ଶଢ଼ୁଛି ଫସଲ, ବଢ଼ୁଛି କ୍ଷତି

ଛେଣ୍ଡିପଦା,୨୭।୪(ସ୍ବ.ପ୍ର.) କରୋନା କଟକଣା ପାଇଁ କ୍ଷତି ସହୁଛନ୍ତି ପରିବା ଚାଷୀ। ଏକର ଏକର ଜମିରେ ସେମାନେ କରିଥିବା ପରିବା ବିକ୍ରି କଷ୍ଟକର ହୋଇପଡୁଥିବାରୁ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ଲକ୍‌ଡାଉନ୍‌ ଯୋଗୁ ମାର୍କେଟ ସମ୍ପୂର୍ଣ୍ଣ ଖୋଲୁ ନ ଥିବା ବେଳେ ଦୂର ଦୂରାନ୍ତକୁ ପରିବା ମଧ୍ୟ ପଠାଯାଇପାରୁ ନାହିଁ। ଫଳରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ଅଞ୍ଚଳରେ ହୋଇଥିବା କଖାରୁ, ପୋଟଳ, କଦଳୀ ଫସଲ ଏବେ ବିଲରେ ପଡ଼ି ପଡ଼ି ଶଢ଼ୁଥିବା ଚାଷୀମାନେ ଅଭିଯୋଗ ଆଣିଛନ୍ତି। ପ୍ରଶାସନ ପକ୍ଷରୁ ଏ ନେଇ କିଛି ବ୍ୟବସ୍ଥା କରାଯିବାକୁ ସେମାନେ ଦାବି କରିଛନ୍ତି।
ବ୍ଲକର ବ୍ରାହ୍ମଣବିଲ ଗ୍ରାମର ଅନେକ ଚାଷୀ କଖାରୁ ଚାଷ କରିଛନ୍ତି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ହୋଇଥିବା ଟନ୍‌ ଟନ୍‌ କଖାରୁ ସେମାନେ ବ୍ୟବସାୟୀଙ୍କୁ ଦେଇଥାନ୍ତେ। ହେଲେ ଏବେ ବଜାରରେ ଗ୍ରାହକଙ୍କ ସଂଖ୍ୟା କମିଥିବାରୁ ବହୁ ପରିମାଣର କଖାରୁ ବିକ୍ରି ହୋଇ ନ ପାରି ପଡିରହିଛି। ସେହିପରି କ୍ଷତି ଆଶଙ୍କାରେ ବଡ଼ ବଡ଼ ବ୍ୟବସାୟୀମାନେ ମଧ୍ୟ କମ୍‌ ପରିମାଣର ପନିପରିବା କିଣୁଛନ୍ତି। ତେଣୁ କଖାରୁ ସବୁ ଶଢିବାକୁ ବସିଥିବା ଚାଷୀ ଗଦାଧର ଦୁଆରୀ, ରିତ ସାହୁ, ଦୁର୍ଯ୍ୟୋଧନ ପ୍ରଧାନ, ସୁମନ୍ତ ପ୍ରଧାନ, ଅମି ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି। ସେହିପରି ଅଞ୍ଚଳର ପୋଟଳ ଓ କଦଳୀ ଚାଷୀ ମଧ୍ୟ କ୍ଷତି ସହୁଛନ୍ତି। ପ୍ରଶାସନ ପକ୍ଷରୁ ବିକ୍ରି ବ୍ୟବସ୍ଥା ସହ କ୍ଷତିପୂରଣ ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବାକୁ ଦାବି ହୋଇଛି।