ଶିକ୍ଷାର୍ଥୀ, ଶିକ୍ଷାୟତନ ଓ ର଼୍ୟାଗିଂ

ପ୍ରଦୀପ୍ତ ନାୟକ

ଶିକ୍ଷାନୁଷ୍ଠାନର ଅନ୍ୟନାମ ବିଦ୍ୟାମନ୍ଦିର, ଯେଉଁଠାରେ ମାତାପିତାଙ୍କର ଯୋଗ୍ୟ ସନ୍ତାନ ତଥା ଦେଶର ସୁନାଗରିକ ତିଆରି ହୁଅନ୍ତି। ଏଣୁ ଏହାକୁ ମଣିଷ ତିଆରି କାରଖାନା ମଧ୍ୟ କୁହାଯାଏ। ଜାତି, ଧର୍ମ, ବର୍ଣ୍ଣ, ରଙ୍ଗ, ଆଞ୍ଚଳିକତା ଓ ଧନୀ-ନିର୍ଦ୍ଧନ ନିର୍ବିଶେଷରେ ଏଠାରେ ଛାତ୍ରୀଛାତ୍ରମାନେ ଅଧ୍ୟୟନ କରନ୍ତି। ମାତାପିତା ତଥା ଅଭିଭାବକମାନେ ମୁଣ୍ଡଝାଳ ତୁଣ୍ଡରେ ମାରି ନିଜ ପେଟରୁ କାଟି ପିଲାମାନଙ୍କୁ ଯୋଗ୍ୟ ମଣିଷ କରିବା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ପଠାଇଥାନ୍ତି। ସେଠାରେ ଥିବା ଶିକ୍ଷକ, ଅଧ୍ୟାପକମାନେ ପିଲାମାନଙ୍କୁ ପାଠ୍ୟପୁସ୍ତକ ବିଷୟରେ ଚର୍ଚ୍ଚା କରିବାଠାରୁ ଆରମ୍ଭ କରି ସମାଜସେବା ତଥା ଦେଶ ଶାସନ ପର୍ଯ୍ୟନ୍ତ ଶିକ୍ଷାଦାନ କରନ୍ତି। ଛାତ୍ରୀଛାତ୍ରମାନେ କିଭଳି ସୁନାଗରିକ ହେବେ, ସେଥିପାଇଁ ଚେଷ୍ଟା କରନ୍ତି। ତେଣୁ କୁହାଯାଏ ଶିକ୍ଷୟିତ୍ରୀଶିକ୍ଷକ ହେଉଛନ୍ତି ଛାତ୍ରୀଛାତ୍ରଙ୍କର ଦ୍ୱିତୀୟ ମାତାପିତା। ମାତ୍ର ବ୍ୟତିକ୍ରମ କେଉଁଠାରେ ରହିଲା ଯେ, ପିଲାମାନେ ବେଳେବେଳେ ହିଂସ୍ର ହୋଇପଡ଼ନ୍ତି ଏବଂ ର଼୍ୟାଗିଂ ଭଳି ସାମାଜିକ ଅପରାଧମାନ ଶ୍ରେଣୀଗୃହ, ଛାତ୍ରାବାସ କିମ୍ବା ଶିକ୍ଷାନୁଷ୍ଠାନ ପରିସର ମଧ୍ୟରେ କରନ୍ତି।
ଅନେକ ସମୟରେ ରାଜନୈତିକ ହିଂସା, ପ୍ରେମଜନିତ ଗୋଷ୍ଠୀଗତ ହିଂସା ସଂଗଠିତ ହୁଏ, ମାତ୍ର ଏହାକୁ ର଼୍ୟାଗିଂ କୁହାଯାଏ ନାହିଁ। ଉପରୋକ୍ତ ହିଂସାକାଣ୍ଡ ପାଇଁ ବାହାର ବ୍ୟକ୍ତି ବା ଘଟଣା ଜଡ଼ିତ ଥାଏ। ମାତ୍ର ର଼୍ୟାଗିଂ ସାଧାରଣତଃ ବରିଷ୍ଠ ଛାତ୍ରୀଛାତ୍ରଙ୍କ ଦ୍ୱାରା କନିଷ୍ଠଙ୍କ ଉପରେ ହୋଇଥାଏ। ଉଚ୍ଚ ବୈଷୟିକ ଶିକ୍ଷାନୁଷ୍ଠାନରେ ବରିଷ୍ଠ ଛାତ୍ରୀଛାତ୍ର କନିଷ୍ଠଙ୍କୁ ସ୍ବାଗତ କରିବା ଆଳରେ ସେମାନଙ୍କ ଉପରେ ଅତ୍ୟାଚାର କରିଥାନ୍ତି। ଆମକୁ ର଼୍ୟାଗିଂ କରାଯାଇଛି ମାନେ ଆମେ ର଼୍ୟାଗିଂ କରିବୁ, ଏହା ହିଁ ହେଉଛି ମତଲବ। ଏହା ସମ୍ପୂର୍ଣ୍ଣ ଅମାନବିକ, ବେଆଇନ ଓ ଆପରାଧିକ କାର୍ଯ୍ୟ, ଯାହାର ସଦ୍ୟତମ ଉଦାହରଣ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଘଟିଥିଲା। ଗତ ଅଗଷ୍ଟ ୨୧ ତାରିଖରେ ବରିଷ୍ଠ ଛାତ୍ରମାନଙ୍କ ଦ୍ୱାରା ସଂଘଟିତ ଜଘନ୍ୟ କାଣ୍ଡରେ ପ୍ରଥମ ବର୍ଷର ୫୦ରୁ ଅଧିକ ଛାତ୍ର ନିର୍ଯାତିତ ହୋଇଥିଲେ। ବରିଷ୍ଠ ଛାତ୍ରମାନେ ଅତ୍ୟନ୍ତ ଲଜ୍ଜାଜନକ ଭାବେ କନିଷ୍ଠମାନଙ୍କୁ ଚଡ଼ି ପିନ୍ଧାଇ ଅର୍ଦ୍ଧନଗ୍ନ ଭାବେ ନଚାଇଥିଲେ, ପିଟିଥିଲେ ଓ ଦ୍ୱିତୀୟ ମହଲା ଛାତରୁ ଶିଡ଼ିଦେଇ ତଳକୁ ଦୌଡ଼ାଇଥିଲେ। ଭଦ୍ର ସମାଜର କୌଣସି ବ୍ୟକ୍ତି ଏହା ଚିନ୍ତା କରିପାରିବେ ନାହିଁ।
ବୁର୍ଲା ଇଞ୍ଜିନିୟରିଂ କଲେଜ ଭଳି ସ୍ବନାମଧନ୍ୟ ଅନୁଷ୍ଠାନରେ ପଢୁଥିବା ତଥାକଥିତ ମେଧାବୀ ଛାତ୍ରମାନେ ଘଟାଇଥିବା ଏହି ଆପରାଧିକ କାଣ୍ଡ ସମସ୍ତ ନୀତିନିୟମ ଓ ଶୃଙ୍ଖଳାକୁ ଜଳାଞ୍ଜଳି ଦେଇ ପ୍ରତିବର୍ଷ ଭଳି ଚଳିତବର୍ଷ ଆୟୋଜିତ ହୋଇଥିଲା। ପ୍ରତିବର୍ଷ ଏପରି ଘଟୁଥିଲେ ମଧ୍ୟ ଏହାକୁ ବନ୍ଦ କରାଗଲା ନାହିଁ କାହିଁକି? ଯେଉଁ ଶିକ୍ଷାନୁଷ୍ଠାନରେ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ସହିତ ଘନିଷ୍ଠ ଭାବେ ରହିଥାନ୍ତି, ସେଠି ର଼୍ୟାଗିଂ ହୋଇଥିବା ନଜିର ନାହିଁ। ବୁଦ୍ଧିଜୀବୀ ଓ ମାତାପିତାମାନେ ଏ ଦିଗ ପ୍ରତି ତୀକ୍ଷ୍ଣ ନଜର ଦେବା ଉଚିତ। ଆମ ସମାଜର ନୂତନ ପିଢି, ଯେଉଁମାନେ ଦେଶକୁ ନୂଆକରି ନିର୍ମାଣ କରିବେ, ସେମାନଙ୍କର ଗତି କୁଆଡ଼େ? କେବଳ ବୁର୍ଲା ନୁହେଁ, ରାଜ୍ୟ ତଥା ଦେଶର ଅନେକ ବୈଷୟିକ ଶିକ୍ଷାନୁଷ୍ଠାନରେ ପ୍ରତିବର୍ଷ ଏପରି ଘଟଣାମାନ ଘଟୁଛି, ଯାହାକୁ ବନ୍ଦ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କଠାରୁ ଆରମ୍ଭକରି ବିଭିନ୍ନ ରାଜ୍ୟର ଉଚ୍ଚ ନ୍ୟାୟାଳୟ, ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ ଏବଂ ରାଜ୍ୟ ସରକାର ବିଭିନ୍ନ ସମୟରେ ଅନୁଶାସନ ଜାରି କରିଛନ୍ତି। ତାହା ପାଣିରେ ଗାର ହୋଇଛି।
ର଼୍ୟାଗିଂ ଭଳି ଜଘନ୍ୟ ପ୍ରଥାକୁ ବନ୍ଦ କରିବା ପାଇଁ ବସିଥିବା ରାଘବନ କମିଟିର ନିର୍ଦ୍ଧାରଣ ଓ ପରାମର୍ଶ ଆଧାରରେ କେତେଗୁଡ଼ିଏ ପଦକ୍ଷେପ ନେବା ପାଇଁ କୁହାଯାଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ କାଉନସେଲିଂ ସେଲ୍‌ ଗଠନ କରିବା ଓ ପରିଚାଳନା କରିବା, ଶିକ୍ଷାନୁଷ୍ଠାନରେ ଶ୍ରେଣୀଗୃହ, ଛାତ୍ରାବାସ, ପାଇଖାନା, ଖେଳପଡ଼ିଆ, ଜିମ୍‌ଖାନା, କନ୍‌ଭେନଶନ ଇତ୍ୟାଦି ପ୍ରତ୍ୟେକ ସ୍ଥାନରେ ସିସି ଟିଭି ଲଗାଇବା ଓ ରୀତିମତ ନଜର ରଖିବା, ଶିକ୍ଷାବର୍ଷର ବିଭିନ୍ନ ସମୟରେ ସମସ୍ତ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ, ଅଧିବେଶନମାନ ଆୟୋଜନ କରିବା, ଯେଉଁଥିରେ ଅଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ସମସ୍ତ ଶିକ୍ଷା ଓ ଅଣଶିକ୍ଷା କର୍ମଚାରୀ ଭାଗନେବେ। ଯେକୌଣସି ପ୍ରକାର ଆପରାଧିକ କାର୍ଯ୍ୟ ପାଇଁ ନିର୍ଦ୍ଦିଷ୍ଟ ଦୃଷ୍ଟାନ୍ତମୂଳକ ଦଣ୍ଡ ପ୍ରଦାନ ବ୍ୟବସ୍ଥା ପ୍ରଚଳନ କରିବା ଦରକାର, ଯାହା ନାମଲେଖା ସମୟରେ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ଅବଗତ କରାଇ ଦିଆଯିବା ଉଚିତ। କୌଣସି ପ୍ରକାର ଥଟ୍ଟା, ପରିହାସ ତଥା କୌତୁକପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ନ ଦେବା ଏବଂ ସେଥିପ୍ରତି ଅନୁଷ୍ଠାନର ପ୍ରତ୍ୟେକ ଶିକ୍ଷକ, କର୍ମଚାରୀ ଓ ପ୍ରଶାସନିକ ଅଧିକାରୀମାନେ ଯନତ୍ବାନ ହେବା ଜରୁରୀ। ଶିକ୍ଷାନୁଷ୍ଠାନରେ ଗୁରୁତ୍ୱପୂର୍ଣ୍ଣ ଛାତ୍ରୀଛାତ୍ରଙ୍କୁ ନେଇ ର଼୍ୟାଗିଂକୁ ବିରୋଧ କରିବା ନିମନ୍ତେ ଦଳ ଗଠନ କରି ଦାୟିତ୍ୱ ନ୍ୟସ୍ତ କରିବା ସହିତ ଅଭିଭାବକମାନଙ୍କୁ ବିଶେଷ ଭାବରେ ଅବଗତ କରାଇବା ଇତ୍ୟାଦି କେତେକ ପଦକ୍ଷେପ ନିଆଗଲେ ନିଶ୍ଚିତ ଭାବରେ ର଼୍ୟାଗିଂ ବନ୍ଦ ହୋଇପାରିବ।
ଟିକରପଡ଼ା, କାକଟପୁର, ପୁରୀ, ମୋ- ୯୪୩୭୦୫୩୩୨୯


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ମଡେଲର ସ୍ଥିତି

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାୟ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୁଜରାଟରେ ଶାସନ କରିଆସୁଛି। ବାସ୍ତବରେ ଗୁଜରାଟ ଏକ ଦୁଇ-ଦଳୀୟ ରାଜ୍ୟ। କିନ୍ତୁ ବାବ୍ରୀ…

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri