ଶସ୍ୟ ବୀମା ରାଶି ପାଇଁ ସାମାଜିକ ଦୂରତାକୁ ଫୁ’: ବିଜେପୁରରେ ବ୍ୟାଙ୍କ ସମ୍ମୁଖରେ ଚାଷୀଙ୍କ ଗହଳି

ବିଜେପୁର,୭।୫(ଡି.ଏନ୍‌.ଏ.): କରୋନା ପ୍ରତିହତ ପାଇଁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବ୍ୟାହତ ରହିଛି। ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ଅନ୍ୟାନ୍ୟ କଟକଣା ଲଗାଯାଇଛି। ହେଲେ କେତେକ ସ୍ଥାନରେ ଲୋକମାନେ ଏହାକୁ ପାଳନ କରୁ ନ ଥିବା ଦେଖାଯାଉଛି। ଶସ୍ୟ ବୀମା ରାଶି ପାଇଁ ବରଗଡ଼ ଜିଲା ବିଜେପୁର ଅଞ୍ଚଳର ଚାଷୀମାନେ ସାମାଜିକ ଦୂରତ୍ୱକୁ ମାନୁ ନ ଥିବା ଗୁରୁବାର ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ବର୍ତ୍ତମାନ ବ୍ୟାଙ୍କଗୁଡିକ ସକାଳୁଆ ଖୋଲାଯାଉଛି। ଗତ ଖରିଫ ଫସଲର ଶସ୍ୟ ବୀମା ରାଶି ଚାଷୀମାନଙ୍କ ଖାତାରେ ଜମା ହୋଇଛି । ତେଣୁ ସ୍ଥାନୀୟ ସମ୍ବଲପୁର କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ସକାଳୁ ଚାଷୀମାନଙ୍କର ଗହଳି ଲାଗି ରହୁଛି। ଖବର ପାଇ ଥାନା ଆଇଆଇସି ରାଜେନ୍ଦ୍ର ସିଆଲ ବିଭାଗୀୟ କର୍ମଚାରୀମାନଙ୍କୁ ନେଇ ପୂର୍ବାହ୍ନରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ଚାଷୀମାନେ କିଛି ସମୟ ପାଇଁ ସାମାଜିକ ଦୂରତ୍ୱ ରକ୍ଷା କରିଥିଲେ। ହେଲେ ଆଇଆଇସି ଚାଲିଯିବା ପରେ ଯଥା ପୂର୍ବଂ ତଥା ପରଂ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁଇଜଣ ପୋଲିସ କର୍ମଚାରୀ ନିୟୋଜିତ ରହିଥିଲେ ସୁଦ୍ଧା ଚାଷୀମାନେ ସାମାଜିକ ଦୂରତ୍ୱକୁ ଭୁଲିବାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।