଯ୍ୟନ୍ତ ଶାସନ କରିଥିଲେ।

Share