ଶିକ୍ଷକ ସଶକ୍ତୀକରଣ

ଡ. ସୁବାସ ଚନ୍ଦ୍ର ପାତ୍ର
ନାରୀ ସଶକ୍ତୀକରଣ, କୃଷକ ସଶକ୍ତୀକରଣ ସରକାରଙ୍କ ପାଇଁ ମୁଖ୍ୟ ପ୍ରସଙ୍ଗ ହୋଇଥିଲାବେଳେ ଶିକ୍ଷକ ସଶକ୍ତୀକରଣ ଏକ ଅପ୍ରସଙ୍ଗ, ଏକ ବିଡ଼ମ୍ବନା ଭଳି ଶୁଭିପାରେ। କାରଣ ଯୁଗେଯୁଗେ ଶିକ୍ଷକମାନେ ସଶକ୍ତ ତଥା ଅନ୍ୟମାନଙ୍କ ପାଇଁ ଶକ୍ତିର ଉତ୍ସ ବୋଲି ବିଚାର କରାଯାଏ। ଦୁର୍ଭାଗ୍ୟର କଥା ଏହି ବିଡ଼ମ୍ବନା ହିଁ ଆଜିର ବାସ୍ତବତା। ଶିକ୍ଷକମାନଙ୍କର ସେ ସଂଜ୍ଞା ଆଜି ପରାହତ, ସେମାନେ ଏକ ବିଭାଗର ଅଧସ୍ତନ, ମାମୁଲି କର୍ମଚାରୀ। ନା ଅଛି ସେମାନଙ୍କର ସ୍ବାଧୀନତା, ନା ଅଛି ସ୍ବାୟତ୍ତତା, ନା ଅଛି ସେମାନଙ୍କର ଶକ୍ତି ପ୍ରଦର୍ଶନ ବା ଉପଯୋଗର ସୁଯୋଗ।
ଶିକ୍ଷକମାନେ କେଡ଼େ ସଶକ୍ତ, କେଡ଼େ ସମ୍ମାନାସ୍ପଦ ତା’ର ବଡ଼ ଉଦାହରଣ ହେଲା ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ପାଇଁ ଶିକ୍ଷା ନିର୍ଦ୍ଦେଶକଙ୍କ ବାସଭବନରେ ପହଞ୍ଚିଯିବା। ଏହି ପ୍ରକାର ଏକ ବିରଳ ଉଦାହରଣ ସୃଷ୍ଟି କରିଥିଲେ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ, ସେତେବେଳେ ଶିକ୍ଷା ନିର୍ଦ୍ଦେଶକ ଥାଆନ୍ତି ଡ. ବଳଭଦ୍ର ପ୍ରସାଦ। ଆଗରୁ ଶୈକ୍ଷିକ ନିଷ୍ପତ୍ତି ଓ କାଯର୍ର୍‌ୟପନ୍ଥା ବୋର୍ଡସ୍ତରରେ ବା ବିଶ୍ୱବିଦ୍ୟାଳୟସ୍ତରରେ ନିଆଯାଉଥିଲା। ସେଥିପାଇଁ ସରକାର ସେମାନଙ୍କୁ ସ୍ବୟଂଶାସିତ କରିଥିଲେ ଏବଂ ସ୍ଥଳବିଶେଷରେ କିଛି ମାର୍ଗଦର୍ଶିକା ପ୍ରଦାନ କରୁଥିଲେ। ଏବେ ସବୁ ଶୈକ୍ଷିକ ନିଷ୍ପତ୍ତି ଯଥା ସିଲାବସ ପ୍ରସ୍ତୁତି, ପ୍ରଶ୍ନପତ୍ରର ରୂପରେଖ, ମୂଲ୍ୟାୟନ ପ୍ରଣାଳୀ ସବୁ ସରକାରୀସ୍ତରରେ ନିଆଯାଉଛି। ବିଶ୍ୱବିଦ୍ୟାଳୟର କୁଳପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଡକରା ପାଇ ସେଠି ଅଂଶଗ୍ରହଣକାରୀ ହିସାବରେ ଭାଗ ନିଅନ୍ତି। ନିଷ୍ପତ୍ତି କ୍ଷେତ୍ରରେ ସେମାନଙ୍କର କିଛି ଭୂମିକା ନ ଥାଏ। କୌତୁକର କଥା ଯେଉଁମାନେ ଯାଆନ୍ତି ସେମାନେ ସରକାରଙ୍କ ନିଷ୍ପତ୍ତିରେ ହଁ ଭରିବା ପାଇଁ ପ୍ରତିଯୋଗିତା କରିବାକୁ ହାଜର ହୋଇଥାନ୍ତି। କ୍ୱଚିତ୍‌ କୌଣସି କୁଳପତି ବା ଅଧ୍ୟକ୍ଷ, ନିଜସ୍ବ ସ୍ବାଧୀନ, ନିରପେକ୍ଷ, ମୌଳିକ ତଥା ପୃଥକ୍‌ ମତ ରଖନ୍ତି। ଏହାର କାରଣ ସମସ୍ତଙ୍କୁ ଜଣା। ନିଜ ହାକିମଙ୍କ ନାକତଳେ ଆପଣ କେତେ ସ୍ବାଧୀନ ହେବେ? ଯେହେତୁ ସରକାରଙ୍କ ମୁଖ୍ୟକାମ ସ୍ବଳ୍ପମିଆଦୀ ଭିତ୍ତିରେ କାମ ଚଳେଇ ନେବା ଏବଂ ତାହାରି ଭିତରେ ନୂଆ କିଛି କରାଯାଉଛି କହି ହଟଚଟମ ସୃଷ୍ଟି କରିବା, ଉପସ୍ଥିତ ଶିକ୍ଷା କର୍ତ୍ତୃପକ୍ଷମାନେ ସାମୂହିକ ଭାବରେ ସେଥିରେ ସାମିଲ ହୁଅନ୍ତି। ଶିକ୍ଷାର ଗୁଣାତ୍ମକତା ଏବଂ ନିଆଯାଇଥିବା ସିଦ୍ଧାନ୍ତର ଦୀର୍ଘମିଆଦୀ ଲାଭକ୍ଷତି ବିଷୟରେ କେହି ପାଟି ଫିଟାନ୍ତି ନାହିଁ। ଯାହାର ପରିଣାମ ଛାତ୍ରୀଛାତ୍ରମାନେ ଭୋଗନ୍ତି। ଗୋଟିଏ ଉଦାହରଣ ନିଆଯାଉ।
ସରକାର ମହାବିଦ୍ୟାଳୟସ୍ତରରେ ସିବିସିଏସ୍‌ (ଚଏସ୍‌ ବେସ୍‌ଡ କ୍ରେଡିଟ୍‌ ସିଷ୍ଟମ୍‌) ଲାଗୁ କରିବା ସହିତ ଜାତୀୟ ସିଲାବସ ଲାଗୁ କରିବାର ସିଦ୍ଧାନ୍ତ ନେଲେ। ପ୍ରଥମେ ଓଡ଼ିଶାର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟ ଅନ୍ୟାନ୍ୟ ଜାତୀୟ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମକୁ ନ ବୁଝି ଲାଗୁ କଲେ ଏବଂ ପରେ ସରକାର ଅନ୍ୟ ବିଶ୍ୱବିଦ୍ୟାଳୟମାନଙ୍କୁ ସେହି ବିଶ୍ୱବିଦ୍ୟାଳୟକୁ ଅନୁସରଣ କରିବାକୁ କହିଲେ। ଫଳ ହେଲା ଅନୁସରଣ, ଅନୁକରଣ, ହନୁକରଣ। ଥରେ କେହି ବିଚାର କଲେନାହିଁ ସେ ସିଲାବସ ପଢ଼ାଇବା ପାଇଁ ଆମ ମହାବିଦ୍ୟାଳୟରେ ଉପଲବ୍ଧ ସ୍ଥାୟୀ ଓ ଅସ୍ଥାୟୀ ଶିକ୍ଷକମାନେ କେତେ କ୍ଷମ, ସିଲାବସ ସନ୍ନିବେଶିତ ପତ୍ରସଂଖ୍ୟା ପାଇଁ ଉଦ୍ଦିଷ୍ଟ ପୁସ୍ତକମାନ ଅବା ବିଷୟବସ୍ତୁ ବଜାରରେ ଉପଲବ୍ଧ କି ନୁହେଁ ବା ଏହା କେତେଦୂର ଛାତ୍ରୀଛାତ୍ରମାନଙ୍କ ପାଇଁ ଗ୍ରହଣୀୟ ଏବଂ ଉପଯୋଗୀ। ଅର୍ଥାତ୍‌ ଛାତ୍ରୀଛାତ୍ରଙ୍କର ଆବଶ୍ୟକତା, ଶିକ୍ଷକମାନଙ୍କ ଦକ୍ଷତା, ପାଠ୍ୟପୁସ୍ତକର ବଜାର ଉପଲବ୍ଧି କଥା କେହି ଭାବିଲେ ନାହିଁ କି କହିଲେ ନାହିିଁ। ଫଳ ହେଲା, ସରକାରଙ୍କୁ ‘ଅନୁକରଣ’ କରି କାମ ଚଳେଇବା ନ୍ୟାୟରେ ଯିଏ ଯାହା ପାରିଲା ପଢ଼େଇ ନ ପଢ଼େଇ କର୍ତ୍ତବ୍ୟ ସମ୍ପାଦନ କଲେ। ଛାତ୍ରୀଛାତ୍ରମାନେ ସେହି କାମଚଳା ଜ୍ଞାନ ନେଇ ନିଯୁକ୍ତି ବଜାରରେ ଅଯୋଗ୍ୟ ବିବେଚିତ ହେଲେ।
ସ୍ବାଧୀନତା ଶିକ୍ଷକତାର ମୂଳଭିତ୍ତି ଏବଂ ଏହି ବୃତ୍ତିକୈନ୍ଦ୍ରିକ ସ୍ବାଧୀନତା ହିଁ ସଶକ୍ତୀକରଣର ଅନ୍ୟ ନାମ। ଏ ସ୍ବାଧୀନତାକୁ ସିଲାବସ ପ୍ରସ୍ତୁତି, ପାଠ୍ୟପୁସ୍ତକ ପ୍ରଣୟନ, ପ୍ର୍ରଶ୍ନପତ୍ର ତିଆରି, ମୂଲ୍ୟାୟନ କ୍ଷେତ୍ରରେ ଉପଯୋଗ କରାଯାଇପାରେ। ଏବେ ଏସବୁ କାମ କେନ୍ଦ୍ରୀୟ ଭାବରେ ସମ୍ପାଦିତ ହେଉଛି, କିଛି ଅଳ୍ପ ସଂଖ୍ୟକ ହଁ ଭରିବାକୁ ଆଗ୍ରହୀ ଲୋକଙ୍କୁ ନେଇ। ଏ ବାବଦରେ କିଛି ସ୍ବଚ୍ଛତା ଅବଲମ୍ବନ କରାଯାଉ ନାହିଁ। ଅର୍ଥାତ୍‌ ପ୍ରସ୍ତାବିତ ସିଲାବସର ରୂପରେଖ, ପାଠ୍ୟପୁସ୍ତକର ତଥା ପ୍ରଶ୍ନପତ୍ରର ମଡେଲ ବିଭାଗୀୟ ୱେବସାଇଟ୍‌କୁ ବା ଗଣମାଧ୍ୟମକୁ ସର୍ବସାଧାରଣଙ୍କ ଅବଗତି ତଥା ଶିକ୍ଷାସ୍ବାର୍ଥ ସହିତ ଜଡ଼ିତ ସମସ୍ତ ପକ୍ଷଙ୍କ ଗୋଚରାର୍ଥେ ବା ପରାମର୍ଶଲାଭ ପାଇଁ ପ୍ରକାଶ କରାଯାଉ ନାହିଁ କିମ୍ବା ପ୍ରାଥମିକ ସ୍ତରରେ ଏସବୁ କାମ ପାଇଁ ଆଗ୍ରହୀ ବ୍ୟକ୍ତିମାନଙ୍କୁ ତାଲିକାଭୁକ୍ତ କରିବା ପାଇଁ କୌଣସି ବିଜ୍ଞାପନ ବା ଖବର ମଧ୍ୟ ବାହାରୁ ନାହିଁ। କହିବା ବାହୁଲ୍ୟ ଯେ, ଶିକ୍ଷା ସମ୍ବନ୍ଧୀୟ ପରାମର୍ଶ ବା ବିଚାର ଉପସ୍ଥାପନ କାହାରି ଏକଚାଟିଆ କାରବାର ନୁହେଁ। ଶିକ୍ଷାକୁ ଭଲ ପାଉଥିବା, ବୁଝୁଥିବା, ତା’ ବିଷୟରେ ଅହରହ ଚିନ୍ତିତ ରହୁଥିବା ଯେକୌଣସି ବ୍ୟକ୍ତି ଏ କ୍ଷେତ୍ରରେ ପରାମର୍ଶ ରଖିପାରିବେ। ସେ କାର୍ଯ୍ୟରତ ଶିକ୍ଷକ, ଅବସରପ୍ରାପ୍ତ ଶିକ୍ଷକ, ବିଜ୍ଞ ଅଭିଭାବକ, ନାଗରିକ, ପୁରାତନ ଛାତ୍ର ବା ଶିକ୍ଷାବିତ୍‌ ହୋଇପାରିବେ। କଥାରେ ଅଛି ଦୁଇଟି ମୁଣ୍ଡ ଗୋଟିଏ ମୁଣ୍ଡଠୁ ଅଧିକ ଉପକାରୀ। ସରକାର ସମଗ୍ର ଶିକ୍ଷକକୁଳକୁ ସଶକ୍ତ କରି ବ୍ୟକ୍ତିଗତ ସ୍ତରରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଓ ସମ୍ମାନାସ୍ପଦ ବୋଲି ଭାବନା ସୃଷ୍ଟି କରିବା ପୂର୍ବକ ସେମାନଙ୍କ ସଶକ୍ତ ଜ୍ଞାନକୁ ଶିକ୍ଷାଦାନ, ସିଲାବସ ନିର୍ମାଣ, ପାଠ୍ୟପୁସ୍ତକ ରଚନା, ପ୍ରଶ୍ନପତ୍ର ପ୍ରସ୍ତୁତି ଇତ୍ୟାଦି କ୍ଷେତ୍ରରେ ବିନିଯୋଗ କରି ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁସଂହତ କରନ୍ତୁ। କଟକ ବା ଭୁବନେଶ୍ୱରରେ ଅବସ୍ଥାପିତ ୫/୧୦ଜଣ ବୋଲକରାଙ୍କୁ ଧରି ଗୋଟିଏ ବ୍ୟବସ୍ଥା ଚଳାଯାଇ ପାରେନା। ଥରେ ସବୁକିଛି ଖୋଲା ଏବଂ ସ୍ବଚ୍ଛ ହେଲେ ଓଡି଼ଶା ତଥା ଓଡ଼ିଶା ବାହାରେ ଅବସ୍ଥାପିତ ଶିକ୍ଷା ସହିତ ଜଡ଼ିତ ବହୁଲୋକ ଏଥିରେ ସାମିଲ ହୋଇପାରିବେ।
ତୃଣମୂଳର ସୁଦୃଢ଼ତା ଏକ ସଶକ୍ତ ଓ ସୁଦୃଢ଼ ସମାଜର ନିଦର୍ଶନ। ଶିକ୍ଷାକ୍ଷେତ୍ରରେ ତୃଣମୂଳ ସମ୍ପୂର୍ଣ୍ଣ ଅବାନ୍ତର ଏବଂ ଏହି କ୍ଷେତ୍ରରେ ନିଯୁକ୍ତ ଶିକ୍ଷାସେବୀମାନେ ନିଜକୁ ଅର୍ବାଚୀନ ମଣନ୍ତି, ଯେହେତୁ କୌଣସି କ୍ଷେତ୍ରରେ ସେମାନଙ୍କର ଗଠନମୂଳକ ପରାମର୍ଶ ଦେବାର ଅଧିକାର ବା ସୁ୍‌ଯୋଗ ନାହିଁ। ଅର୍ଥାତ୍‌ ସକାଳୁ ଉଠି ଜଣେ ଶିକ୍ଷକ ବା ଅଧ୍ୟାପକ ଖବର କାଗଜରୁ ଜାଣିବାକୁ ପାଏ ଏ ବର୍ଷ କି ପ୍ରକାର ସିଲାବସ ହେବ, କି ପ୍ରକାର ପ୍ରଶ୍ନପତ୍ର ହେବ, କି ପ୍ରକାର ପାଠ୍ୟପୁସ୍ତକ ପଢ଼ାହେବ ଇତ୍ୟାଦି। କ୍ଷେତ୍ରୀୟ ଦାୟିତ୍ୱ ତାଙ୍କର ହୋଇଥିବାବେଳେ ସମଗ୍ର ପ୍ରକ୍ରିୟାରେ ତାଙ୍କର କିଛି ଭୂମିକା ନ ଥାଏ। ଓଡ଼ିଶାରେ ଏହି ପ୍ରକାର ଏକ ‘ଟପ୍‌ ଡାଉନ ଆପ୍ରୋଚ’ ବା ‘ଉପରୁ ତଳକୁ ଲଦି ଦେବା ପ୍ରକ୍ରିୟା’ ଚାଲିଛି। ଅଥଚ ଆଧୁନିକ ବ୍ୟବସ୍ଥା ଏହାର ବିପରୀତ କଥା କହେ ଅର୍ଥାତ୍‌ ଏକ ଫଳପ୍ରଦ କାର୍ଯ୍ୟ ‘ବଟମ୍‌ ଅପ୍‌’ ବା ‘ତଳୁ ଉପରକୁ ବାର୍ତ୍ତା କୈନ୍ଦ୍ରିକ’ ହେବା ଆବଶ୍ୟକ।
ସାମାଜିକ ବା ଆନୁଷ୍ଠାନିକ ସମ୍ମାନ ମଣିଷକୁ ସଶକ୍ତୀକରଣର ଅନୁଭବ ପ୍ରଦାନ କରେ। ସରକାରଙ୍କ ସୌଜନ୍ୟ ତଥା ବିଭିନ୍ନ କାରଣରୁ ଶିକ୍ଷକମାନଙ୍କ ସମ୍ମାନ ଆଜି ଭୂଲୁଣ୍ଠିତ। ବେଳେବେଳେ ଆନୁଷ୍ଠାନିକ ସମ୍ମାନ ସାମାଜିକ ସମ୍ମାନରେ ରୂପାନ୍ତରିତ ହୁଏ। ଦୁଃଖର ସହ କହିବାକୁ ପଡୁଛି ଓଡି଼ଶାର ବିଭିନ୍ନ ଜିଲାର ବା ଓଡ଼ିଶା ସରକାରଙ୍କ କୌଣସି ବିଭାଗର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲାପାଳ ବା ବିଭାଗୀୟ ସଚିବ ବା ମନ୍ତ୍ରୀ ରାଜ୍ୟ ବା କେନ୍ଦ୍ର ସରକାରଙ୍କ ଦ୍ୱାରା ପୁରସ୍କୃତ ହେଉଥିବା ବେଳେ ଓଡି଼ଶାର କୌଣସି ବିଶ୍ୱବିଦ୍ୟାଳୟ ବା ମହାବିଦ୍ୟାଳୟ ବା କୁଳପତି ବା ଅଧ୍ୟକ୍ଷ ବା ସେଥିରେ କାର୍ଯ୍ୟରତ କୌଣସି ଅଧ୍ୟାପକଙ୍କୁ ପୁରସ୍କୃତ କରିବାର ବ୍ୟବସ୍ଥା ନାହିଁ କି ସେ ବିଚାର ମଧ୍ୟ ନାହିିଁ। ଏକ ନିରପେକ୍ଷ ଫର୍ମାଟ୍‌ ମାଧ୍ୟମରେ ତୃତୀୟ ପକ୍ଷଦ୍ୱାରା ଏ ପ୍ରକାର ବ୍ୟବସ୍ଥା କରାଯାଇପାରେ ଯାହା ଶିକ୍ଷକ ସମାଜକୁ ଏକ ଭଲ ବାର୍ତ୍ତା ପହଞ୍ଚାଇବ।
ଶିକ୍ଷକମାନେ ଘଣ୍ଟାୱାରି କାମ କରୁଥିବା କଳକାରଖାନାର ଶ୍ରମିକ ନୁହନ୍ତି ବା ଶିକ୍ଷାଳୟମାନ ସରକାରଙ୍କର ଗୋଟିଏ ଗୋଟିଏ ଦପ୍ତର ନୁହେଁ। ଶିକ୍ଷକମାନେ ଯେତେ ସଶକ୍ତ, ସମ୍ମାନିତ, ସ୍ବାଧୀନ ଏବଂ ଗୁରୁତ୍ୱପୂର୍ଣ୍ଣ ଅନୁଭବ କରିବେ ସେତେ ସେମାନେ ନିଜକୁ ଉନ୍ନୀତ କରି ଆତ୍ମପ୍ରଗତି ତଥା ଛାତ୍ରପ୍ରଗତିରେ ଧ୍ୟାନ ଦେବେ ଏବଂ ଏହାର ସାମୂହିକ ଲାଭ ଛାତ୍ରସମାଜ ତଥା ସରକାର ହିଁ ଅମଳ କରିବେ। ଶିକ୍ଷକମାନଙ୍କୁ ଯଦି ୟୁନିଫର୍ମ ପିନ୍ଧି (କଲେଜ ଶିକ୍ଷକମାନଙ୍କ କ୍ଷେତ୍ରରେ ୟୁନିଫର୍ମ ପ୍ରଚଳନର କାଳେ ପ୍ରସ୍ତାବ ରହିଛି!) ଘଣ୍ଟାୱାରି କାମ କରୁଥିବା ଶ୍ରମିକ ହିସାବରେ ଚିତ୍ରିତ କରାଯାଏ ସେମାନେ ଦିନକୁ ଦିନ ପୂର୍ବଗୌରବ ହରାଇ ହତୋତ୍ସାହ ହୋଇପଡ଼ିବେ, ଯାହା ସେମାନଙ୍କ ଶିକ୍ଷାଦାନ, ଅଧ୍ୟୟନକୁ ପ୍ରଭାବିତ କରିବ ଏବଂ ଏହା ଏକ କୁଫଳ ହିସାବରେ ବ୍ୟବସ୍ଥାକୁ ହିଁ କ୍ଷତିଗ୍ରସ୍ତ କରିବ।
ପୂର୍ବତନ ଅଧ୍ୟକ୍ଷ, ଜେଲ୍‌ରୋଡ, ବାଲେଶ୍ୱର, ମୋ:୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri