ଶାରଦୀୟ ପାର୍ବଣ ପୂଜା ପାଇଁ ଉତ୍ସବମୁଖର ପ୍ରାଚୀ ଉପତ୍ୟକା

କାକଟପୁର, ୧।୧୦(ଡି.ଏନ୍‌.ଏ.): ପୁରୀ ଜିଲା ପ୍ରାଚୀ ଉପତ୍ୟକାରେ ରହିଥିବା ଶତାଧିକ ଶକ୍ତି (ଦୁର୍ଗା, ଚାମୁଣ୍ଡା, ଗ୍ରାମ ଦେବତୀ) ମନ୍ଦିରମାନଙ୍କରେ ଆଶ୍ୱିନ ମୂଳାଷ୍ଟମୀ ତିଥିଠାରୁ ଷୋଳ ପୂଜା ବା ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହୋଇଛି। ମନ୍ଦିରମାନଙ୍କରେ ଭକ୍ତି ଓ ନିଷ୍ଠାର ସହିତ ମା’ଙ୍କୁ ଷୋଡ଼ଶ ଉପଚାର ପଦ୍ଧତିରେ ପୂଜା କରାଯାଉଛି। ଗ୍ରାମବାସୀଙ୍କ ପକ୍ଷରୁ ମା’ଙ୍କ ନିକଟରେ ପାର୍ବଣ ରୋଷେଇ ପ୍ରସ୍ତୁତ କରାଯାଇ ଭୋଗଲାଗି ହେଉଛି। କେତେକ ସ୍ଥାନରେ ଜନ୍ତାଳ ଭୋଜିର ଆୟୋଜନ କରାଯାଉଛି। ଶାରଦୀୟ ପୂଜା ସମୟରେ ଗାଁରେ ପୂଜା ପାଉଥିବା ଗ୍ରାମଦେବତୀଙ୍କୁ ଆମିଷ ବ୍ୟଞ୍ଜନରେ ପ୍ରସ୍ତୁତ ଅନ୍ନଭୋଗ ଲାଗିକଲେ ଗାଁକୁ ପଡ଼ିବାକୁ ଥିବା ସମସ୍ତ ବିପଦକୁ ମା’ ଦୂର କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଚତୁର୍ଥଶତାବ୍ଦୀଠାରୁ ପ୍ରାଚୀ ଉପତ୍ୟକାରେ ଶକ୍ତି ପୂଜା ଚାଲିଆସୁଥିବା ଗବେଷକମାନେ ମତପ୍ରକାଶ କରିଛନ୍ତି।