ଶହେବର୍ଷ ପରେ…ସୋରଡା ରଥଯାତ୍ରାରେ ଛେରାପହଁରା କଲେ ରାଜବଂଶୀ

ସୋରଡା,୪ା୭(ଡି.ଏନ୍‌.ଏ.)- ଦୀର୍ଘ ଶହେବର୍ଷ ପରେ ସୋରଡା ରଥଯାତ୍ରାରେ ରାଜବଂଶୀ ଛେରାପହଁରା କରିଛନ୍ତି। ଡ. ଦେବବତ୍ତ ସିଂଦେଓ ଯୋଗଦେଇ ରଥାରୁଢ ଠାକୁରଙ୍କ ନିକଟରେ ଛେରାପହଁରା ନୀତି ସମ୍ପନ୍ନ କରିଛନ୍ତି। ମଧ୍ୟାହ୍ନରେ ତହସିଲ କାର୍ଯ୍ୟାଳୟରୁ ପାଟ୍ଟଭୋଗ ଆସିବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ଅପରାହ୍ନରେ ରାଜାଙ୍କୁ ଶୋଭାଯାତ୍ରାରେ ଆଡପମଣ୍ଡରୁ ରଥପଦା ପର୍ଯ୍ୟନ୍ତ ଅଣାଯାଇଥିଲା। ପରେ ଛେରାପହଁରା ନୀତି ରାଜାଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଅପରରାହ୍ନ ପ୍ରାୟ ୪ଟାରେ ରଥଟଣା ଆରମ୍ଭ ହୋଇଥିଲା। ଦୀର୍ଘବର୍ଷ ପର ରାଜ ପରିବାର ସଦସ୍ୟ ଯୋଗ ଦେଇଥିବାରୁ ୨୫୦ରୁ ଉର୍ଦ୍ଧ୍ୱ ନାମ ସଂକୀର୍ତ୍ତନ କଳାକାର ଯୋଗଦେଇ ଘଣ୍ଟବାଦ୍ୟ ପରିବେଷଣ କରିଥିଲେ। ଥାନାଧିକାରୀ ପ୍ରଭାତ ସାହୁ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ସନ୍ଧ୍ୟାସୁଦ୍ଧା ଆଡପମଣ୍ଡପରେ ରଥ ପହଞ୍ଚତ୍ଥିଲା।