ଶିମିଳିପାଳରେ ରୋପ୍‌ୱେ ନିର୍ମାଣ ପ୍ରସ୍ତାବ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରୋଜିନୀ

ବାରିପଦା ଅଫିସ,୧୫ା୧୧- ମୟୂରଭଞ୍ଜ ଜିଲାର ଶିମିଳିପାଳ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବ। ବିଭିନ୍ନ ଦୃଷ୍ଟିକୋଣରୁ ଏହା ବେଶ୍‌ ପରିଚିତ। ଶୀତଦିନରେ ଦେଶ ବିଦେଶରୁ ପର୍ଯ୍ୟଟକମାନେ ଏଠାକୁ ବୁଲି ଆସିବା ଏବଂ ରାତ୍ରିଯାପନ କରିବା ପାଇଁ ଭଲ ପାଆନ୍ତିି। ଏଠାରେ ପର୍ଯ୍ୟଟନର ବିକାଶ ନିମନ୍ତେ ଭିତ୍ତିଭୂମି ଉନ୍ନତିର ଆବଶ୍ୟକତା ରହିଛି। ସବୁଦିନିଆ ରାସ୍ତା ନିର୍ମାଣ ସମ୍ଭବପର ହୋଇପାରୁ ନ ଥିବାରୁ ଏହା ମଧ୍ୟରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ରୋପ୍‌ୱେ ଦ୍ୱାରା ସଂଯୋଗ କରାଯାଇ ପାରିବ ବୋଲି ରାଜ୍ୟ ସଭା ସଦସ୍ୟା ସରୋଜିନୀ ହେମ୍ବ୍ରମ୍‌ ମତ ପ୍ରକାଶ କରିଛନ୍ତି। ଏହି ଅଭୟାରଣ୍ୟକୁ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଁ ରୋପ୍‌ୱେ ନିର୍ମାଣ କରାଯିବା ଏକାନ୍ତ ଜରୁରୀ ବୋଲି ହେମ୍ବ୍ରମ୍‌ କହିଛନ୍ତି। ଏହାର ସର୍ଭେ ଏବଂ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ନିମନ୍ତେ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତିି ା
ରୋପ୍‌ୱେ ନିର୍ମାଣ କରାଯିବା ଦ୍ୱାରା ବନ୍ୟଜନ୍ତୁୁମାନେ ପ୍ରଭାବିତ ହେବେ ନାହିଁ ଏବଂ ସବୁ ଋତୁରେ ପର୍ଯ୍ୟଟକମାନେ ଏଠାକୁ ବୁଲିବାକୁ ଆସିପାରିବେ। ଏହା ଦ୍ୱାରା ଆଦିବାସୀବହୁଳ ମୟୂରଭଞ୍ଜ ଜିଲାରେ ଯୁବକମାନଙ୍କ ପାଇଁ ରୋଜଗାରର ନୂଆ ଉପାୟ ବାହାରିପାରିବ। ଜିଲାରେ ହୋଟେଲ ଶିଳ୍ପର ବିକାଶ ମଧ୍ୟ ହୋଇପାରିବ। ରୋପ୍‌ୱେ ନିର୍ମାଣ ଦ୍ୱାରା ଏହା ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବ ବୋଲି ରାଜ୍ୟ ସଭା ସଦସ୍ୟା କହିଛନ୍ତି। ହେମ୍ବ୍ରମ୍‌ଙ୍କ ଏହି ପ୍ରସ୍ତାବକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ବିଶିଷ୍ଟ ପରିବେଶବିତ୍‌ ସନ୍ତୋଷ ମହାନ୍ତିି, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ ସିନେଟ୍‌ ସଦସ୍ୟ ପ୍ରଦୀପ ନାୟକ, ବାରିପଦାର ପୂର୍ବତନ ବିଧାୟକ କିଶୋର ଦାଶ, ପୂର୍ବତନ ଜିଲା ପରିଷଦ ସଭାପତି କମଳା ତିରିଆ ପ୍ରକୃତିପ୍ରେମୀ ଶିମିଳିପାଳ ମଧ୍ୟରେ ରୋପ୍‌ୱେ ନିର୍ମାଣ ହେବା ଦ୍ୱାରା ଅବାଧ ପଶୁ ଶିକାର, ଗଛକଟା ଓ କାଠଚୋରିକୁ ରୋକାଯାଇ ପାରିବ ବୋଲି ମଧ୍ୟ ମତ ପ୍ରକାଶ କରିଛନ୍ତିି ା ତେଣୁ ରାଜ୍ୟ ଏବଂ କେନ୍ଦ୍ର ସରକାର ଏଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ସାଧାରଣରେ ମତ ପ୍ରକାଶ ପାଉଛି।