Categories: ମେଟ୍ରୋ

ଶକ୍ତି ସଂରକ୍ଷଣ କରାଗଲେ ଉତ୍ତାପ ବୃଦ୍ଧି ହ୍ରାସ ପାଇବ

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ)- ମନୁଷ୍ୟର ଦୈନନ୍ଦିନ ଜୀବନଯାପନ ପାଇଁ ଶକ୍ତିର ଜରୁରୀ ଆବଶ୍ୟକତା ରହିଛି। ପେଟ୍ରୋଲ, ଡିଜେଲ, କୋଇଲା, ଜୈବ ଇନ୍ଧନରୁ ଶକ୍ତି ଉତ୍ପାଦନ ଯୋଗୁ ବହୁ ମାତ୍ରାରେ ଅଙ୍ଗାରକାମ୍ଳ ନିର୍ଗତ ହୋଇ ବାୟୂମୁଣ୍ଡଳକୁ ପ୍ରଦୂଷିତ କରୁଛି। ଫଳରେ ତାପମାତ୍ରା ବୃଦ୍ଧି ପାଉଛି। ଏଥିପ୍ରତି ସଚେତନ ହୋଇ ଶକ୍ତି ସଂରକ୍ଷଣ କଲେ ଉତ୍ତାପ ବୃଦ୍ଧି ହ୍ରାସ ପାଇବ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ଶନିବାର ସୂଚନା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଶକ୍ତି ସଂରକ୍ଷଣ ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟୁତ ଶକ୍ତି ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ।
ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ବିଷ୍ଣୁପଦ ସେଠୀ, ସେଣ୍ଟର ଫର ଏନ୍‌ଭାଇରନମେଣ୍ଟାଲ୍‌ ଷ୍ଟଡିଜ, ଜଙ୍ଗଲ ଓ ପରିବେଶ ବିଭାଗର ନିର୍ଦ୍ଦେଶକ ପ୍ରଫେସର ଡ. ଆଶୁତୋଷ ଦେବତା, ସର୍ବୋଚ୍ଚ ଯନ୍ତ୍ରୀ ସନ୍ତୋଷ ଦାସ ପ୍ରମୁଖ ଯୋଗଦେଇ ଶକ୍ତି ସଂରକ୍ଷଣ ଉପରେ କହିଥିଲେ। ଏହି ଅବସରରେ ଲିଖିତ କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହିତ ଶକ୍ତି ସଂରକ୍ଷଣ ପ୍ରକଳ୍ପ ନିମନ୍ତେ ବିଭିନ୍ନ ଅନୁଷ୍ଠାନକୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ମୁଖ୍ୟଯନ୍ତ୍ରୀ ପ୍ୟାରୀମୋହନ ମିଶ୍ର ଧନ୍ୟବାଦ ଦେଇଥିଲେ। ପରେ ମନ୍ତ୍ରୀ ମିଶ୍ର ଓ ଅନ୍ୟ ଅତିଥିମାନେ ବୈଦ୍ୟୁତିକ ଗାଡ଼ି, କମ୍‌ ଶକ୍ତିରେ ଚାଲୁଥିବା ଏସି, ଫ୍ରିଜ, ଫ୍ୟାନ ଓ ସୌରଶକ୍ତି ଚାଳିତ ଉପକରଣଗୁଡ଼ିକୁ ନେଇ ଆୟୋଜିତ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ।
ସକାଳ ୮ଟାରେ ଶକ୍ତି ସଂରକ୍ଷଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ସାରା ରାଜ୍ୟରୁ ବହୁ ଛାତ୍ରୀଛାତ୍ର ଯୋଗଦେଇ ପ୍ଲାକାର୍ଡ ଧରି ଶକ୍ତି ସଂରକ୍ଷଣର ବାର୍ତ୍ତା ଦେଇଥିଲେ। ଶୋଭାଯାତ୍ରାକୁ ସଚିବ ବିଷ୍ଣୁପଦ ସେଠୀ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଶକ୍ତି ସଂରକ୍ଷଣ ସଚେତନତା ରଥକୁ ଉଦଘାଟନ କରିଥିଲେ।