ଶହୀଦନଗର ପ୍ରାଣୀ ଚିକିତ୍ସାଳୟରେ ମିଳିବ ୨୪ଘଣ୍ଟିଆ ସେବା

ଭୁବନେଶ୍ୱର, ୩ା୩(ବ୍ୟୁରୋ) :ରାଜ୍ୟ ସରକାରଙ୍କ ୫-ଟି ଅଧୀନ ‘ମୋ ସରକାର’ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ସୋମବାରଠାରୁ ସାମିଲ ହୋଇଛି। ସରକାରୀ ସେବାକୁ ଲୋକାଭିମୁଖୀ କରିବା ପାଇଁ ସୋମବାରଠାରୁ ଭୁବନେଶ୍ୱରର ଶହୀଦନଗର ପ୍ରାଣୀ ଚିକିତ୍ସାଳୟରେ ୨୪ଘଣ୍ଟିଆ ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଶହୀଦନଗର ପ୍ରାଣୀ ଚିକିତ୍ସାଳୟ ଏବେ ପ୍ରତିଦିନ ୨୪ଘଣ୍ଟା ଖୋଲା ରହିବ। ଫଳରେ ଦୈନନ୍ଦିନ ପ୍ରାଣୀ ଚିକତ୍ସା ସେବା ସାଙ୍ଗକୁ ଜରୁରୀକାଳୀନ ପ୍ରାଣୀ ଚିକତ୍ସା ସେବା ମଧ୍ୟ ଯୋଗାଇ ଦିଆଯିବ। ସେବା ଯୋଗାଇବା ପାଇଁ ଭେଟେରିନାରୀ ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ପାଳି କରି କାର୍ଯ୍ୟ କରିବେ। ଏହି ୨୪ଘଣ୍ଟିଆ ପ୍ରାଣୀ ଚିକତ୍ସା ସେବାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରାଣୀ ଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଡାକ୍ତରମାନଙ୍କୁ ମଧ୍ୟ ନିୟୋଜିତ କରାଯିବ। ଖୋର୍ଦ୍ଧା ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଏହି ସେବାର ସୁପରିଚାଳନା ନିମନ୍ତେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।