ଶିକ୍ଷକ କରୋନା ଆକ୍ରାନ୍ତ ଚିହ୍ନଟ: ଦାରିଙ୍ଗବାଡ଼କୁ ନିଷିଦ୍ଧାଞ୍ଚଳ ଘୋଷଣା

ଦାରିଙ୍ଗବାଡ଼ି,୨୩।୬(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅଞ୍ଚଳକୁ ମଙ୍ଗଳବାର ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। ଜଣେ ଶିକ୍ଷକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଦାରିଙ୍ଗବାଡ଼ି ତହସିଲଦାର ନୀତିସ କୁମାର ତ୍ରିପାଠୀ କହିଛନ୍ତି । ଉକ୍ତ ପଞ୍ଚାୟତର ତୁଡ଼ୁକିବାଡ଼ି ସାହିରେ ଶିକ୍ଷକ ଜଣକ ରହୁଥିଲେ। ସେ ବିଭିନ୍ନ ଲୋକଙ୍କ ସହ ମିଳାମିଶା କରିଥିବାରୁ ଜିଲା ପ୍ରଶାସନ ଏଭଳି ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି । ଉକ୍ତ ପଞ୍ଚାୟତର ତୁଡ଼ୁକିବାଡ଼ି ସମେତ ରୁକାନବାଡ଼ି, ବଜାର ସାହି, ଲଦପାଙ୍ଗାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବା ସହ ସମସ୍ତ ପ୍ରବେଶ ପଥରେ ବ୍ୟାରିକେଟ କରାଯାଇ ସିଲ୍‌ କରିଦିଆଯାଇଛି । ଉକ୍ତ ଅଞ୍ଚଳର ଲୋକଙ୍କୁ ଘରୁ ବାହାରକୁ ବାହାରିବାକୁ ସମ୍ପୁର୍ଣ୍ଣ ଭାବେ ବାରଣ କରାଯାଇଛି। ବଣିକ ସଂଘ ପକ୍ଷରୁ କରୋନା ଯୋଦ୍ଧା ଭାବେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଅନୁମତି ଦିଆଯାଇଛି ।
ସେହିପରି ଦାରିଙ୍ଗବାଡ଼ିର ପ୍ରବେଶ ପଥ ରହିଥିବା ଗ୍ରୀନବାଡ଼ି ସମେତ, ପରପାଙ୍ଗା ଆଦି ଅଞ୍ଚଳ ସିଲ୍‌ କରାଯାଇଛିା ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝିଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଜୋରଦାର ପାଟ୍ରୋଲିଂ କରୁଛନ୍ତି । ତହସିଲଦାର ତ୍ରିପାଠୀ ନିଜେ ଉପସ୍ଥିତ ରହି ନିଷିଦ୍ଧାଞ୍ଚଳର ତଦାରଖା କରିଛନ୍ତି ।
ସୂଚନାଯୋଗ୍ୟ, ସରପଞ୍ଚ ରାଧାକାନ୍ତ ପ୍ରଧାନଙ୍କ ନିକଟରେ ଦାରିଙ୍ଗବାଡ଼ିକୁ ଶଟ୍‌ଡାଉନ କରିବାକୁ ନିବେଦନ ହୋଇଥିଲା। ସରପଞ୍ଚ ଜିଲାପାଳ କ୍ଷମତା ପ୍ରୟୋଗ କରି ଦାରିଙ୍ଗବାଡ଼ିକୁ ଶଟ୍‌ଡାଉ୍‌ନ କରିଥିଲେ । ପରେ ପ୍ରଶାସନ ଏହାକୁ ପ୍ରତ୍ୟାହାର କରିବାକୁ କହିଥିଲା। ଏ ନେଇ ପ୍ରଶାସନ ଅସହଯୋଗ କରିଥିବା ସରପଞ୍ଚ ଅଭିଯୋଗ କରିଥିଲେ। ପ୍ରଥମେ ଏ ଖବର ଧରିତ୍ରୀରେ ପ୍ରକାଶିତ ହେବା ପରେ ଜିଲାପ୍ରଶାସନ ଘଟଣାକୁ ଗୁରୁତ୍ୱ ଦେବା ସହ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରି ଜନସାଧାରଣଙ୍କ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ।