ଶିକ୍ଷୟିତ୍ରୀଙ୍କ ସାବୁନରେ ବାସନ ମାଜିବାରୁ ଛାତ୍ରଙ୍କୁ ମାଡ଼

ପାପଡାହାଣ୍ଡି,୨୮।୧୦(ଡି.ଏନ.ଏ)- ଶିକ୍ଷୟିତ୍ରୀଙ୍କ ବାସନମଜା ସାବୁନରେ କେତେ ଜଣ ଛାତ୍ର ନିଜ ବାସନ ମାଜି ଦେଇଥିଲେ। ଏହାକୁ ନେଇ ଶିକ୍ଷୟିତ୍ରୀ ରାଗିଯାଇ ଛାତ୍ରମାନଙ୍କୁ ମାଡ ମାରିଥିଲେ। ଶିକ୍ଷୟିତ୍ରୀଙ୍କ ମାଡରେ ୧୪ ଜଣ ଛାତ୍ରଙ୍କ ଶରୀରେ ନୋଳା ପଡିଯାଇଛି। ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଉନ୍ନତି ଉଚ୍ଚ ବିଦ୍ୟାଳୟରେ ଏହପରି ଘଟଣା ସୋମବାର ଘଟିଛି। ସ୍କୁଲରେ ମଧ୍ୟାହ୍ନ ଭୋଜନ ପରେ କେତେକ ଛାତ୍ର ଜନୈକ ଶିକ୍ଷୟିତ୍ରୀଙ୍କ ବାସନମଜା ସାବୁନ ଆଣି ନିଜ ବାସନ ମାଜିଥିଲେ। ଏଥିସହ ଶିକ୍ଷୟିତ୍ରୀଙ୍କ ପାଣି ବୋତଲ ଛୁଇଁ ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଶିକ୍ଷୟିତ୍ରୀ ଜଣକ ବାଡ଼ିରେ ୧୪ ଛାତ୍ରଙ୍କୁ ବାଡେଇଥିଲେ । ଶିକ୍ଷୟିତ୍ରୀଙ୍କ ମାଡରେ ଷଷ୍ଠ ଶ୍ରେଣୀର ୬ ଛାତ୍ର, ସପ୍ତମ ଶ୍ରେଣୀର ୨ ଛାତ୍ର, ଅଷ୍ଟମ ଶ୍ରେଣୀର ୬ ଛାତ୍ରଙ୍କ ଶରୀରରେ ନୋଳା ପଡିଯାଇଥିଲା। ଛାତ୍ରମାନେ ମାଡ ଖାଇବା ପରେ ବିଦ୍ୟାଳୟ କମିଟି ସଭାପତି ଯୁଧିଷ୍ଠିର ଗୌଡ଼ଙ୍କୁ ଏହା ଜଣାଇବା ସହ ବିଦ୍ୟାଳୟ ଛାଡି ଚାଲି ଯିବେ ବୋଲି କହିଥିଲେ। ପରେ କମିଟି ସଭ୍ୟ ଓ ଗ୍ରାମବାସୀ ପହଞ୍ଚି ଛାତ୍ରମାନଙ୍କୁ ବୁଝାଶୁଝା କରିଥିଲେ । ପ୍ରଧାନଶିକ୍ଷକ କୌଣସି କାମରେ ପାପଡାହାଣ୍ଡି ଆସିଥିବାରୁ ଫୋନରେ ତାଙ୍କୁ କମିଟି ପକ୍ଷରୁ ଅବଗତ କରାଯାଇଥିଲା । ଏ ସମ୍ପର୍କରେ ଏବିଇଓ ଦଶରଥ ଗଣ୍ଡଙ୍କୁ କମିଟି ଜଣାଇଥିଲା। ଏବିଇଓ ସିଆରସିସିଙ୍କୁ ପଠାଇ ତଦନ୍ତ କରିବେ ବୋଲି କହିଥିଲେ। ଘଟଣା ପରେ ବିଦ୍ୟାଳୟ ପରିଚାଳନା କମିଟି, ପ୍ରଧାନଶିକ୍ଷକ, ଗ୍ରାମବାସୀ ଓ ଛାତ୍ରମାନଙ୍କ ଉପସ୍ଥିତିରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଘଟଣା ସମ୍ପର୍କରେ ପଚରାଯାଇଥିଲା। ସମ୍ପୃକ୍ତ ଶିକ୍ଷୟିତ୍ରୀ ଛାତ୍ରମାନଙ୍କୁ ବାଡିରେ ମାଡ ମାରିଥିବା ସ୍ବୀକାର କରିବା ସହ ଭୁଲ ହୋଇଯାଇଥିବା କହିଥିଲେ ବୋଲି ବିଦ୍ୟାଳୟ କମିଟି ସଭାପତି ଯୁଧିଷ୍ଠିର ଗୌଡ କହିଛନ୍ତି। ବିଦ୍ୟାଳୟ ପରିସର ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା କରାଯାଇଥିବା ବେଳେ ଶିକ୍ଷୟିତ୍ରୀଙ୍କ ଏପରି କାର୍ଯ୍ୟକୁ ଗ୍ରାମବାସୀ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏ ସମ୍ପର୍କରେ ଏବିଇଓ ଗଣ୍ଡଙ୍କୁ ପଚାରିବାରୁ ସେ କହିଥିଲେ ଯେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।