ଶହେଦିନ ପରେ ବି ମିଳୁନି ସନ୍ଧାନ

ଆଠମଲ୍ଲିକ,୨୦ା୧(ଡି.ଏନ.ଏ.) ଆଠମଲ୍ଲିକ ଥାନା ଡିଗିପଦର ଗ୍ରାମର ଅଙ୍ଗନୱାଡି ସହାୟିକା ବାଲି ପ୍ରଧାନ ନିଖୋଜ ହେବାର ଶହେଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏଯାଏ ତାଙ୍କର ସନ୍ଧାନ ପାଇପାରି ନାହିଁ। ଏହାକୁ ନେଇ ଗ୍ରାମର ଆଞ୍ଚଳିକ ମହିଳା ସୁରକ୍ଷା କମିଟି ଅସନ୍ତୋଷ ପ୍ରକାଶ କରିବା ସହ ପୋଲିସର ଏହି ନିଷ୍କ୍ରିୟତା ପ୍ରତିବାଦରେ ଆଗାମୀ ଦିନରେ ଏସ୍‌ପି ଅଫିସ୍‌ ଘେରାଉ କରିବ ବୋଲି ଚେତାବନୀ ଦେଇଛି। ରବିବାର ଗ୍ରାମରେ ଅନୁଷ୍ଠିତ ବୈଠକରେ କମିଟି ସଭାନେତ୍ରୀ ପଙ୍କଜିନୀ ସାହୁ, ସମିତିସଭ୍ୟା ଆରତୀ ନାୟକ, ଶୋଭାଗିନୀ ବଘାର, ମୀନାକ୍ଷୀ ମିଶ୍ର, ମନୋରମା ପ୍ରଧାନ, ଆଠମଲ୍ଲିକ ଜନଜୀବନ ସୁରକ୍ଷା କମିଟି ଆବାହକ ତୀର୍ଥବାସୀ ଭୋଇ, ଜଗନ୍ନାଥ ମହାକୁର, କିଶୋରଚନ୍ଦ୍ର ଦେହୁରୀ, ଯତୀନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଏହି ଚେତାବନୀ ଦେଇଥିଲେ। କମିଟି ପକ୍ଷରୁ କୁହାଯାଇଛି ଯେ, ଗତ ଅକ୍ଟୋବର ୯ରେ ଅଙ୍ଗନୱାଡି ସହାୟିକା ନିଖୋଜ ହୋଇଯାଇଥିଲେ। ଏ ନେଇ ଆଠମଲ୍ଲିକ ଥାନାରେ ଅକ୍ଟୋବର ୧୦ ତାରିଖ ଓ ୨୦ ତାରିଖରେ ଦୁଇଟି ଏତଲା ଦିଆଯାଇଥିଲା। କିନ୍ତୁ ପୋଲିସ ତାଙ୍କୁ ଉଦ୍ଧାର କରିବାରେ ବିଫଳ ହେବାରୁ ପ୍ରତିବାଦରେ ନଭେମ୍ବର ୨୬ରେ ଆଠମଲ୍ଲିକ ଉପଜିଲାପାଳଙ୍କ ଅଫିସ୍‌ ଘେରାଉ କରାଯାଇଥିଲା। ଡିସେମ୍ବର ୨୩ ତାରିଖ ଦିନ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ମାତ୍ର ଏଯାଏ ସହାୟିକାଙ୍କ ସନ୍ଧାନ ପୋଲିସ ପାଇପାରି ନାହିଁ। ଏ ସମ୍ପର୍କରେ ଆଠମଲ୍ଲିକ ଆଇଆଇସି ପ୍ରିୟବ୍ରତ ଦାଶ କହିଛନ୍ତି, ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତି ଆତ୍ମସମର୍ପଣ କରି ବେଲ୍‌ରେ ଯାଇଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି।