ଶରୀରଦାନ ସତ୍ୟପାଠ କ୍ଷେତ୍ରରେ ନୂଆ ରେକର୍ଡ

କଟକ ଅଫିସ, ୨ା୧୧: ଏସ୍‌ସିବି ମେଡିକାଲ କଲେଜଠାରେ ଶରୀର ତତ୍ତ୍ବ ବିଭାଗକୁ ଶୁକ୍ରବାର ଭାରତ ଶରୀର ଓ ଅଙ୍ଗଦାନ ସମିତି(ବଡି) ପକ୍ଷରୁ ୭୫୦ଟି ଶରୀର ଦାନ ଶପଥ ପତ୍ର ପ୍ରଦାନ କରାଯାଇଛି। ଏହା ସର୍ବଭାରତୀୟ ସ୍ତରରେ ଏକ ରେକର୍ଡ ବୋଲି ସମିତି ପକ୍ଷରୁ କୁହାଯାଇଛି। ଭାରତରେ ଶରୀର ଓ ଅଙ୍ଗଦାନ କ୍ଷେତ୍ରରେ ସଚେତନତାର ଘୋର ଅଭାବ ଥିବାବେଳେ ଓଡ଼ିଶାରେ ଏହି ଆନ୍ଦୋଳନ ଗତ ୭ ବର୍ଷ ଭିତରେ ଜୋର ଧରିଛି। ପୂର୍ବରୁ ୨୦୧୫ ଜାନୁୟାରୀ ୧୬ରେ ‘ବଡି’ ପକ୍ଷରୁ ଗୋଟିଏ ଦିନରେ ୨୩୪ଟି ଶପଥପତ୍ର ଏସ୍‌ସିବି ମେଡିକାଲକୁ ଦିଆଯାଇ ଇଣ୍ଡିଆ ବୁକ୍‌ ଅଫ ରେକଡର୍ସରେ ଏହା ସ୍ଥାନିତ ହୋଇଥିଲା। ଏସ୍‌ସିବି ମେଡିକାଲ ଶରୀର ତତ୍ତ୍ବ ବିଭାଗର ମୁଖ୍ୟ ପ୍ରଫେସର ଡା. ଚିନ୍ମୟୀ ମହାପାତ୍ରଙ୍କୁ ବଡିର ସଭାପତି ଡ. ପ୍ରଭାସ ଆଚାର୍ଯ୍ୟ ବହୁ ଶରୀରଦାତାଙ୍କ ଉପସ୍ଥିତିରେ ଶପଥପତ୍ରଗୁଡିକ ପ୍ରଦାନ କରିଥିଲେ। ଏହି ସମୟରେ ଏସ୍‌ସିବି ମେଡିକାଲର ଅଧ୍ୟକ୍ଷା ପ୍ରଫେସର ଡା. ଜୟଶ୍ରୀ ମହାନ୍ତି, ବଡି ଉପସଭାପତି ଡା. ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।