ଶିମିଳିପାଳରୁ ଶମ୍ବର ଶିକାର: ୬ ଶିକାରୀ ଗିରଫ

ଠାକୁରମୁଣ୍ଡା,୧୪ା୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଚମ୍ପାଝର ବିଟ ଅନ୍ତର୍ଗତ ଶିମିଳିପାଳ ସଂଲଗ୍ନ ଡ଼ଙ୍ଗାଡିହା ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ କର୍ମଚାରୀମାନେ ୬ ଶିକାରୀଙ୍କୁ ଗିରଫ କରିଛନ୍ତି। ଶିକାରୀମାନେ ଏକ ଶମ୍ବର ଶିକାର କରି ତାର ମାଂସକୁ ଭାଗବାଣ୍ଟ କରିବା ସହିତ ରୋଷେଇ କରି ଖାଇ ସାରି ଫେରୁଥିବା ବେଳେ ରବିବାର ସାରେ ବନ ବିଭାଗ କର୍ମଚାରୀଙ୍କ ହାବୁଡରେ ପଡ଼ିଥିଲେ। ସେମାନଙ୍କ ଠାରୁ ୨ କିଲୋ ମାଂସ ସହ ଏକ ଅଟୋ ଜବତ ହୋଇଛି। ଗିରଫ ହୋଇଥିବା ଶିକାରୀମାନଙ୍କ ନିକଟରୁ ଶିକାରରେ ବ୍ୟବହୃତ ୨ଟି ଧନୁ, ୧୨ ଟି ତୀର,୨ଟି କଟୁରି ସହିତ ଏକ ନିକିତି ଓ ବଟକରାକୁ ବନ ବିଭାଗ ଜବତ କରିଛି। ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ପ୍ରଭାତ କୁମାର କୁଅଁର, ଫରେଷ୍ଟର ଗିରିଜାନନ୍ଦ ଦଳେଇ, ଫରେଷ୍ଟ ଗାର୍ଡ ଚିତ୍ତରଞ୍ଜନ ନାୟକ, କିଶୋର ମହାନ୍ତଙ୍କ ସମେତ ଟାଇଗର ପ୍ରୋଟେକସନର କର୍ମୀମାନେ ଚଢାଉରେ ସାମିଲ ହୋଇଥିଲେ।